ଭୂମିକମ୍ପର ଭବିଷ୍ୟବାଣୀ କରିବ ଭାରତ ! ବିକଶିତ କରୁଛି କୋଏନା ପରୀକ୍ଷଣ ପଦ୍ଧତୀ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ :  ପାଣିପାଗ ଭଳି ଭୂମିକମ୍ପ ପୂର୍ବାନୁମାନ ମଧ୍ୟ ହୋଇପାରିବ। ଭାରତୀୟ ବୈଜ୍ଞାନିକମାନେ ଭୂମିକମ୍ପ ପୂର୍ବାନୁମାନ ଲାଗି ମହାରାଷ୍ଟ୍ରର କୋଏନା ରିଜିୟନରେ ଗବେଷଣା ଚଳାଇଛନ୍ତି। ଭୂ-ଗର୍ଭର ୫ରୁ ୭ କିଲୋମିଟର ମଧ୍ୟରେ ଉତ୍ପତି ହେଉଥିବା ଭୂମିକମ୍ପର ଅନୁଧ୍ୟାନ କରି ବଡ ଧରଣର ଭୂକମ୍ପ ପୂର୍ବାନୁମାନ ଲାଗି ବୈଜ୍ଞାନିକ ଗବେଷଣା କରୁଛନ୍ତି। 

୧୯୭୫ ମସିହାରେ ଚୀନ୍‌ ପ୍ରଥମ ଥର ଭୂମିକମ୍ପ ସଠିକ ପୂର୍ବାନୁମାନ କରିଥିଲା। ହେଲେ ତା ବର୍ଷକ ବାଦେ ହୋଇଥିବା ଭୀଷଣ ଭୂମିକମ୍ପର ସୂଚନା ମଧ୍ୟ ପାଇନଥିଲା। ସେବେଠାରୁ ଚୀନ୍‌ ଆଉ କେବେ ଭୂମିକମ୍ପ ସଠିକ ପୂର୍ବାନୁମାନର ଦାବି କରୁନାହିଁ। ଜାପାନ ଯଦିଓ ଭୂମିକମ୍ପର ସଠିକ ପୂର୍ବାନୁମାନ କରିପାରୁଛି ତାହା ମାତ୍ର କିଛି ମିନିଟ୍‌ ପୂର୍ବରୁ । ଏଥିରେ ଉଚ୍ଚା ଘରେ ରହୁଥିବା ଲୋକେ ବିଲ୍ଡିଂରୁ ଓହ୍ଲାଇ ମଧ୍ୟ ପାରିବେନି। ଏଣୁ ବିଶ୍ୱରେ ଭୂମିକମ୍ପର ପୂର୍ବାନୁମାନ ହୋଇ ପାରୁନଥିବା ବେଳେ ଭାରତୀୟ ଭୂ-ବୈଜ୍ଞାନିକମାନେ ଏ ଦିଗରେ ନିଜର ଉଦ୍ୟମ ଆରମ୍ଭ କରିଛନ୍ତି।

କୋଏନା ପଦ୍ଧତୀରେ ଛୋଟଛୋଟ ଭୂମିକମ୍ପ ସହ ଆସିବାକୁ ଥିବା ବଡବଡ କମ୍ପନର ମଧ୍ୟ ପୂର୍ବାନୁମାନ କରାଯାଇପାରିବ ବୋଲି ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନକେନ୍ଦ୍ରର ନିର୍ଦ୍ଦେଶକ ଡ. ବି.କେ. ସଂସଲ କହିଛନ୍ତି। ବଡବଡ ଭୂମିକମ୍ପ ସମ୍ପର୍କରେ ପୂର୍ବାନୁମାନ ଲାଗି ବଡ ବୋରୱେଲ କରାଯାଇ ତା ମଧ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତିର ସମ୍ପୂର୍ଣ୍ଣ ଶୃଙ୍ଖଳା ଭୂ-ଗର୍ଭକୁ ପଠାଯିବ ବୋଲି କହିଛନ୍ତି।

ଏବେ ଦେଶରେ ଭୂମିକମ୍ପ ସମ୍ପର୍କରେ ଏନସିଏସ୍ ୱେବ୍‌ସାଇଟ୍‌ ସୂଚନା  ଦେଉଛନ୍ତି। ଏହା ଛଡା ଆମେରିକୀୟ ଭୂ ଗର୍ଭୀୟ ଅନୁସନ୍ଧାନ ମଧ୍ୟ ଭୂମିକମ୍ପ ସମ୍ପର୍କିତ ସୂଚନା ପ୍ରଦାନ କରୁଛନ୍ତି। ତେବେ କୋଏନା ପରୀକ୍ଷଣ ପଦ୍ଧତୀ ବିକଶିତ ହେଲେ ପାଣିପାଗ ଭଳି ଭୂମିକମ୍ପ ସଠିକ ପୂର୍ବାନୁମାନ କରିବା ଆଗକୁ ସମ୍ଭବ ହେବ ବୋଲି ବୈଜ୍ଞାନିକ ଡ. ବଂସଲ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.