'ମୋଦୀଙ୍କ ୨୦୧୭ ଇସ୍ରାଏଲ ଗସ୍ତ ପରେ ଭାରତୀୟଙ୍କୁ ଟାର୍ଗେଟ୍ କଲା ପେଗାସସ୍‌: ହାରେଟଜ୍‌ ଟେକ୍ ଏଡିଟର

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ ୦୨।୦୮: ପେଗାସସ ଗୁଇନ୍ଦାଗିରି ମାମଲାକୁ ନେଇ ସଂସଦରେ ସୃଷ୍ଟି ଝଡ ଥମିବାର ନାଁ ନେଉନାହିଁ। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏହା ମଧ୍ୟରେ ଇସ୍ରାଏଲର ଏକ ସମାଚାର ପତ୍ର ହାରେଟଜ୍‌ର ଟେକ୍ ଏଡିଟର ଓମର ବେଞ୍ଜାକୋବଙ୍କ ଟିପ୍ପଣୀ କେନ୍ଦ୍ରର ମୋଦୀ ସରକାରଙ୍କ ଅଡୁଆ ଆହୁରି ବଢାଇପାରେ। ବେଞ୍ଜାକୋବ କହିଛନ୍ତି, ୨୦୧୭ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ ପରେ ପେଗାସସ୍‌ ତାଲିକାରେ ସନ୍ଦିଗ୍ଧ ଭାରତୀୟଙ୍କ ଗୁଇନ୍ଦାଗିରି ହୋଇଥିବା ସଙ୍କେତ ମିଳିବା ଆରମ୍ଭ ହୋଇ ଯାଇଥିଲା। ଅର୍ଥାତ ମୋଦୀଙ୍କ ଗସ୍ତ ପରେ ଭାରତୀୟଙ୍କୁ ଟାର୍ଗେଟ୍ କରାଯାଇଥିଲା। ଇସ୍ରାଏଲର ସାଇବର ସୁରକ୍ଷା ଫର୍ମ ଏନଏସଓ ପେଗାସସ୍ ସ୍ପାଇଓ୍ଵେର ବିକଶିତ କରିଥିଲା।

ବେଞ୍ଜାକୋବ ଦ ପ୍ରିଣ୍ଟର ବରିଷ୍ଠ ପରାମର୍ଶଦାତା ସଂପାଦକ ଜ୍ୟୋତି ମାଲହୋତ୍ରାଙ୍କ ସହ ରବିବାର ପେଗାସସ ପ୍ରସଙ୍ଗରେ ଆଲୋଚନା ବେଳେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ପେଗାସସ୍ ଗୁଇନ୍ଦାଗିରିରେ ଭାରତୀୟଙ୍କୁ ଟାର୍ଗେଟ୍ କରାଯାଇଥିଲା।

ପେଗାସସ୍‌ ସ୍ପାଇଓ୍ଵେରକୁ କଥିତ ଭାବେ ସାରା ଦୁନିଆର ଅନେକ ରାଜନେତା, କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକଙ୍କ ଗୁଇନ୍ଦାଗିରି କରିବା ପାଇଁ ବ୍ୟବହାର କରାଯାଇଥିଲା। ଗତ ମାସରେ ପେଗାସସ୍ ପ୍ରୋଜେକ୍ଟ - ୧୭ ଟି ମିଡିଆ ସଂଗଠନର ଏକ ଆନ୍ତର୍ଜାତୀୟ କନ୍ସୋର୍ଟିୟମ୍ ଦ୍ୱାରା ଗତମାସରେ ଏହା ପ୍ରକାଶ କରାଯାଇଥିଲା। ଏଥିରେ ଗୁଇନ୍ଦାଗିରି ପାଇଁ ୫୦ ହଜାର ଲୋକଙ୍କୁ ଟାର୍ଗେଟ୍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କିଏ ଏହାର ଶିକାର ହୋଇଥିଲା ତ କିଏ ବର୍ତ୍ତି ଯାଇଥିଲା।

ଇସ୍ରାଏଲର ଏନଏସଓ ଗ୍ରୁପ ପେଗାସସ୍‌ ଗୁଇନ୍ଦାଗିରିକୁ ଖଣ୍ଡନ କରିଥିଲା। ଏନଏସଓ ଦାବି କରିଥିଲା ଯେ, ଏହି ସଫ୍ଟଓ୍ଵେର କେବଳ ଦେଶର ଏନଫୋର୍ସମେଣ୍ଟ ଏବଂ ଗୁଇନ୍ଦା ଏଜେନ୍ସିକୁ ପ୍ରଦାନ କରାଯାଇଥାଏ। ବେଞ୍ଜାକୋବ ଏହା ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ ରାଷ୍ଟ୍ରପତି ନେତନ୍ୟାହୁଙ୍କ ଗସ୍ତ ପରେ ପେଗାସସ୍ ଗୁଇନ୍ଦାଗିରି ଆଶଙ୍କା ଆହୁରୀ ଘନୀଭୂତ ହୋଇଥିଲା। ହଙ୍ଗେରୀ ନାଗରିକଙ୍କ ପେଗାସସ୍ ଗୁଇନ୍ଦାଗିରି ତାଲିକାରେ ଦେଖିବାକୁ ମିଳିଥିଲା।

ପେଗାସସ୍‌ ପ୍ରୋଜେକ୍ଟ ଏହି ଖୁଲାସା ହୋଇଥିଲା ଯେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହିତ ୧୪ ବିଦେଶୀ ନେତାଙ୍କ ଫୋନ ନମ୍ବର ତାଲିକାରେ ଥିଲା। ଭାରତରେ  ହୋଇଥିବା ଗୁଇନ୍ଦାଗିରିରେ କେନ୍ଦ୍ର ମନ୍ତ୍ରୀ, ବିରୋଧୀ ନେତା ଏବଂ ୪୦ ବରିଷ୍ଠ ସାମ୍ବାଦିକ ଓ କାର୍ଯ୍ୟକର୍ତ୍ତା ସାମିଲ୍ ଥିଲେ। ଫ୍ରାନ୍ସ ଓ ହଙ୍ଗେରୀ ପରି ଦେଶ ଖୁଲାସା ପରେ ପେଗାସସ୍‌ ମାମଲାର ତଦନ୍ତ  ଆଦେଶ ଦେଇଥିବା ବେଳେ ଭାରତ ସରକାର ଏହା ଏକ ପ୍ରସଙ୍ଗ ନୁହେଁ ବୋଲି କହିଛି।

ଇସ୍ରାଏଲର ଏନଏସଓ ପେଗାସସ୍‌ ସଫ୍ଟଓ୍ଵେରକୁ ଅନେକ ଦେଶର ପୋଲିସ, ଗୁଇନ୍ଦା ଓ ଏଜେନ୍ସିକୁ  ବିକ୍ରି କରିଥିଲା। ଏଥିପାଇଁ ନିଶ୍ଚିତ ଭାବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ମିଳିଥିବ। କାରଣ ଏହି ସଫ୍ଟଓ୍ଵେର ବିକିବା ପାଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ନେବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.