ବିଦେଶରୁ ଫେରିବେ ଭାରତୀୟ, ରାଜ୍ୟଙ୍କ ସହଯୋଗ ଲୋଡିଲେ ବୈଦେଶିକ ମନ୍ତ୍ରାଳୟ

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬।୪: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଫଳରେ ଟ୍ରାଭେଲ ରେଷ୍ଟ୍ରିକ୍ସନ ଯୋଗୁ ଅନ୍ତର୍ଜାତୀୟ ଉଡାଣ ବାତିଲ ହେବାରୁ ଅନେକ ଭାରତୀୟ ବିଭିନ୍ନ ଦେଶରେ ଅଟକି ରହିଛନ୍ତି। ସେମାନଙ୍କୁ ଦେଶକୁ ଫେରାଇଆଣିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବୈଦେଶିକ ମନ୍ତ୍ରାଳୟ ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ  ପ୍ରଦେଶ ମୁଖ୍ୟଙ୍କ ସହ ଆଲୋଚନା କରୁଥିବା ସମର୍ଥିତ ସୂତ୍ରରୁ ଜଣାପଡିଛି।

ଟ୍ରାଭେଲ ରେଷ୍ଟ୍ରିକ୍ସନ କାରଣରୁ ହଜାର ହଜାର ଭାରତୀୟ ଏବେ ବିଭିନ୍ନ ଦେଶରେ ଫଶି ରହିଛନ୍ତି। ସେମାନଙ୍କୁ ତୁରନ୍ତ ଦେଶକୁ ଫେରାଇ ନେବାକୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରୁଛନ୍ତି। ତେବେ ଦେଶରେ ଲକଡାଉନ୍ ଜାରି ଥିବାରୁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇ ପାରିନାହାନ୍ତି। ବିଦେଶରେ ସେମାନେ ଅଧିକ ସମୟ ଅଟକି ରହିବା ମଧ୍ୟ ସେମାନଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ମନ୍ତ୍ରାଳୟ ଏ ନେଇ ରାଜ୍ୟ ସରକାରମାନଙ୍କୁ ଚିନ୍ତା କରିବାକୁ କହିଛନ୍ତି।

ଅଧିକାଂଶ ଭାରତୀୟ ଉପସାଗରୀୟ ଦେଶ ସମେତ ଜାପାନ, ସିଙ୍ଗାପୁର ଓ ୟୁରୋପିୟ ୟୁନିୟନରେ ଅଟକି ରହିଛନ୍ତି। ସେମାନଙ୍କ ସଂଖ୍ୟା କେତେ ତାହା ଏପର୍ଯ୍ୟନ୍ତ ଆକଳନ ବି ହୋଇନି। ତେବେ ଯଦି ସେମାନଙ୍କୁ ଆସିବାକୁ ଅନୁମତି ପ୍ରଦାନ କରାଯାଏ କରୋନା ପ୍ରଭାବିତ ଦେଶରେ ରାଜ୍ୟମାନଙ୍କର ପ୍ରସ୍ତୁତି ସମ୍ପର୍କରେ ମନ୍ତ୍ରାଳୟ ଜାଣିବାକୁ ଚାହିଁଛନ୍ତି। ଯାହା ଏବେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଲାଗି ଆହ୍ୱାନରେ ପରିଣତ ହୋଇଛି।

ସରକାର ଲକଡାଉନ୍‌ ଘୋଷଣା କରିବା ପୂର୍ବରୁ ଅନ୍ତର୍ଜାତୀୟ ଟ୍ରାଭେଲ ରେଷ୍ଟ୍ରିକ୍ସନ କଥା ବିଚାରକୁ ନେଇ ନଥିଲେ। ତେବେ ସରକାର ଚୀନ, ଜାପାନ, ଇଟାଲୀ ଓ ଇରାନରୁ ଲୋକଙ୍କୁ ଏୟାର ଲିଫ୍ଟ କରାଇଥିଲେ। ତେବେ ସରକାର ଲକଡାଉନ୍ ଘୋଷଣା ପୂର୍ବରୁ ଟ୍ରାଭେଲ ରେଷ୍ଟ୍ରିକ୍ସନ କଥା ବିଚାରକୁ ନେଇଥିଲେ ଏତେ ସଂଖ୍ୟକ ଲୋକେ ବିଦେଶରେ ଫଶି ରହିନଥାନ୍ତେ ବୋଲି କୁହାଯାଉଛି। ତେବେ ସେମାନଙ୍କୁ କିପରି ସ୍ୱଦେଶ ଫେରାଇ ଅଣାଯିବ ଏବେ ସରକାରଙ୍କ ଲାଗି ବଡ ସମସ୍ୟା ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.