ଭାରତର ବିଦେଶୀ ପୁଞ୍ଜି ଭଣ୍ଡାର ରେକର୍ଡ ସ୍ତରରେ

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୦୬/୦୬ : କରୋନା ସଙ୍କଟ କାଳରେ ଦେଶ ପାଇଁ ଏକ ଭଲ ଖବର ମଧ୍ୟ ରହିଛି | ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଉଛି | ଦେଶର ବିଦେଶୀ ପୁଞ୍ଜି ଭଣ୍ଡାର ମେ ୨୯ ତାରିଖରେ ସମାପ୍ତ ହୋଇଥିଲା | ସପ୍ତାହେ ୩.୪୩ ବିଲିଅନ ଡଲାର ବୃଦ୍ଧି ସହ ୩୭ ଲକ୍ଷ କୋଟି ଟଙ୍କା (୪୯୩.୪୮ ବିଲିୟନ ଡଲାର) ରେ ପହଞ୍ଚିଛି | ବିଦେଶୀ ମୁଦ୍ରାରେ ବୃଦ୍ଧି ସହ ପୁଞ୍ଜି ଭଣ୍ଡାରରେ ଏହି ରେକର୍ଡ ଦର୍ଜ କରାଯାଇଛି | ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ, ବିଦେଶୀ ପୁଞ୍ଜି ଭଣ୍ଡାର ଏମିତି ସମୟରେ ବୃଦ୍ଧି ପାଇଛି ଯେତେବେଳେ ସାରା ଦେଶ ବିଶ୍ୱ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଛି | ବିଦେଶୀ ପୁଞ୍ଜି ଭଣ୍ଡାରରେ ବିଦେଶୀ ମୁଦ୍ରା ଭଣ୍ଡାର, ସ୍ଵର୍ଣ ଭଣ୍ଡାର (Gold Reserve), ସ୍ପେଶାଲ ଡ୍ରଇଂ ରାଇଟ୍ସ (SDR), ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (IMF) ରେ ଭାରତୀୟ ଭଣ୍ଡାର ସାମିଲ ରହିଛି |

ଆଇବିଆଇ ସାପ୍ତାହିକ ତାଲିକା ଜାରି କରି କହିଛି ଯେ, ଦେଶର ବୈଦେଶିକ ପୁଞ୍ଜି ଭଣ୍ଡାର ମେ ୨୨ ତାରିଖ ଶେଷ ସପ୍ତାହ ସୁଦ୍ଧା ୪୯୦.୦୪ ବିଲିୟନ ଡଲାର ଥିଲା | ସାପ୍ତାହିକ ଆଧାରରେ ବିଦେଶୀ ପୁଞ୍ଜି ଭଣ୍ଡାରର ସବୁଠାରୁ ମହତ୍ଵପୁର୍ଣ ଅଂଶ ବିଦେଶୀ ମୁଦ୍ରା ଭଣ୍ଡାର ମେ ୨୯ ଶେଷ ସପ୍ତାହରେ ୩.୫୦ ବିଲିଅନ ଡଲାର ବୃଦ୍ଧି ପାଇ ୪୫୫.୨୧ ବିଲିଅନ ଡଲାର ହୋଇଥିଲା | ଦେଶର ସ୍ଵର୍ଣ ଭଣ୍ଡାରର ମୂଲ୍ୟ ୯.୭ କୋଟି ଡଲାର ହ୍ରାସ ପାଇ ୩୨.୬୮୨ ବିଲିୟନ ଡଲାରରେ ପହଞ୍ଚିଛି | ସ୍ପେଶାଲ ଡ୍ରଇଂ ରାଇଟ୍ସ ମୂଲ୍ୟ ୧.୪୩ ବିଲିୟନ ଡଲାରରେ ରହିଛି | ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ୩୧୦ ଲକ୍ଷ ଡଲାର ବୃଦ୍ଧି ପାଇ ୪.୧୫୮ ବିଲିଅନ ଡଲାର ହୋଇଛି |

{"id":282086,"sizeSlug":"large"}

କରୋନା ସଙ୍କଟ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ହୋଇଥିବା ବ୍ୟାହତ ଭଲ ଖବର ବୋଲି କୁହାଯାଉଛି | ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ପୂର୍ବ ସପ୍ତାହରେ ୩ ବିଲିୟନ ଡଲାର ବୃଦ୍ଧି ପାଇ ୪୯୦.୦୪ ବିଲିୟନ ଡଲାରରେ ପହଞ୍ଚିଥିଲା | ଏହା ସେ ସମୟର ଉଚ୍ଚତମ ସ୍ଥର ଥିଲା | ବିଦେଶୀ ମୁଦ୍ରା ଭଣ୍ଡାରରେ ଏକ କିମ୍ବା ଏକରୁ ଅଧିକ ମୁଦ୍ରା ରଖାଯାଇଥାଏ | ସାଧାରଣତଃ ଭଣ୍ଡାରରେ ଡଲାର କିମ୍ବା ୟୁରୋ ହିସାବରେ ରଖାଯାଇଥାଏ | ସାପ୍ତାହିକ ଆଧାର ଅନୁସାରେ ଆରବିଆଇ ଏହାର ତାଲିକା ପ୍ରସ୍ତୁତ କରେ |

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ତମାମ ନକାରାତ୍ମକ କାରଣ ସତ୍ତ୍ୱେ ବିଦେଶୀ ପୁଞ୍ଜି ଭଣ୍ଡାର କିପରି ବୃଦ୍ଧି ପାଇଲା ? କଥା ହେଲା, ମେ ମାସରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବହୁତ ମାତ୍ରାରେ ହ୍ରାସ ପାଇଥିଲା | ସେଥିପାଇଁ ଅଶୋଧିତ ତେଲ କିଣିବା ପାଇଁ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିନଥିଲା | ତୈଳ କିଣିବା ପାଇଁ ସରକାରଙ୍କୁ ଡଲାର ଆକାରରେ ଟଙ୍କା ଦେବାକୁ ପଡିଥାଏ | ଏହିଭଳି ସ୍ଥିତିରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ହେତୁ ସରକାରଙ୍କ ଖର୍ଚ୍ଚ କମ ହୋଇଥିଲା | ସରକାରଙ୍କୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡ଼ିନଥିଲା | ଯାହାଫଳରେ ଡଲାର ସଞ୍ଚୟ ହୋଇଗଲା ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ହୋଇଛି |

{"id":282087,"sizeSlug":"large"}

ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ଯୋଗୁଁ ଭାରତୀୟ ମୁଦ୍ରାକୁ ମଧ୍ୟ ସପୋର୍ଟ ମିଳିପାରେ | ଯଦି ଟଙ୍କାରେ ସୁଧାର ଆସେ ତାହେଲେ ବିଦେଶରୁ ଆମଦାନୀ ହେଉଥିବା ଜିନିଷ ଉପରେ ମଧ୍ୟ କମ ଟ୍ୟାକ୍ସ ଲାଗିବ | ଯାହାର ସିଧା ସଳଖ ଲାଭ ଦେଶର ଅର୍ଥ ବ୍ୟବସ୍ଥାକୁ ହେବ | ତେବେ ଭାରତୀୟ ମୁଦ୍ରାରେ ଅଧିକ ସୁଧାର ଆସିଲେ ରପ୍ତାନି ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.