କରୋନାକୁ ମୁକାବିଲା କରିବ ରେଳବାଇ : ଟ୍ରେନ୍ କୋଚ୍‌ରେ ଆଇସୋଲେସନ୍ ଓ୍ବାର୍ଡ , ସପ୍ତାହକୁ ୧୦ ବଗିରେ ହେବ କରୋନା ଡାକ୍ତରଖାନା

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: ଭାରତୀୟ ରେଲୱେ କରିବ କରୋନା ମୁକାବିଲା। ଟ୍ରେନ ମାଧ୍ୟମରେ ହେବ କରୋନା ବିରୋଧୀ ଲଢ଼େଇ । ସାରା ଦେଶରେ ଏବେ ଲକ୍ ଡାଉନ୍ ଚାଲିଥିବା ବେଳେ ଟ୍ରେନ ବଗିକୁ ସରକାର କରୋନା ହସ୍ପିଟାଲ ତଥା ଆଇସୋଲେସନ ସେଣ୍ଟର କରିବାକୁ ନିଷ୍ପତି ନେଇଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଟ୍ରେନକୁ ଆଇସୋଲେସନ୍ ୱାର୍ଡରେ ରୂପାନ୍ତରିତ କରାଯାଇଛି । ଏହି ପଦ୍ଧତି ସଫଳ ହେଲେ ରେଲୱେ ପ୍ରତି ସପ୍ତାହରେ ପ୍ରତି ଜୋନରେ ୧୦ଟି ଲେଖାଏଁ କୋଚକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବ । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ସେହି ଅଞ୍ଚଳରେ ଟ୍ରେନ ଗୁଡ଼ିକୁ ସ୍ଥାନାନ୍ତର କରାଯାଇ ଲୋକଙ୍କୁ ସୁବିଧା ପ୍ରଦାନ କରାଯିବ । ଏନେଇ ନିଜେ ରେଳମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି । ରେଲୱେ ପକ୍ଷରୁ ଏନେଇ କାମ ମଧ୍ୟ ଆରମ୍ଭ ହୋଇଯାଇଛି ।

ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଅମିତାଭ ବଚ୍ଚନ ମଧ୍ୟ  ରେଳ ମନ୍ତ୍ରଣାଳକୁ  ଏହି ଉପାୟ ବତାଇଥିଲେ । ଏବେ ଦେଶରେ ପ୍ରାୟ ୧୩ ହଜାରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି । ଯାହାଫଳରେ ରେଳ ବଗିଗୁଡିକ ମଧ୍ୟ ସେପରି ଛିଡା ହୋଇଛି | ପ୍ରତ୍ୟେକ ବଗିରେ ୨୦ ଟି କୋଠରୀ ଅଛି ଯାହା ବ୍ୟବହାର କରାଯାଇପାରିବ। ଯାହା ଦ୍ବାରା ହଜାର ହଜାର ଲୋକଙ୍କୁ ସେହି ବଗିକୁ ବ୍ୟବହାର କରି ଚିକିତ୍ସା ଦିଆଯାଇ ପାରିବ। ସେହିପରି ଗତ ୪ ଦିନ ମଧ୍ୟରେ ୧.୬ ଲକ୍ଷ ଟ୍ରେନ ୱାଗନକୁ ବ୍ୟବହାର କରି ଦେଶର ବିଭିନ୍ନ ସ୍ଥାନକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.