୧୯୫୮ ପରେ ସବୁଠୁ ଖରାପ ସମୟରେ ରେଳବାଇ, ଅନିଶ୍ଚିତତାରେ ପ୍ରକଳ୍ପ ଭବିଷ୍ୟତ, ୫୦% ନିଯୁକ୍ତି ଫ୍ରିଜ୍
31/12/2020 at 7:50 PM

ନୂଆଦିଲ୍ଲୀ ୩୧।୧୨: ସ୍ୱାଧୀନତାର ପରବର୍ତ୍ତିକାଳରେ ଭାରତୀୟ ରେଳ ଦେଶର ରାଜସ୍ୱ ଆୟ ନିମନ୍ତେ ଏକ ପ୍ରମୁଖ ସାଧନ ଥିଲା। ତେବେ ସଞ୍ଚାଳନ ବାବଦ ଖର୍ଚ୍ଚ ବୃଦ୍ଧି ୧୯୫୮ ମସିହାରେ ରେଳବାଇ ଆୟ ହ୍ରାସ କରିଥିଲା। ସ୍ୱାଧୀନତା ପୂର୍ବରୁ ରେଳ ଯାତ୍ରା ଲାଗି ଲୋକେ ଯେତେ କଟକଣା ମାନୁ ଥିଲେ ପରେ ସେସବୁକୁ ମାନିଲେନି। ଏପରିକି ଲୋକେ ବିନା ଟିକେଟ୍ରେ ରେଳ ଯାତ୍ରା କରିବାକୁ ଲାଗିଲେ। ଫଳରେ ରେଳବାଇ ରାଜସ୍ୱ ହ୍ରାସ ସହ ଦେଶର ଜୀବନରେଖା ହୋଇସାରିଥିବା ରେଳବାଇ ଭବିଷ୍ୟତ ଅନିଶ୍ଚିତତାକୁ ଠେଲି ହୋଇଯାଇଥିଲା।
ଦେଶକୁ କରୋନା ଆଗମନ ରେଳବାଇ ଲାଗି ପୁଣି ୧୯୫୮ ମସିହା ଭଳି ତାଗଡା ଝଟକା ସାବ୍ୟସ୍ତ ହୋଇଛି। ଏମିତିରେ ୨ ବର୍ଷ ପୂର୍ବରୁ ରେଳବାଇ କ୍ଷତିରେ ଚାଲୁଥିବା ସିଏଜିଙ୍କ ରିପୋର୍ଟରୁ ଜଣାପଡିଯାଇଥିଲେ ବି ମନ୍ତ୍ରାଳୟ ଏହାକୁ ଠେସୁ ଆସୁଥିଲେ। ହେଲେ ୨୫ ମାର୍ଚ୍ଚ ୨୦୨୦ କୋଭିଡ ଲକଡାଉନ ଭାରତୀୟ ରେଳଙ୍କୁ ନୂଆ କରି ଆରମ୍ଭ କରିବାକୁ ଏକ ସୁଯୋଗ ଦେଇଛି। ଏପର୍ଯ୍ୟନ୍ତ ଦେଶରେ ୧୦ ପ୍ରତିଶତ ରେଳଚଳାଚଳ ଠପ ଥିଲେବି ସେବା ଯୋଗାଇଦେଉଥିବା ଟ୍ରେନରୁ ରେଳବାଇ ପୂର୍ଣ୍ଣ ଆୟ କରୁଥିବା ଦାବି କରୁଛନ୍ତି।
ଦେଶରେ କରୋନା ପୂର୍ବରୁ ରେଳବାଇରେ ୧.୪୦ଲକ୍ଷହ ପଦବୀ ରିକ୍ତ ପଡିଥିଲା। ଏବେ କରୋନା ଯୋଗୁ ୫୦ ପ୍ରତିଶତ ନିଯୁକ୍ତି ଉପରେ ରୋକ ଲାଗିଯାଇଥିବା ବେଳେ ବଳକା ପଦବୀ ସଂକ୍ରାନ୍ତରେ ସମୀକ୍ଷା ପରେ ନିଷ୍ପତ୍ତି ହେବ ବୋଲି କୁହାଯାଇଛି। ତେବେ କ୍ଷତିରେ ଚାଲୁଥିବା ରେଳବାଇକୁ ଲାଭଜନକ କରିବା ଲାଗି ସରକାର ଦେଶରେ ସଞ୍ଚାଳିତ ହେଉଥିବା ୨ହଜାର ୮୦୦ ମେଲ ଟ୍ରେନରୁ ୧୫୧ଟିକୁ ବିକିବା ଲାଗି ନିଷ୍ପତ୍ତି ନେଇଥିଲେ। ୫ ପ୍ରତିଶତ ପ୍ରାଇଭେଟାଇଜେସନରେ ସରକାର ୧୫୧ ହାଇସ୍ପିଡ ଟ୍ରେନ ଚଳାଇବାକୁ ଯୋଜନା କରିଥିଲେ।
ଟ୍ରେନ ବିକ୍ରି ଲାଗି ଡିସେମ୍ବରରେ ଟେଣ୍ଡର ଆହ୍ୱାନ କରାଯାଇଥିଲା। ହେଲେ କରୋନା ଯୋଗୁ ଏହା ସମ୍ଭବ ହୋଇପାରିନାହିଁ। ତେବେ ଏ ନେଇ ସରକାରଙ୍କ ପରବର୍ତ୍ତି ପଦକ୍ଷେପ ନେଇ ମଧ୍ୟ କିଛି ସୂଚନା ମିଳୁ ନାହିଁ। ପେଣ୍ଡାମିକ ପରେ ରେଳବାଇ ମାଲଗାଡି ବୋଝେଇ ୯୮ ପ୍ରତିଶତ ହୋଇଥିବା ରେଳବାଇ ବୋର୍ଡ ଚେୟାରମ୍ୟାନ୍ କହିଛନ୍ତି। ଏହାବ୍ୟତୀତ ନୂଆ କିସମର ଲୋକମେଟିଭ ଓ ସର୍ବୋପରି କର୍ମଚାରୀଙ୍କ ପରିଶ୍ରମ ଆମକୁ କେବେବି ଅଫଲାଇନ୍ ହେବାକୁ ପଡିବନି ବୋଲି ସେ କହିଛନ୍ତି।
କରୋନାରେ ଟ୍ରେନ ଚଳାଚଳ ବ୍ୟହତ ହେବା କେବଳ ରେଳବାଇ ଲାଗି ବ୍ୟବସାୟୀକ କ୍ଷତିର କାରଣ ହୋଇନି, ସାଧାରଣ ଲୋକଙ୍କ ବଜେଟ୍କୁ ମଧ୍ୟ ପ୍ରଭାବିତ କରିଛି। କରୋନା ଲକଡାଉନରେ ରଦ୍ଦ ସବୁ ଟ୍ରେନ ଏପର୍ଯ୍ୟନ୍ତ ଚଳାଚଳ ଆରମ୍ଭ କରି ନାହିଁ। ଏଣୁ ଦୈନିକ ରେଳ ପାସ୍ରେ ଯାତ୍ରା କରୁଥିବା ହଜାର ହଜାର ଲୋକେ ଏବେ କାର୍ଯ୍ୟସ୍ଥଳକୁ ଯିବା ଲାଗି ନିଜ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି। ଏ ବାବଦେ ସେମାନଙ୍କ ବ୍ୟୟ ମଧ୍ୟ ବଢିଛି। ଏହା ଛଡା ଲୋକାଲ ଟ୍ରେନରେ ହୋଇ ପାରୁଥିବା ଛୋଟମୋଟ ମାଲ ପରିବହନ ବନ୍ଦ ହେବା ଯୋଗୁ ସ୍ଥାନୀୟ ବଜାରରେ ସାମଗ୍ରୀର ଅଭାବ ଅଥବା ଅତ୍ୟାଧିକ ମୂଲ୍ୟବୃଦ୍ଧିର କାରଣ ହୋଇଛି।
ସେହିପରି ଟ୍ରେନଯାତାୟାତ ଯୋଗୁ ପରୋକ୍ଷରେ ରୋଜଗାର ପାଇଥିବା ଲୋକଙ୍କ ଆୟ ମଧ୍ୟ ପ୍ରଭାବିତ ହୋଇଛି। ଷ୍ଟେସନକୁ ନିୟମିତ ଟ୍ରେନ ଆସୁଥିବାରୁ ଅଟୋରିକ୍ସା, ଟ୍ୟାକ୍ସି ଓ ଛୋଟମୋଟ କାରବାର କରୁଥିବା ଲୋକଙ୍କ ଆୟ ପ୍ରଭାବିତ ହୋଇଛି। ଯାହାର ଅନୁମାନ ବିହାର ଅରରିଆ ଜିଲ୍ଲା ଫରବିଶଗଞ୍ଜ ଷ୍ଟେସନରୁ ନିଆଯାଇପାରେ। ଏହା ଏକ ଛୋଟ ଷ୍ଟେସନ, ହେଲେବି ଦୈନିକ ୮ହଳ ଟ୍ରେନ ଏହି ଷ୍ଟେସନ ଦେଇ ଯାତାୟାତ ହେଉଥିଲେ। ଫଳରେ ଷ୍ଟେସନ ନିକଟରେ ବେଶ ଗହଳଚହଳ ହେଉଥିବା ବେଳେ ରେକ୍ସା ଓ ଶହେରୁ ଅଧିକ ଛୋଟମୋଟ ବ୍ୟାବସାୟୀ ଗୁଜୁରାଣ କରୁଥିଲେ। ଏବେ ଟ୍ରେନ ବନ୍ଦ ଯୋଗୁ ଷ୍ଟେସନ ସମ୍ମୁଖରୁ ସମସ୍ତେ ଉଭାନ ହୋଇଯାଇଛନ୍ତି।