ରାଜାଙ୍କର ଥିଲେ ୬୦ଜଣ ପତ୍ନୀ, ଅଫିମ ଚାଷ କରନ୍ତି ଏହି ଜନଜାତି ଲୋକ... ଜାଣନ୍ତୁ ଏହା କେଉଁ ଜନଜାତି ଏବଂ କିଏ ଏହି ରାଜା

Published By : Prameya-News7 Bureau | September 30, 2018 IST

ନାଗାଲାଣ୍ଡ ୩୦|୯: ସାଧାରଣତଃ ଆଦିବାସୀମାନଙ୍କ ଜୀବନଶୈଳୀ ସମ୍ବନ୍ଧରେ ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ । ସେମାନଙ୍କର ରୀତିନୀତି ହେଉ କି ଚାଲିଚଳନ ସବୁ ଭିନ୍ନ ହୋଇଥାଏ । ଏପରି ଏକ ଆଦିବାସୀ ଜନଜାତି ହେଉଛି କୋନ୍ୟାକ ଜନଜାତି । ଏହି ଜନଜାତିର ରାଜାଙ୍କର ଥିଲେ ୬୦ ଜଣ ପତ୍ନୀ । ଆସନ୍ତୁ ଜାଣିବା କିଏ ସେହି ରାଜା? ଭାରତ ଏବଂ ମିଆଁମାର ସୀମାରେ ରହିଛି ନାଗାଲାଣ୍ଡର ଲୋଙ୍ଗଓ୍ବା ଗାଁ । ଏହି ଗାଁର ରାଜା ଥିଲେ ଅଙ୍ଗ ନଗବାଙ୍ଗ । ଏହି ରାଜାଙ୍କର ଥିଲେ ୬୦ ଜଣ ପତ୍ନୀ । ଆଶ୍ଚର୍ଯ୍ୟର କଥା ଯେ, ରାଜା ମିଆଁମାରରେ ଖାଦ୍ୟ ଖାଆନ୍ତି ଏବଂ ଭାରତରେ ଶୋଇବାକୁ ଆସନ୍ତି । କାରଣ ଲୋଙ୍ଗଓ୍ବା ଗାଁର ଅଧା ଅଂଶ ଭାରତରେ ଥିବାବେଳେ ଅଧା ଅଂଶ ମିଆଁମାରରେ ଥିଲା । ରାଜାଙ୍କ ଘର ସୀମାର ମଝିରେ ଅବସ୍ଥିତ । ଲୋଙ୍ଗଓ୍ବା ଗାଁ ସହ ୭୫ଗାଁ ରାଜା ଅଙ୍ଗ ନଗବାଙ୍ଗଙ୍କ ଅଧିନରେ ଥିଲା । କନ୍ୟାକ ଜନଜାତିର ଅଲଗା ପ୍ରକାର ରୀତିନୀତି ରହିଛି । ଫଳରେ ରାଜାଙ୍କର ୬୦ଜଣ ପତ୍ନୀ ରଖିବାର ଅଧିକାର ରହିଛି । ଲୋଙ୍ଗଓ୍ବା ଗାଁରେ ରାଜାଙ୍କ ପରିବାର ମଧ୍ୟ ବହୁତ ବଡ ଥିଲା । କୁହାଯାଏ କି ତାଙ୍କର ସବୁଠୁ ବଡ ପୁଅ ମିଆଁମାରର ସେନାରେ ରହିଛନ୍ତି । ଏକ ରିପୋର୍ଟ ଅନୁସାରେ ଏହି ଗାଁରେ ରୋଜଗାର ମାଧ୍ୟମ କମ୍ ରହିଛି । ଏମାନେ କେବଳ ଅଫିମ ଚାଷ କରି ତାକୁ ବିକ୍ରି କରି ପେଟ ପୋଷିଥାନ୍ତି । ଅଫିମ ବ୍ୟବସାୟର ସମସ୍ତ ଦାୟିତ୍ବ ରାଜାଙ୍କ ପରିବାରଲୋକ ବୁଝିଥାଆନ୍ତି । କନ୍ୟାକ ଜନଜାତିର ଲୋକମାନଙ୍କୁ ପୂର୍ବରୁ ‘ହେଡ୍ ହଣ୍ଟର୍ସ’ ବୋଲି କୁହାଯାଉଥିଲା । କାରଣ ବହୁତ ସମୟ ପୂର୍ବରୁ ଏହି ଜନଜାତି ମଣିଷମାନଙ୍କୁ ମାରି ତାଙ୍କ ମୁଣ୍ଡକୁ ସାଥିରେ ନେଇଯାଉଥିଲେ । ୧୯୬୦ ପରେ ଏମାନେ ହେଡ୍ ହଣ୍ଟିଂ ବନ୍ଦ କରିଦେଇଥିଲେ । ମାତ୍ର ଏହି ଜନଜାତିର କେତେକ ଲୋକଙ୍କ ଘରେ ଏବେବି ମଣିଷ ଖପୁରୀ ରହିଥିବା ଦେଖିବାକୁ ମିଳେ । କନ୍ୟାକ ଜନଜାତିର ଜନସଂଖ୍ୟା ଅନ୍ୟ ଜନଜାତି ତୁଳନାରେ ଅଧିକ ରହିଛି । ଏମାନେ ନାଗମିସ ଭାଷାରେ କଥାବାର୍ତ୍ତା କରିଥାଆନ୍ତି ଯାହା ନାଗା ଏବଂ ଆସାମୀ ଭାଷାର ମିଶ୍ରଣରୁ ଉତ୍ପନ ହୋଇଛି । ଭାରତ ଏବଂ ମିଆଁମାର ସୀମାରେ ରହିଥିବା କାରଣରୁ ଏଠାରେ ବସବାସ କରୁଥିବା ଲୋକଙ୍କୁ ଦୁଇ ଦେଶର ନାଗରିକତ୍ତ୍ବ ମିଳିଛି । ଏମାନଙ୍କୁ ମିଆଁମାର ଯିବାକୁ ନା ଭିସାର ଆବଶ୍ୟକତା ପଡିଥାଏ ନା ଭାରତୀୟ ପାସପୋର୍ଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.