Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶର ୧୦୯ରୁ ଅଧିକ ରେଳ ରୁଟ୍‌ରେ ଚାଲିବ ଘରୋଇ କମ୍ପାନୀଙ୍କ ଟ୍ରେନ୍, Tender ପ୍ରକ୍ରିୟା ଆରମ୍ଭ

1/07/2020 at 8:25 PM

ନୂଆଦିଲ୍ଲୀ ୧।୭: କେନ୍ଦ୍ରର ନରେନ୍ଦ୍ର ମେଦି ସରକାର ଭାରତୀୟ ରେଳକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରେଳବାଇଙ୍କ ପ୍ରାୟ ୧୦୯ଟି ରୁଟ୍‌ରେ ଘରୋଇ କମ୍ପାନୀମାନେ ଟ୍ରେନ ସଞ୍ଚାଳନ କରିବେ। ଏଥିନିମନ୍ତେ ଘରୋଇ ନିବେଶ ଲାଗି ପାତ୍ରତା ଅନୁରୋଧ (ଟେଣ୍ଡର) ଆମନ୍ତ୍ରଣ କରାଯାଇଛି।

ରେଳବାଇଙ୍କ ଅନୁସାରେ ଯାତ୍ରୀ ରେଳ ସଞ୍ଚାଳନ ଲାଗି ପ୍ରାୟ ୩୦ ହଜାର କୋଟି ଟଙ୍କାର ଆବଶ୍ୟକତା ପଡୁଛି। ଏଣୁ ଏହି ପ୍ରକଳ୍ପରେ ଘରୋଇ କମ୍ପାନୀଙ୍କୁ ଭାଗିଦାରୀ କରାଯିବ। ଏଥିଲାଗି ମନୋନୀତ କମ୍ପାନୀ ବାସ୍ତବିକ୍ ଖର୍ଚ୍ଚ ଅନୁସାରେ ବଗି ଓ ବିଦ୍ୟୁତ୍ ଶୁଳ୍କ ପୈଠ କରିବାକୁ ପଡିବ। ସେହିପରି ଯାତ୍ରୀ ରେଳ ସେବା ଲାଗି ମନୋନୀତ କମ୍ପାନୀ ଏଥିଲାଗି ଅର୍ଥର ବ୍ୟବସ୍ଥା, ନୂଆ ଟ୍ରେନ୍‌ କ୍ରୟ ଓ ସେ ସବୁର ରକ୍ଷଣାବେକ୍ଷଣା ବ୍ୟବସ୍ଥା ନିଜେ କରିବେ ବୋଲି ଟେଣ୍ଡରରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେବେ ଘରୋଇ କମ୍ପାନୀଙ୍କ ଟ୍ରେନର ଚାଳକ ଓ ଗାର୍ଡ ଭାରତୀୟ ରେଳବାଇଙ୍କର ହେବେ।

ସୂଚନା ଅନୁସାରେ ୧୨ଟି କ୍ଲଷ୍ଟରର ୧୦୯ଟି ମାର୍ଗରେ ଅପ୍‌ ଓ ଡାଉନ୍‌କୁ ମିସାଇ ମୋଟ ୨୧୮ଟି ଟ୍ରେନ୍‌ର ପରିଚାଳନା ଦାୟିତ୍ୱ ଘରୋଇ କମ୍ପାନୀଙ୍କୁ ମିଳିବ। ଏଥିଲାଗି କମ୍ପାନୀମାନଙ୍କୁ ୧୬ଟି ବଗି ଥିବା ଅନୁନ୍ୟ ୧୫୧ଟି ଆଧୁନିକ ଟ୍ରେନ୍‌ କ୍ରୟ କରିବାକୁ ପଡିବ। ଏଥିରେ ମେକ୍-ଇନ୍-ଇଣ୍ଡିଆ ସର୍ତ୍ତ ମଧ୍ୟ ରହିବ। ସରକାରଙ୍କ ଦ୍ୱାରା ଏହି ପଦକ୍ଷେପ ଦ୍ୱାରା ଦେଶରେ ୩୦ ହଜାର କୋଟି ଟଙ୍କାର ନିବେଶ ହେବ ବୋଲି ଆଶା କରାଯାଉଛି।ରେଳବାଇଙ୍କ ଆଇଆରସିଟିସି ପରିଚାଳିତ ବନ୍ଦେଭାରତ ଟ୍ରେନ୍‌ମାନଙ୍କର ସଫଳ ପରିଚାଳନା ପରେ ସରକାର ଯାତ୍ରୀବାହୀ ଟ୍ରେନର ପୂର୍ଣ୍ଣ ପରିଚାଳନାଭାର ଘରୋଇ କ୍ଷେତ୍ର ହାତକୁ ଟେକିଦେବାକୁ ନିଷ୍ପତ୍ତି ନେଇଛନ୍ତି।

   Related Posts