ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ସଫଳତା, କରୋନା ପରୀକ୍ଷଣ ପାଇଁ ପ୍ରସ୍ତୁତ କଲେ ପେପର-ଷ୍ଟ୍ରିପ୍ କିଟ୍

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୫।୪: ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ସଫଳତା । କରୋନା ଭାଇରସ୍ ସଂକ୍ରମଣ ମୁକାବିଲା ଲାଗି ଶୀଘ୍ର ସ୍କ୍ରିନିଂ ପାଇଁ ଏକ ନୂତନ କିଟ୍ ପ୍ରସ୍ତୁତ କରିବାରେ ସଫଳତା ମିଳିଛି । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ସହ ଜଡିତ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଏମ୍ବେଡେଡ୍ ବାୟୋଲୋଜି (IGIB)ର ବୈଜ୍ଞାନିକମାନଙ୍କ ଦ୍ବାରା ଏକ ପେପର-ଷ୍ଟ୍ରିପ୍ ଆଧାରିତ ପରୀକ୍ଷା କିଟ୍ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ କମ୍ ସମୟରେ ସଂକ୍ରମଣ ଚିହ୍ନଟ କରାଯାଇପାରିବ ।

ଏକ ରିପୋର୍ଟ ଅନୁଯାୟୀ, IGIB ବୈଜ୍ଞାନିକ ଡକ୍ଟର ସୌଭିକ ମୈତି ଏବଂ ଡକ୍ଟର ଦେବଜ୍ୟୋତି ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଏକ ଦଳ ଦ୍ବାରା ବିକଶିତ ଏହି କିଟ୍ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ କରୋନା ଭାଇରସ୍ (SARS-COV-2) ର ଭାଇରାଲ୍ RNAକୁ ଚିହ୍ନଟ କରିପାରିବ । ବର୍ତ୍ତମାନର ପରୀକ୍ଷଣ ପଦ୍ଧତି ଅପେକ୍ଷା ପେପର-ଷ୍ଟ୍ରିପ୍ କିଟ୍ ବହୁତ ଶସ୍ତା ।

ଥରେ ଏହା ବିକଶିତ ଏବଂ ବ୍ୟାପକ ଭାବରେ ବ୍ୟବହୃତ ହେଲେ ଏହା କରୋନା ପରୀକ୍ଷଣରେ ସାହାଯ୍ୟ କରିବ । ଡକ୍ଟର ଦେବଜ୍ୟୋତି ଚକ୍ରବର୍ତ୍ତୀ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତିଠାରେ କରୋନାର ଜିନୋମିକ୍ ଅନୁକ୍ରମର ଚିହ୍ନଟ ପାଇଁ ପେପର-କିଟ୍ ରେ ଜିନ୍-ଏଡିଟିଂର ଅତ୍ୟାଧୁନିକ କୌଶଳ କ୍ରିସ୍ପର-କ୍ୟାସ୍-୯ ବ୍ୟବହୃତ ହୋଇଛି ।

ପରୀକ୍ଷଣ ଶେଷ ହେବା ପରେ ଏହାର ଉପଯୋଗ ପରୀକ୍ଷା ପାଇଁ କରାଯାଇପାରିବ । ଏହାର ବ୍ୟବହାର ହେବା ଦ୍ବାରା ପରୀକ୍ଷଣ ପାଇଁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ ହେବ । ବୈଜ୍ଞାନିକମାନେ ଏହି ଉପକରଣ ଉପରେ ଦୁଇ ବର୍ଷ ଧରି କାମ କରିଆସୁଛନ୍ତି । ଜାନୁଆରୀ ମାସ ଶେଷରେ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କୋଭିଡ-୧୯ ଚିହ୍ନଟ କରିବାରେ ଏହାର ବ୍ୟବହାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.