ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କର ଜମାଅଛି କୋଟିକୋଟି ଟଙ୍କା, କେହି ନାହାନ୍ତି ଦାବିଦାର
10/11/2019 at 4:23 PM

ନୂଆଦିଲ୍ଲୀ : ସ୍ୱିସ୍ ବ୍ୟାଙ୍କମାନଙ୍କରେ ଭାରତୀୟମାନେ କୋଟିକୋଟି ଟଙ୍କା ଜମା ରଖିଛନ୍ତି। ହେଲେ ସେହିସବୁ ଆକାଉଣ୍ଟରୁ ପ୍ରାୟ ୧୦ଟି ଆକାଉଣ୍ଟ ଦୀର୍ଘ ଦିନରୁ ଅଚଳ (ଡୋରମାଣ୍ଟ ଆକାଉଣ୍ଟ) ହୋଇ ରହିଛି। ଏହି ସବୁ ଆକାଉଣ୍ଟର କେହି ଦାବିଦାର ନାହାନ୍ତି। ଏଣୁ ଏବେ ଏହି ସବୁ ଆକାଉଣ୍ଟରେ ଜମା ଥିବା ବିପୁଳ ଟଙ୍କା ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଆକାଉଣ୍ଟକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଛି।

ଗତ ୨୦୧୫ ମସିହାରେ ସ୍ୱିଜରଲ୍ୟାଣ୍ଡ ସରକାର ଡୋରମାଣ୍ଟ ଆକାଉଣ୍ଟ ସମ୍ପର୍କରେ ପ୍ରଥମେ ସୂଚନା ସାର୍ବଜନିକ କରିବା ଆରମ୍ଭ କରିଥିଲେ। ସେହି ଅନୁସାରେ ଏହି ସବୁ ଆକାଉଣ୍ଟର ଦାବିଦାରମାନେ ଆକାଉଣ୍ଟ ସମ୍ପର୍କିତ ସେମାନଙ୍କ ନିକଟରେ ଥିବା ତଥ୍ୟ ଉପଲବ୍ଧ କରିବା କଥା। ହେଲେ ସେମାନେ ଏପର୍ଯ୍ୟନ୍ତ ଆକାଉଣ୍ଟ ଉପରେ ସେମାନଙ୍କର ଦାବି ଉପସ୍ଥାପନ କରିନାହାନ୍ତି। ଏଥିରୁ କିଛି ଆକାଉଣ୍ଟ ଭାରତରେ ବ୍ରିଟିଶ ସରକାର କାଳର ନାଗରିକଙ୍କର ହୋଇଥିବା ବେଳେ ଆଉ କିଛି ଭାରତୀୟଙ୍କର ମଧ୍ୟ ରହିଛି। ତେବେ ସ୍ୱିସ୍ ଅଥରିଟିଙ୍କ ନିକଟରେ ଉପଲବ୍ଧ ସୂଚନା ଅନୁସାରେ ଗତ ୬ ବର୍ଷରେ କେହି ବି ଜମାକାରୀଙ୍କ ଉତ୍ତରାଧିକାରୀ ନିଜର ଦାବି ଉପସ୍ଥାପନ କରିନାହାନ୍ତି।

ଆଗାମୀ ମାସରେ କିଛି ଆକାଉଣ୍ଟର ଦାବି ଅବଧି ପୂରଣ ହେବାକୁ ଯାଉଛି। ତେବେ ଆଉ କିଛି ଆକାଉଣ୍ଟ ଲାଗି ଉତ୍ତରାଧିକାରୀମାନଙ୍କର ଦାବି ଉପସ୍ଥାପନ ଲାଗି ୨୦୨୦ ବର୍ଷ ଶେଷ ପର୍ଯ୍ୟନ୍ତ ରହିଛି। ନିଷ୍କ୍ରିୟ ଆକାଉଣ୍ଟ ସୂଚୀରେ ପ୍ରାୟ ୨ହଜାର ୬ଶହ ଖାତା ରହିଛି। ଯେଉଁଥିରେ ୪.୫କୋଟି ସ୍ୱିସ୍ ଫ୍ରାଙ୍କ ଅର୍ଥାତ ୩ଶହ କୋଟି ଟଙ୍କା ଜମା ଅଛି। ଗତ ୧୯୫୫ ମସିହାରୁ ଏହିସବୁ ଆକାଉଣ୍ଟ ଉପରେ କେହି ଦାବି କରିନାହାନ୍ତି। ସ୍ୱିସ୍ ବ୍ୟାଙ୍କ ଆଇନ ଅନୁସାରେ ବର୍ଷକୁ ବର୍ଷ ଏଭଳି ଖାତା ସଂଖ୍ୟା ବଢିବଢି ଯାଉଛି। ଏବେ ଏଭଳି ଖାତା ସଂଖ୍ୟା ୩ହଜାର ୫ଶହରେ ପହଞ୍ଚି ସାରିଲାଣି।

ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟକୁ ନେଇ ଭାରତରେ ଅନେକ ବର୍ଷରୁ ଆଲୋଚନା ହେଉଛି। କୁହାଯାଉଛି ଭାରତୀୟମାନେ ସେମାନଙ୍କ ଆୟବହିର୍ଭୁତ ଧନକୁ ସ୍ୱିସ୍ ବ୍ୟାଙ୍କମାନଙ୍କରେ ଜମା ରଖିଛନ୍ତି। ଏବେ ଏପରି ମଧ୍ୟ ସନ୍ଦେହ କରାଯାଉଛି ଭାରତର ପୂର୍ବରୁ ଥିବା ରାଜାରଜୁଡା ସେମାନଙ୍କ ବିପୁଳ ଅର୍ଥ ଏହି ବ୍ୟାଙ୍କମାନଙ୍କରେ ଜମା କରିଥିଲେ। ତେବେ ପରେ ସେମାନଙ୍କ ଅର୍ଥ ଆଣି ପାରିନାହାଁନ୍ତି। ଦୀର୍ଘ ବର୍ଷ ପରେ ବିଭିନ୍ନ ଦେଶଙ୍କ ଚାପ ଯୋଗୁ ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷ ନିଜ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ରେଗୁଲେଟରୀ ଯାଞ୍ଚ ଲାଗି ଉନ୍ମୁକ୍ତ କରିଛନ୍ତି।