କରୋନା ସଙ୍କଟ : ପ୍ରତି ୫ ଭାରତୀୟଙ୍କ ମଧ୍ୟରୁ ଜଣଙ୍କୁ ଚାକିରୀ ହରାଇବା ଭୟ , ଦରମା ହ୍ରାସକୁ ନେଇ ଚିନ୍ତାରେ କିଛି ଲୋକ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ ୧୬।୦୪ : କରୋନା ଭାଇରସ୍ ମହାମାରୀ କାରଣରୁ ଏବେ ସାରା ବିଶ୍ବରେ ଆତଙ୍କ ପରିସ୍ଥିତି। ଭାରତରେ ଲକଡାଉନ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି। ଏବେ ଏହି କାରଣରୁ ଲକ୍ଷାଧିକ ଲୋକଙ୍କ ଚାକିରି ଉପରେ ସଙ୍କଟ ଆସିଯାଇଛି। ଏହା ସହିତ କର୍ମଚାରୀଙ୍କୁ ଚାକିରି ହରାଇବାର ଭୟ ଆସିବାରେ ଲାଗିଲାଣି।  ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ, ଏବେ ପ୍ରତି ୫ ଜଣଙ୍କ ଭିତରେ ଜଣେ ଭାରତୀୟଙ୍କ ମନରେ ଚାକିରୀ ଯିବାର ଭୟ ରହିଛି।

ଇଣ୍ଟରନେଟ୍ ଆଧାରିତ ବଜାର ଅନୁସନ୍ଧାନ ସର୍ବେକ୍ଷଣ ଓ ଡାଟା ଆନାଲିଟିକ୍ସ YouGov ଫାର୍ମ ଦ୍ବାରା କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଲକଡାଉନ୍ କାରଣରୁ ଅର୍ଥନୀତି ଉପରେ ଗମ୍ଭୀର ସଙ୍କଟ ଦେଖିବାକୁ ମିଳିଛି। ଏହାକୁ ଦେଖି ଅଧିକାଂଶ ଲୋକଙ୍କର ଚାକିରୀ ଯିବାର ଭୟ ଲାଗି ରହିଛି। YouGov ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ, ୨୦ ପ୍ରତିଶତ ଭାରତୀୟ ଏବେ ଚାକିରୀ ଯିବା ଭୟରେ ଅଛନ୍ତି।

୧୬ ପ୍ରତିଶତ ଏଭଳି ଲୋକ ଅଛନ୍ତି, ଯେଉଁମାନଙ୍କୁ ଦରମା କଟିବାର ଭୟ ରହିଛି। ସେଭଳି ୮ ପ୍ରତିଶତ ଲୋକ ବୋନସ୍ ଓ ଇନକ୍ରୀମେଣ୍ଟ ନମିଳିବାର ଭୟରେ ଅଛନ୍ତି। ଉଲ୍ଲେଖନୀୟ ​‌ଯେ, ବହୁ ରିପୋର୍ଟରେ ପୂର୍ବରୁ କୁହାଯାଇ ସାରିଛି ଯେ, କୋଭିଡ୍-୧୯ ମହାମାରୀ କାରଣରୁ ଭାରତରେ ଲକ୍ଷାଧିକ ଚାକିରି ଏବେ ସଙ୍କଟରେ ରହିଛି। ସହରୀ ବେରୋଜଗାରୀ ଦର ୩୦.୯ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି। ମୋଟ ମିଶାଇ ବେରୋଜଗାରୀ ଦର ପୂର୍ବ ଅପେକ୍ଷା ୨୩.୪ ପ୍ରତିଶତରୁ ଅଧିକ ବଢିଯାଇଛି।

ଏହି ସର୍ଭେ YouGov ଦ୍ବାରା ୭-୧୦ ଅପ୍ରେଲ ଭିତରେ ୧୦୦୦ ଜଣ ଲୋକଙ୍କୁ ପଚରାଯାଇଥିଲା। ସର୍ବେକ୍ଷଣରେ ଏହା ମଧ୍ୟ ଜଣାପଡିଛି ଯେ, ପ୍ରାୟ ୪୭ ପ୍ରତିଶତ ଲୋକ ନିଜକୁ ଫିଟ୍ ରଖିବାପାଇଁ ଘରେ ବ୍ୟାୟାମ କରୁଛନ୍ତି। ୪୬ ପ୍ରତିଶତ ଲୋକ ସାଙ୍ଗ ଓ ପରିବାର ଲୋକଙ୍କ ସହ ଭିଡିଓ କଲିଂ କରି ସମୟ ବିତାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.