କରୋନା ଆକ୍ରାନ୍ତ ଭାରତୀୟ ଡ୍ରାଇଭରଙ୍କ ଯନ୍ତ୍ରଣାଦାୟକ କାହାଣୀ: ଜୀବିକା ଗଲା-ଜୀବନ ବି ଗଲା, ପତ୍ନୀ ବଖାଣିଲେ ସେହି ଶେଷ କଥା
28/04/2020 at 8:25 PM

ଲଣ୍ଡନ ୨୮।୦୪: ବ୍ରିଟେନରେ ଜଣେ ଭାରତୀୟ ଉବର ଡ୍ରାଇଭରଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁର କାହାଣୀ ସାମ୍ନାକୁ ଆସିଛି। ୪୪ ବର୍ଷୀୟ ଭାରତୀୟ ଗତ ୨୨ ବର୍ଷ ହେବ ଲଣ୍ଡନରେ ଟ୍ୟାକ୍ସି ଚଲାଉଥିଲେ। କିଛି ଦିନ ପୂର୍ବେ ସେ କରୋନା ସଂକ୍ରମଣର ଶିକାର ହେବାରୁ ଘର ମାଲିକ ତାଙ୍କୁ ଘରୁ ବାହାର କରି ଦେଲେ। ସପ୍ତାହେ ପର୍ଯ୍ୟନ୍ତ ସେ ନିଜ ଟ୍ୟାକ୍ସିରେ ଶୋଇଲେ। ଶେଷରେ ପରିବାର ସଦସ୍ୟଙ୍କ ସାକ୍ଷାତ ବିନା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ। ଏବେ ଉବର ଡ୍ରାଇଭରଙ୍କ ପତ୍ନୀ ନିଜ ପତିଙ୍କ ଯନ୍ତ୍ରଣାଦାୟକ କାହାଣୀ ବିଷୟରେ କହିଛନ୍ତି।
ବିବିସିର ରିପୋର୍ଟ ଅନୁଯାୟୀ ୪୪ ବର୍ଷୀୟ ରାଜେଶ ଜୟାସିଲନ ଗତ ୨୨ ବର୍ଷ ହେବ ଲଣ୍ଡନରେ ଟ୍ୟାକ୍ସି ଚଳାଉଥିଲେ। ତାଙ୍କ ପତ୍ନୀ ମ୍ୟାରି ଜୟାସିଲନ କହିଛନ୍ତି, କରୋନା ସଂକ୍ରମଣ କାରଣରୁ ସ୍ଵାସ୍ଥ୍ୟବସ୍ଥା ବିଗିଡିବାରୁ ରାଜେଶଙ୍କୁ ଲଣ୍ଡନର ନର୍ଥଓ୍ଵିକ୍ ପାର୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଲଣ୍ଡନରେ ମୃତ୍ୟୁ ସହ ଲଢେଇ କରୁଥିଲେ ଏବଂ ୫୦୦୦ ମାଇଲ୍ ଦୂର ବେଙ୍ଗାଲୁରୁରେ ତାଙ୍କ ପରିବାର ଅସହାୟ ଥିଲା। ରାଜେଶ ବାରମ୍ବାର ନିଜ ପରିବାରକୁ ଆଶ୍ଵାସନା ଦେଉଥିଲା ଯେ, ସେ ଶୀଘ୍ର ସୁସ୍ଥ ହୋଇଯିବ। ରାଜେଶ ଓ ମୋର ଦୁଇଟି ଶିଶୁ ଅଛନ୍ତି। ମ୍ୟାରି ଓ ଦୁଇ ଶିଶୁ ବେଙ୍ଗାଲୁରୁରେ ରହୁଛନ୍ତି।
ରାଜେଶଙ୍କ ପତ୍ନୀ ମ୍ୟାରିଙ୍କ କହିବା କଥା ସେ ଯୁବ ଏଂ ସଂପୂର୍ଣ୍ଣ ସୁସ୍ଥ ଥିଲେ। ମାତ୍ର କରୋନା ସଂକ୍ରମଣରେ ସଂକ୍ରମିତ ହେବା ପରେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ଶେଷ ଥର ସେ ନିଜର ପତ୍ନୀଙ୍କୁ ଭୟ ଲାଗୁଥିବା କହିଥିଲେ। ଏହାର ଗୋଟିଏ ଦିନ ପରେ ରାଜେଶଙ୍କ ମୃତ୍ୟୁ ଘଟିଥିଲା।
ରାଜେଶ ଓ ମ୍ୟାରିଙ୍କ ବିବାହ ୨୦୧୪ ଫେବୃଆରୀ ୨୪ରେ ହୋଇଥିଲା। ଦୁହେଁ ଦକ୍ଷିଣ ବେଙ୍ଗାଲୁରୁର ହୁଲିମାଭୁ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ବିବାହ ପୂର୍ବରୁ ରାଜେଶ ନର୍ଥ ଲଣ୍ଡନର ହ୍ୟାରୋରେ ଉବର ଟ୍ୟାକ୍ସି ଚଳାଇ ପରିବାର ପୋଷଣ କରୁଥିଲେ। ସେ ରାତିରୁ ନେଇ ସକାଳ ପର୍ଯ୍ୟନ୍ତ ଲଣ୍ଡନରେ ଟ୍ୟାକ୍ସି ଚଳାଉଥିଲେ, ଯଦ୍ଵାରା ଭାରତରେ ତାର ପରିବାରର ଭରଣ ପୋଷଣ ହୋଇ ପାରିବ।
ରାଜେଶଙ୍କ ପତ୍ନୀ ମ୍ୟାରି କହିଛନ୍ତି ସେ ଗତ ୨୨ ବର୍ଷ ହେବ ଲଣ୍ଡନରେ ରହି ଟ୍ୟାକ୍ସି ଚଳାଉଥିଲେ। ମଝିରେ ମଝିରେ ଭାରତ ଆସୁଥିଲେ। ସେ ସର୍ବଦା ଲଣ୍ଡନର ସୁନ୍ଦର ସୁନ୍ଦର ଦୃଶ୍ୟ ବିଷୟରେ କହୁଥିଲେ। ରାଜେଶଙ୍କ ପରିବାର ଖୁସିରେ ଚାଲୁଥିଲା। ତାଙ୍କର ୬ ଓ ୪ ବର୍ଷର ଦୁଇଟି ପିଲା ଅଛନ୍ତି।
ରାଜେଶଙ୍କ ସ୍ଵପ୍ନ ଥିଲା ସେ ଲଣ୍ଡନରୁ ରୋଜଗାର କରି ସବୁ ଦିନ ପାଇଁ ଭାରତକୁ ଫେରିଯିବ । ମାତ୍ର ତାଙ୍କ ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା। ସେ ଗତ ଜାନୁଆରୀ ୧୫ରେ ଭାରତରୁ ଲଣ୍ଡନ ଫେରିଥିଲେ। ଏହାର ଦୁଇ ସପ୍ତାହରୁ କମ୍ ସମୟରେ ଭାଇରସ୍ ସଂକ୍ରମଣର ପ୍ରଥମ ମାମଲା ଲଣ୍ଡନରେ ଦେଖିବାକୁ ମିଳିଥିଲା।
ଘରୁ ବାହାର କରି ଦେଲା ଘର ମାଲିକ
ମ୍ୟାରି କହିଛନ୍ତି ସେହି ସମୟରେ ରାଜେଶ ଚିନ୍ତିତ ନଥିଲା। ଦୋକାନ ଓ ରେସ୍ତୋରାଁ ଖୋଲା ଥିଲା। ମାତ୍ର ମାର୍ଚ୍ଚ ମାସରେ ସ୍ଥିତି ବିଗିଡିବାରେ ଲାଗିଲା। ଲୋକଙ୍କ ମଧ୍ୟରେ ଭାଇରସ୍ ଦ୍ରୁତ ଗତିରେ ବ୍ୟାପିଲା। ମାର୍ଚ୍ଚ ୨୩ରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପୂରା ବ୍ରିଟେନରେ ଲକ୍ଡାଉନ୍ ଲଗାଇ ଦେଲେ। ଅନ୍ୟ ଉବର ଡ୍ରାଇଭରଙ୍କ ପରି ରାଜେଶ କିଛି ସପ୍ତାହ ପର୍ଯ୍ୟନ୍ତ କାମ କଲେ। ସେ ମାର୍ଚ୍ଚ ୨୫ରେ ଶେଷ ଥର କାମ କରିଥିଲେ।
ଏହା ପରେ ତାଙ୍କଠାର ସଂକ୍ରମଣର ଲକ୍ଷଣ ଦେଖାଯାଇଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହେଲେ। ରିପୋର୍ଟ ପଜିଟିଭ୍ ଆସିଲା। ମେଡିକାଲ କର୍ମଚାରୀ ତାଙ୍କୁ ସେଲ୍ଫ ଆଇସୋଲେସନରେ ରହିବାକୁ କହିଥିଲେ ଏବଂ ସ୍ଵାସ୍ଥ୍ୟ ଅଧିକ ବିଗିଡିଲେ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ।
ରାଜେଶ ନିଜର ଭଡା ଘରକୁ ଫେରିଥିଲେ, ମାତ୍ର ମାଲିକ କବାଟ ଖୋଲିନଥିଲା। ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ମାଲିକର ହୃଦୟ ତରଳି ନଥିଲା। ଘର ମାଲିକର କହିବା କଥା ତାଠୁ କରୋନା ଭାଇରସ୍ ସଂକ୍ରମଣ ହୋଇପାରେ। ଘର ମାଲିକ ତାଙ୍କ ରୁମର ତାଲା ବଦଳାଇ ଦେଇଥିଲେ।
ବାଧ୍ୟ ହୋଇ ରାଜେଶଙ୍କୁ ଅନେକ ଦିନ ନିଜ ଟ୍ୟାକ୍ସିରେ ଶୋଇବାକୁ ପଡିଥିଲା। ଏହି ସମୟରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିତିଥିଲା। ତାଙ୍କୁ ଖାଇବାକୁ କିଛି ମିଳୁନଥିଲା। ଦେହ ଅଧିକ ଖରାପ ହେବାରୁ ନିଜେ ଟ୍ୟାକ୍ସି ଚଳାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ହସ୍ପିଟାଲରୁ ଭିଡିଓ କଲ ଜରିଆରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ଏପ୍ରିଲ ୧୧ରେ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ରାଜେଶଙ୍କ ସ୍ଵାସ୍ଥ୍ୟ ଗମ୍ଭୀର ଥିବା ସୂଚନା ଦେଇଥିଲେ। ଶେଷ ଥର ହସ୍ପିଟାଲ କର୍ତ୍ତୃପକ୍ଷ ପରିବାରଙ୍କୁ ଦେଖାଇବାଲ ଲାଗି ଭିଡିଓ କଲ କରିଥଲେ। ରାଜେଶ ଭେଣ୍ଟିଲେଟରରେ ଅଚେତ ଥିଲେ। ଏହାର ଦୁଇ ଘଣ୍ଟା ପରେ ରାଜେଶଙ୍କ ମୃତ୍ୟୁ ଘଟିଥିଲା।