ଚୀନ ସୈନିକ ହଟିବା ପରେ ସଂଘର୍ଷ ସ୍ଥାନଠୁ ୧.୫ କିମି ପଛକୁ ହଟିଲା ଭାରତୀୟ ସେନା, ପାଟ୍ରୋଲିଂ ଉପରେ ରୋକ୍ !
7/07/2020 at 5:07 PM

ନୂଆଦିଲ୍ଲୀ ୦୭।୦୭: ଭାରତ ଓ ଚୀନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ପରେ ଗଲଓ୍ଵାନ ଉପତ୍ୟକାରେ ଘଟିଥିବା ସଂଘର୍ଷ ସ୍ଥାନଠୁ ଭାରତୀୟ ସୈନିକ ମଧ୍ୟ ୧.୫ କିଲୋମିଟର ପଛକୁ ହଟିଛି। ଇଂରାଜୀ ଖବର କାଗଜ ‘ଦ ହିନ୍ଦୁ’ ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକରୀଙ୍କ ସୂତ୍ରରୁ ଏହି ଖବର ପ୍ରକାଶ କରିଛି। ସୈନ୍ୟ ସୂତ୍ର ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଆଧାରରେ ଉଭୟ ପକ୍ଷ ବିବାଦୀୟ ଅଞ୍ଚଳରୁ ୧ ରୁ ୧.୫ କିଲୋମିଟର ପଛକୁ ହଟିବେ। ଯେବେ ଏହି ପ୍ରକ୍ରିୟା ପୂରା ହେବ ପୁଣି ଥରେ ଦୁଇ ଦେଶର ସେନା ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ପୁନର୍ବାର ଆଲୋଚନା କରିବେ। ଅଜିତ୍ ଡୋଭାଲ ଓ ଓ୍ଵାଙ୍ଗ ଓ୍ଵିଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକ ପରେ ଚୀନ ନିଜର ସୈନିକ ୧.୫ କିମି ପଛକୁ ହଟିବା ଆରମ୍ଭ କରିଛି।

ଭାରତୀୟ ସୈନିକ ଅଦ୍ୟାବଧି ପାଟ୍ରୋଲିଂ ପଏଣ୍ଟ ୧୪ ପର୍ଯ୍ୟନ୍ତ ନିଜର ପାଟ୍ରୋଲିଂ କରିଥାଏ। ଏହି ଠାରେ ହିଁ ଜୁନ ୧୫ରେ ଚୀନ ସୈନିକଙ୍କ ସହିତ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଜୁନ ୩୦ରେ କମାଣ୍ଡସ୍ତରୀୟ ବୈଠରେ ହୋଇଥିବା ରାଜିନାମା ଅନୁଯାୟୀ ଏବେ ଭାରତୀୟ ସୈନିକ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ପାଟ୍ରୋଲିଂ ପଏଣ୍ଟ ୧୪ ନିକଟକୁ ଯିବେ ନାହିଁ। ଅଧିକାରୀଙ୍କ ଅନୁଯାୟୀ, ଏହା ଚିନ୍ତାର ବିଷୟ କାରଣ ଚୀନ ସୈନିକ ବାସ୍ତବିକ ନିୟନ୍ତ୍ରଣ ରେଖା(LAC) ଅତିକ୍ରମ କରି ଭାରତୀୟ କ୍ଷେତ୍ରକୁ ମାଡି ଆସିଥିଲେ। ତାଙ୍କ କହିବା ଅନୁଯାୟୀ, ଯଦି ଏହାର ଠୋସ୍ ସମାଧାନ ହେବ ନାହିଁ ତେବେ ଭାରତ ଏହି ଅଞ୍ଚଳରେ ନିଜର ପାଟ୍ରୋଲିଂ ଅଧିକାର ସର୍ବଦା ପାଇଁ ହରାଇପାରେ।

ପାଟ୍ରୋଲିଂ ପଏଣ୍ଟ ୧୪ ପର୍ଯ୍ୟନ୍ତ ଭାରତ ନିର୍ମାଣ କରିଛି ସଡକ
ଅଧିକାରୀ କହିଛନ୍ତି, ଭାରତ ପାଟ୍ରୋଲିଂ ପଏଣ୍ଟ ୧୪ ପର୍ଯ୍ୟନ୍ତ ସଡକ ନିର୍ମାଣ କରିଛି, ଯେଉଁଠି ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଠାରୁ ସେନା ନିଜର ପାଟ୍ରୋଲିଂ ଆରମ୍ଭ କରୁଥିଲେ। ଏବେ ହୋଇଥିବା ରାଜିନାମା ଅନୁଯାୟୀ, ଭାରତ ଏବେ ପାଟ୍ରୋଲିଂ ୧୪ ଯାଏ ପାଟ୍ରୋଲିଂ କରି ପାରିବ ନାହିଁ। ଏବେ ଏହି ଆଶଙ୍କା ରହିଛି ଯେ, ଏହି ବ୍ୟବସ୍ଥା ୩୦ ଦିନରୁ ବଢି ଯେମିତି ସ୍ଥାୟୀ ନହୋଇ ଯାଉ। ଅଧିକାରୀ କହିଛନ୍ତି, ଜୁନ ୧୫ରେ ଘଟିଥିବା ହିଂସାତ୍ମକ ସଂଘର୍ଷ ସ୍ଥାନର ଆଖପାଖରୁ ୩.୫ କିମିରୁ ୪ କିମି ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଛି। ଏବେ ଗଲଓ୍ଵାନରେ ଦୁଇ ଦେଶ ପକ୍ଷରୁ ୩୦ରୁ ଅଧିକ ସୈନିକ ମୁତୟନ ହୋଇ ପାରିରବେ ନାହିଁ। ଦୁଇ ଦେଶର ସୈନିକଙ୍କ ମଧ୍ୟରେ ୩.୬ ରୁ ୪ କିମି ଦୂରତା ସୁନିଶ୍ଚିତ କରାଯାଇଛି। ଏହା ପରେ ଦୁଇ ପକ୍ଷରୁ ୧-୧ କିମି ଦୂରତାରେ ୫୦-୫୦ ସୈନିକ ରହିପାରିବେ। ଅର୍ଥାତ ମୋଟ୍ ୬ କିମି ପରିଧିରେ ଗୋଟିଏ ପକ୍ଷରୁ ୮୦ରୁ ଅଧିକ ସୈନିକ ରହି ପାରିବେ ନାହିଁ।

ଅଧିକାରୀ ଏହା ମଧ୍ୟ କହିଛନ୍ତି, ଜୁନ ୩୦ରେ କମାଣ୍ଡରସ୍ତରୀୟ ଆଲୋଚନାରେ ରାଜିନାମା ହୋଇଛି ଯେ, ଭାରତୀୟ ଓ ଚୀନ ସୈନିକ ପରସ୍ପରକୁ ନିକଟରୁ ଆଖିରେ ଆଖି ମିଶାଇ ଛିଡା ହେବେ ନାହିଁ। ଉଭୟଙ୍କ ମଧ୍ୟରେ ଅତି କମରେ ୩.୫ କିମି ଦୂରତା ରହିବ। ଅନ୍ୟପଟେ ସୈନ୍ୟ ସୂତ୍ର ଅନୁଯାୟୀ ଭାରତ-ଚୀନର ସେନା ସୋମବାର ହଟ୍ ସ୍ପ୍ରିଙ୍ଗ ଓ ଗୋଗରାରୁ ନିଜ ନିଜର ସୈନ୍ୟ ଅପସାରଣ କରିବାରେ ଲାଗିଛନ୍ତି। ଦୁଇ ସ୍ଥାନରୁ ସୈନିକଙ୍କ ହଟିବା ପ୍ରକ୍ରିୟା କିଛି ଦିନରେ ଶେଷ ହେବ। ଚୀନ ସେନା କାଲିଠୁ ହିଁ ନିଜର ତମ୍ବୁ ଖୋଲିବା ଆରମ୍ଭ କରି ଦେଇଛନ୍ତି।