Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାକାଶରେ ମହିଳା ଶକ୍ତି : ଇତିହାସ ରଚିବାକୁ ଯାଉଛି ମିଶନ ଚନ୍ଦ୍ରଯାନ-୨, ଅଭିଯାନର ନେତୃତ୍ବ ନେଉଛନ୍ତି ଏହି ଦୁଇଜଣ ମହିଳା ବୈଜ୍ଞାନିକ

ନୂଆଦିଲ୍ଲୀ ୧୪|୭: ଚନ୍ଦ୍ରଯାନ-୨ରେ ମହିଳାଙ୍କ କମାଲ । ଏହା ହେଉଛି ମହିଳାଙ୍କ ନେତୃତ୍ବରେ ଉତକ୍ଷେପଣ ହେବାକୁ ଯାଉଥିବା ଦେଶର ପ୍ରଥମ ମହାକାଶ ଅଭିଯାନ । ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହି ମିଶନ ଦୁଇ ଜଣ ମହିଳାଙ୍କ ନେତୃତ୍ବରେ ଆଗେଇ ଚାଲିଛି । ସେହିପରି ପୂରା ମିଶନର ୩୦ ପ୍ରତିଶତ ହେଉଛନ୍ତି ମହିଳା ବୈଜ୍ଞାନିକ ଏବଂ ମହିଳା ଇଞ୍ଜିନିୟର ।

ମହାକାଶରେ ମହିଳା ଶକ୍ତି । ଇତିହାସ ରଚିବାକୁ ଯାଉଛି ମିଶନ ଚନ୍ଦ୍ରଯାନ-୨ ।  ପ୍ରଥମ ଥର ପାଇଁ ଭାରତ ଇତିହାସରେ ମହିଳାଙ୍କ ନେତୃତ୍ବରେ ମହାକାଶ ଅଭିଯାନ ସଫଳ ହେବାକୁ ଯାଉଛି । ଇସ୍ରୋର ଏହି ମିଶନ ପଛରେ ରହିଛନ୍ତି ଦୁଇ ମହିଳା ବୈଜ୍ଞାନିକ । ଚନ୍ଦ୍ରଯାନ-୨ ର ପ୍ରକଳ୍ପ ନିର୍ଦ୍ଦେଶକ ମୁଥୟା ବନିତା ଏବଂ ମିଶନ ନିର୍ଦ୍ଦେଶକ ରିତୁ କାରିଧାଲ୍। ଏହି ଦୁଇ ଜଣଙ୍କ ସହ ରାତିଦିନ ଏକ କରି କାମ କରୁଥିବା ସମୁଦାୟ ଲୋକବଳର ୩୦ ପ୍ରତିଶତ ହେଉଛନ୍ତି ମହିଳା ବୈଜ୍ଞାନିକ ଏବଂ ଇଞ୍ଜିନିୟର ।

ଚନ୍ଦ୍ରଯାନ-୨ ମିଶନର ଦାୟିତ୍ବରେ ଥିବା ଇସ୍ରୋର ପ୍ରଥମ ମହିଳା ପ୍ରକଳ୍ପ ନିର୍ଦ୍ଦେଶକ ମୁଥୟା ବନିତା ଜଣେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଇଞ୍ଜିନିୟର । ପ୍ରଥମେ ଏହି ଗୁରୁ ଦାୟିତ୍ବ ନେବାକୁ ବନିତା ମନା କରୁଥିଲେ। ତେବେ ତାଙ୍କର ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିଥିଲେ ମିଶନ ଚନ୍ଦ୍ରଯାନ-୧ ର ପ୍ରକଳ୍ପ ନିର୍ଦ୍ଦେଶକ ଏମ୍. ଆନ୍ନାଦୁରାଇ। ୨୦୦୬ ମସିହାରେ ବନିତା ଶ୍ରେଷ୍ଠ ମହିଳା ବୈଜ୍ଞାନିକ ପୁରସ୍କାର ପାଇଥିଲେ ।

ସେହିପରି ଚନ୍ଦ୍ରୟାନ-୨ର ମିଶନ ନିର୍ଦ୍ଦେଶକ ରିତୁ କାରିଧାଲ ଭାରତର ମଙ୍ଗଳ ଅଭିଯାନ ପାଇଁ ଅପରେସନ୍ ଉପ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ରିତୁ କାରିଧାଲ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର । ଭାରତର ରକେଟ୍ ମହିଳା ଭାବରେ ରିତୁ କାରିଧାଲ ପରିଚିତ । ମଙ୍ଗଳ ଅଭିଯାନ ଲାଗି ପୂର୍ବରୁ ସେ ଇସ୍ରୋ ଟିମ୍ ପୁରସ୍କାର ସହ ୦୦୭ ମସିହାରେ ଯୁବ ବୈଜ୍ଞାନିକ ପୁରସ୍କାର ମଧ୍ୟ ପାଇଛନ୍ତି ।

ଉଭୟ ବନିତା ଏବଂ ରିତୁଙ୍କର କେବଳ ଦୁଇ ଦଶନ୍ଧିର ଅଭିଜ୍ଞତା ନାହିଁ, ରାତିଦିନ କଠିନ ପରିଶ୍ରମ କରିବାର ନିଷ୍ଠା ମଧ୍ୟ ରହିଛି । ଏହି ମିଶନ ପାଇଁ ଗତ ୧୦ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରିଆସୁଛନ୍ତି ଉଭୟ  ମୁଥୟା ବନିତା ଏବଂ ରିତୁ କାରିଧାଲ୍ ।

ଚନ୍ଦ୍ରଯାନ-୨ ମିଶନ ପରେ ଇସ୍ରୋର ପରବର୍ତ୍ତୀ ଅଭିଯାନ ହେବ ଗଗନାୟନ । ଏଥିରେ ଅନ୍ୟ ଦୁଇ ଜଣଙ୍କ ସହ ଜଣେ ମହିଳା ମହାକାଶ ବିଜ୍ଞାନୀଙ୍କୁ ପଠାଇବା ପାଇଁ ଇସ୍ରୋ ଯୋଜନା କରୁଛି । ସବୁଠାରୁ ବଡ଼କଥା ହେଉଛି ଭାରତର ଏହି ପ୍ରଥମ ହ୍ୟୁମାନ ସ୍ପେସ୍ ପ୍ରୋଗ୍ରାମ ମଧ୍ୟ ଜଣେ ମହିଳା ବୈଜ୍ଞାନିକ ଭି.ଆର୍. ଲଳିତାମ୍ବିକାଙ୍କ ନେତୃତ୍ବରେ କାମ କରୁଛି । 

100 Views

   ସମ୍ବନ୍ଧିତ ଖବର