ପାକିସ୍ତାନକୁ ପାନେ: ଅସ୍ତ୍ର ବିରତି ଉଲ୍ଲଂଘନ ଭାରି ପଡିଲା, ୩ ଦିନରେ ଭାରତୀୟ ଯବାନଙ୍କ ଗୁଳିରେ ଟଳିଲେ ୧୭ ପାକ୍ ସୈନିକ

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୦୬: ଜାମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ଗତ ଅନେକ ଦିନ ହେବ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ଭାରତୀୟ ଯବାନ ମଧ୍ୟ ପାକିସ୍ତାନର ପ୍ରତିଟି ଦୁଃସାହାସର ମୁହଁତୋଡ ଜବାବ ଦେଉଛନ୍ତି। ସୀମାରେ ଗୁଳିମାଡ କରୁଥିବା ପାକିସ୍ତାନକୁ ଏବେ ମହଙ୍ଗା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତୀୟ ସୁରକ୍ଷାବଳର ଯବାନ ସୋମବାର ଦୁଇ ପାକିସ୍ତାନୀ ସୈନିକଙ୍କ ନିପାତ କରିଛନ୍ତି। ଏହାକୁ ମିଶାଇ ଗତ ୩ ଦିନରେ ପାକିସ୍ତାନର ୧୭ ସୈନିକ ଭାରତୀୟ ଯବାନଙ୍କ ହାତରେ ଜୀବନ ହାରିଛନ୍ତି। ଏହି ସମୟରେ ପାକିସ୍ତାନ ସେନାର ଅନେକ ଅଗ୍ରଣୀ ଶିବିରକୁ ମଧ୍ୟ ଭାରତୀୟ ଯବାନ ଉଡାଇଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନୀ ସେନା ଚଳିତ ବର୍ଷ ଅଦ୍ୟାବଧି ଦୁଇ ହଜାରରୁ ଅଧିକ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରି ସାରିଛି।

ସୂଚନା ମୁତାବକ ରବିବାର ବିଳମ୍ବିତ ରାତ୍ରିରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ବଡ ଧରଣର ଜବାବୀ କାର୍ଯ୍ୟାନୁଷ୍ଠାନରେ ପିଓକେର ନିକିୟାଲ ସେକ୍ଟରରେ ପାକିସ୍ତାନୀ ସେନାର ୬ ଯବାନ ପ୍ରାଣ ହରାଇଥିବା ବେଳେ ସୋମବାର ସକାଳେ ଆଉ ଦୁଇ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଏହି ସମୟରେ ପାକିସ୍ତାନର ୪ଟି ଫରଓ୍ଵାର୍ଡ ପୋଷ୍ଟକୁ ମଧ୍ୟ ଧ୍ଵଂସ କରାଯାଇଛି। ଏହି ସବୁ ସୈନିକ ପାକିସ୍ତାନ ସେନାର ସିନ୍ଧ ରେଜିମେଣ୍ଟର ଯବାନ ଥିଲେ। କୁହାଯାଇଛି ଯେ, ଭାରତୀୟ ସେନା ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୧୨ରୁ ଉର୍ଦ୍ଧ୍ଵ ପାକିସ୍ତାନୀ ସୈନିକ ଆହତ ହୋଇଛନ୍ତି। ଏହା ପୂର୍ବରୁ ଜୁନ ୨୦ ଓ ୨୧ରେ ପାକିସ୍ତାନ ସେନାକୁ ଭାରତୀୟ ଯବାନଙ୍କ ଦୃଢ ଜବାବରେ କ୍ଷତି ଉଠାଇବାକୁ ପଡିଥିଲା।

ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ପ୍ରଥମେ ଭାରତୀୟ ସେନାର ଶିବିରକୁ ନିଶାଣ କରି ହମଲା କରାଯାଇଥିଲା। ପ୍ରତି ଜବାବରେ ଭାରତୀୟ ସୈନିକ ଦୃଢ  ଜବାବ ଦେଇଥିଲେ। ଭାରତୀୟ ସେନା ଏମିତି ପାଲଟା ଜବାବ ଦେଇଥିଲେ ଯେ, ପାକିସ୍ତାନ ସୈନିକଙ୍କୁ ଛତ୍ରଭଙ୍ଗ ଦେଇ ପଳାୟନ କରିବାକୁ ପଡିଥିଲା। ସୂତ୍ର ଅନୁଯାୟୀ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ହାଜିପିର ସେକ୍ଟର, ବଦୋରୀ ସେକ୍ଟର, ବଗସର ସେକ୍ଟର, ଜନ୍ଦରୋଟ୍‌ ଓ ଡେରା ସେର ଖାନ ସେକ୍ଟରର ପାକିସ୍ତାନ ସେନାର ୯ ସୈନିକ ନିହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.