ସୋମବାରଠୁ ଦେଶରେ ରେଳ ସେବା ଆରମ୍ଭ, ପ୍ରଥମ ଦିନରେ ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ, ଏହି ସବୁ ନିୟମ ପାଳନ ଜରୁରୀ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୦।୦୫: କରୋନା ସଂକ୍ରମଣ ପ୍ରତିରୋଧ ଲାଗି ପର୍ଯ୍ୟାୟକ୍ରମେ ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଫଳରେ ମାର୍ଚ୍ଚ ୨୫ରୁ ଦେଶରେ ଟ୍ରେନ୍ ସହିତ ସମସ୍ତ ପ୍ରକାରର ସାର୍ବଜନୀନ ଚଳାଚଳ ସେବା ବନ୍ଦ ରହିଥିଲା। ହେଲେ ମେ ୧୨ରେ ଦେଶର ପ୍ରମୁଖ ୧୫ଟି ଷ୍ଟେସନକୁ ୧୫ ଯୋଡା ଅର୍ଥାତ ୩୦ ସ୍ଵତନ୍ତ୍ର ରାଜଧାନୀ ଟ୍ରେନ୍ ଚଳାଚଳ କରିବା ପରେ ଜୁନ ୧ ଅର୍ଥାତ ଆସନ୍ତାକାଲିଠୁ ୨୦୦ ଟ୍ରେନ୍  ଚଳାଚଳ ଆରମ୍ଭ ହେଉଛି। ରେଳ ଯାତ୍ରୀଙ୍କ ଲାଗି କିଛି ଜରୁରୀ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରେଲଓ୍ଵେ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କୁ ଟ୍ରେନ୍‌ ଛାଡିବାର ୯୦ ମିନିଟ୍ ପୂର୍ବରୁ ରେଲଓ୍ଵେ ଷ୍ଟେସନରେ ପହଞ୍ଚିବାକୁ  ପଡିବ।  କେବଳ ସେହି ଯାତ୍ରୀଙ୍କୁ ଷ୍ଟେନସ୍‌ରେ ପ୍ରବେଶ ଅନୁମତି ମିଳିବ ଯାହାଙ୍କ ପାଖରେ  କନଫର୍ମ ପାସ୍ କିମ୍ବା ଟିକେଟ୍ ଥିବ।

ରେଲଓ୍ଵେ ନିୟମ ଅନୁଯାୟୀ ଷ୍ଟେସନ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ହେବ ଏବଂ ଯେଉଁ ଯାତ୍ରୀଙ୍କଠାରେ ହାଲୁକା କରୋନା ଲକ୍ଷଣ ମିଳିଲେ ଟ୍ରେନ୍‌ରେ ଯିବାକୁ ଅନୁମତି ମିଳିବ ନାହିଁ।

ଯାତ୍ରା ବେଳେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

୧ – ଯାତ୍ରା କରିବା ପୂର୍ବରୁ ଏବଂ ଓହ୍ଲାଇବା ପରେ ହାତ ସାନିଟାଇଜ୍‌ କରିବା ଜରୁରୀ।

୨ – କେବଳ ଟିକେଟ୍ କନଫର୍ମ ଏବଂ ବୈଧ ଟିକେଟ୍ ଥିବା ଯାତ୍ରୀଙ୍କୁ ହିଁ ରେଲଓ୍ଵେ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ।

୩ – ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବା ବାଧ୍ୟତାମୂଳକ।

୪ – କରୋନା ଲକ୍ଷଣ ନଥିବା ଯାତ୍ରୀ ହିଁ ଟ୍ରେନ୍‌ରେ ଯାତ୍ରା କରି ପାରିବେ। ଥର୍ମାଲ ସ୍କ୍ରିନିଂ ପରେ ସୁସ୍ଥ ଥିବା ଲୋକଙ୍କୁ ହିଁ ଟ୍ରେନରେ ଚଢିବାକୁ ଅନୁମତି ମିଳିବ।

୫ – ଯାତ୍ରାର ସବୁ ସମୟରେ ସାମାଜିକ ଦୂରତା ପାଳନ କରିବା ଜରୁରୀ।

୬ – ଯାତ୍ରୀଙ୍କ ଲାଗି ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବା ବାଧ୍ୟତାମୂଳକ।

ପ୍ରଥମ ଦିନରେ ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ

ରେଲଓ୍ଵେ କହିଛି ଜୁନ ୧ରୁ ଆରମ୍ଭ ହେଉଥିବା ୨୦୦ ଟ୍ରେନ୍‌ ଚଳାଚଳର ପ୍ରଥମ ଦିନରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ଏବେ ସୁଦ୍ଧା ଜୁନ ୧ ରୁ ଜୁନ ୩୦ ପର୍ଯ୍ୟନ୍ତ ୨୬ ଲକ୍ଷ ଯାତ୍ରୀ ଆଗୁଆ ସିଟ୍ ରିଜରଭେସନ କରି ସାରିଛନ୍ତି। ଆରମ୍ଭରେ ରିଜରଭେସନ୍‌ର ଅବଧି ୩୦ ଦିନ ଥିଲା। ଏହାକୁ ଏବେ ବଢାଇ ୧୨୦ ଦିନ କରାଯାଇଛି। ରେଲଓ୍ଵେର ନିର୍ଦ୍ଦେଶ ଅନୁଯାୟୀ କୌଣସି ବି ସାଧାରଣ ଟିକେଟ୍‌ ଜାରି କରାଯିବ ନାହିଁ। ରେଲଓ୍ଵେ ପୂର୍ବପରି ଆରଏସି ଓ ଓ୍ଵେଟିଂ ଟିକେଟ୍‌  ଜାରି କରିବ। ମାତ୍ର ଟ୍ରେନ୍‌ରେ କେବଳ କନଫର୍ମ ଟିକେଟ୍‌ ଥିବା ଯାତ୍ରୀ ଯାତ୍ରା କରି ପାରିବେ। ଏହି ଟ୍ରେନ୍‌ଗୁଡିକର ତତ୍କାଳ ଓ ପ୍ରିମିୟମ ତତ୍କାଳ ଟିକେଟ୍‌ ଜାରି କରାଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.