ଆଉ ୬ଟି ନୂତନ ଶିଖର କବ୍ଜା କଲେ ଭାରତୀୟ ସେନା, ଔଷଧ ବିକଳରେ ତାଟିଆ କାମୁଡୁଛି ଚୀନର ପିଏଲଏ
20/09/2020 at 4:15 PM

ନୂଆଦିଲ୍ଲୀ ୨୦।୦୯: ପୂର୍ବ ଲଦାଖରେ ଭାରତୀୟ ସେନାଠୁ ମାତ୍ ଖାଇବା ପରେ ଚୀନର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ବିଚଳିତ ହୋଇ ପଡିଛି। ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହୋଇ ପାରିନାହିଁ କାରଣ ଚୀନ ବୈଠକ ପାଇଁ ତାରିଖ ସ୍ଥିର କରି ନାହିଁ। ଚୀନର ଔଷଧ ବିକଳରେ ତାଟିଆ କାମୁଡିବା ପରି ସ୍ଥିତିର କାରଣ ଗତ ତିନି ସପ୍ତାହରେ ଭାରତୀୟ ସେନା ଏଲଏସିର ଛଅଟି ନୂତନ ଶିଖର ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ଏହି ପାହାଡି ଅଞ୍ଚଳ ପର୍ଯ୍ୟନ୍ତ ଚୀନ ସେନା ପହଞ୍ଚିବାକୁ ଚାହୁଁଥିଲା ମାତ୍ର ଭାରତ ଚତୁରତାର ସହ ଆଗେ ଏହି ଶିଖରକୁ ନିଜ ଦଖଲକୁ ନେଇ ଯାଇଛି। ଅଗଷ୍ଟ ୨୯ ଏବଂ ସେପ୍ଟେମ୍ବରର ଦ୍ଵିତୀୟ ସପ୍ତାହ ମଧ୍ୟରେ ସେନାର ଯବାନ ଚୁପ୍ଚାପ୍ ଏହି ଛଅ ପ୍ରମୁଖ ପର୍ବତ ଶିଖରକୁ ନିଜ ଅକ୍ତିକାରକୁ ନେଇ ଯାଇଛନ୍ତି।
ଶୀର୍ଷ ସରକାରୀ ସୂତ୍ର ଅନୁଯାୟୀ, ଭାରତୀୟ ସେନା ଅଗଷ୍ଟ ୨୯ରେ ଓ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହ ମଧ୍ୟରେ ଛଅଟି ନୂତନ ପାର୍ବତ୍ୟ ଶିଖର କବ୍ଜା କରିଛନ୍ତି। ମଗର ହିଲ, ଗୁରୁଙ୍ଗ ହିଲ୍, ରେଚିନ ଲା, ରେଜାଙ୍ଗ ଲା, ମୋଖପରୀ ଓ ଫିଙ୍ଗର ୪ ନିକଟ ପାର୍ବତ୍ୟ ଶିଖର ଉପରେ ଆମ ଯବାନ ନିଜର ସ୍ଥିତି ଜାହିର କରି ସାରିଛନ୍ତି। ଏହି ସ୍ଥାନ ଖାଲି ରହିଥିଲା ଏବଂ ଚୀନ ସେନା ସେଠାରେ ପହଞ୍ଚିବା ପୂର୍ବରୁ ଭାରତୀୟ ଯବାନ ରଣନୈତିକ ଅଗ୍ରଣୀ ହାସଲ କରିଛି। ସୂତ୍ର ଅନୁଯାୟୀ ଶିଖର ଉପରେ ପହଞ୍ଚିବାରେ ବିଫଳ ହେବାରୁ ହତାସା ଚୀନ ସୀମାରେ ଗୁଳି ଚାଳନା କରିଛି। ପାଙ୍ଗଙ୍ଗ୍ ହ୍ରଦର ଦକ୍ଷିଣ କୂଳରେ ଚୀନ ସେନା ପାଖାପାଖି ତିନି ଘଣ୍ଟା ପର୍ଯ୍ୟନ୍ତ ଫାଙ୍କା ଗୁଳିମାଡ କରିଛି।
ସୂତ୍ରରୁ ସ୍ପଷ୍ଟ ଜଣା ପଡିଛି ଯେ, ବ୍ଲାକଟପ୍ ଓ ହେଲମେଟ୍ ଟପ୍ ଏଲଏସିର ଅପର ପାର୍ଶ୍ଵରେ ଅବସ୍ଥିତ। ଭାରତୀୟ ଯବାନଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଚୀନ ସେନା ୩୦୦୦ ଅତିରିକ୍ତ ସୈନିକଙ୍କୁ ରେଜାଙ୍ଗ ଲା ଓ ରେଚିନ ଲା ନିକଟରେ ମୁତୟନ କରିଛି। ଏଥିରେ ପିଏଲଏର ଇନଫ୍ରାଣ୍ଟି ଓ ଆର୍ମର୍ଡ ୟୁନିଟ୍ର ଯବାନ ସାମିଲ। ଚୀନ ସେନାର ମୋଲଡୋ ୟୁନିଟ୍କୁ ସଂପୂର୍ଣ୍ଣ ସକ୍ରିୟ କରିଛି। ଗତ କିଛି ସପ୍ତାହରେ ଚୀନ ସେନା ନିଜ ସୈନିକଙ୍କ ସଂଖ୍ୟା ବଢାଇ ଦେଇଛି।