ବିମାନରେ ଭାରତ ଫେରିବେ ପ୍ରବାସୀ, ଦେବେ ଭଡା: ଲଣ୍ଡନରୁ ୫୦ ହଜାର, ଆମେରିକାରୁ ୧ ଲକ୍ଷ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ, ୦୫|୦୫ :  କରୋନା ଭାଇରସ ମହାମାରୀ ପାଇଁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ଭାରତ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ସରକାର ମେ ୭ରୁ ୬୪ଟି ସ୍ୱତନ୍ତ୍ର ବିମାନ ଚଳାଚଳ କରିବେ ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ  ପୁରୀ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ତେବେ ବାହାରୁ ଆସୁଥିବା ପ୍ରବାସୀ ଭାରତୀୟମାନେ ବିମାନ ଭଡା ପାଇଁ ନିଜେ ଅର୍ଥ ଖର୍ଚ୍ଚ କରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ମଙ୍ଗଳବାର ହରଦୀପ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଦେଶରେ କେତେ ଭାରତୀୟ ଫସିଛନ୍ତି ସେନେଇ ତଥ୍ୟ ନାହିଁ । କିନ୍ତୁ ଏହି ସଂଖ୍ୟା ୨ ଲକ୍ଷରୁ ଅଧିକ ବୋଲି କୁହାଯାଉଛି । ସମସ୍ତଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ । ଅନ୍ୟ ବିଭାଗ ଓ ରାଜ୍ୟକୁ ସାମିଲ କଲା ପରେ ଏହି ସଂଖ୍ୟା ବଢିପାରେ । ତେବେ ଯେଉଁମାନେ ଫେରିବେ ସେମାନେ ନିଜେ ବିମାନ ଭଡା ବହନ କରିବେ । ଲଣ୍ଡନରୁ ଆସିଲେ ୫୦ ହଜାର ଟଙ୍କା ଭଡା ଦେବାକୁ ପଡିବ । ସେହିପରି ସିକାଗୋ କିମ୍ବା ସାନ୍ ଫ୍ରାନସିସ୍କୋରୁ ଫେରିଲେ ୧ ଲକ୍ଷ ଟଙ୍କା ଭଡା ଲାଗିବ । ଏଥିପାଇଁ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିବ ।

କରୋନା ଭାଇରସ ସଂକ୍ରମଣ ପାଇଁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୪୮୦୦ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ମେ ୭ରୁ ୧୩ ଯାଏଁ ୬୪ ବିମାନ ନିୟୋଜିତ କରାଯିବ । ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏହାର ସଂଚାଳନ କରିବ । ବିମାନ ଆରବ, ବ୍ରିଟେନ୍, ଆମେରିକା, କତାର, ସିଙ୍ଗାପୁର, ମାଲେସିଆ, ଫିଲିଫାଇନ୍ସ, ବାଂଲାଦେଶ, ବହରୀନ, କୁଏତ  ଓ ଓମାନରେ ଫସିଥିବା ଭାରତୀୟଙ୍କୁ ଫେରସ୍ତ ଅଣାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.