ନ୍ୟୁଜିଲାଣ୍ଡରେ ଇତିହାସ: ଭାରତୀୟ ବଂଶୋଦ୍ଭବ ସାଂସଦ ନେଲେ ସଂସ୍କୃତରେ ଶପଥ
25/11/2020 at 5:15 PM

ନୂଆଦିଲ୍ଲୀ ୨୫/୧୧: ନ୍ୟୁଜିଲାଣ୍ଡରେ ନବ ନିର୍ବାଚିତ ସାଂସଦ ଗୌରବ ଶର୍ମା ଏବେ ଚର୍ଚ୍ଚାରେ। ସାଂସଦ ପଦ ପାଇଁ ସଂସ୍କୃତରେ ଶପଥ ପାଠ କରି ଚର୍ଚ୍ଚାକୁ ଆସିଛନ୍ତି ଗୌରବ। ଭାରତୀୟ ବଂଶୋଦ୍ଭବ ଭାବେ ସେ ପ୍ରଥମ ଥର ସଂସ୍କୃତରେ ଶପଥ ପାଠ କରିଛନ୍ତି। କେବଳ ନ୍ୟୁଜିଲାଣ୍ଡ ନୁହେଁ ବିଶ୍ବର ଅନ୍ୟ କୌଣସି ଦେଶରେ କେହି ମୂଳ ଭାରତୀୟ ଏଭଳି କରିନଥିଲେ। ଯାହାକି ଏକ ରେକର୍ଡ।
ଶପଥ ସମାରୋହ ପରେ ଡକ୍ଟର ଗୌରବ ପୂରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରକୁ ଟାଣି ହୋଇଆସିଛନ୍ତି। ୩୩ ବର୍ଷୀୟ ଗୌରବ ହିମାଚଳ ପ୍ରଦେଶ ବାସିନ୍ଦା ବୋଲି ଜଣାପଡ଼ିଛି। ଗୌରବ ନ୍ୟୁଜିଲାଣ୍ଡର ହାମିଲଟନ୍ରେ ଲେବର ପାର୍ଟି ଟିକେଟ୍ରୁ ଜିତିଛନ୍ତି। ଶର୍ମାଙ୍କୁ ୧୫୮୭୩ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦିଙ୍କୁ ୧୧୪୮୭ ଭୋଟ ମିଳିଛି।

ଡ. ଗୌରବ ଶର୍ମାଙ୍କ ଜନ୍ମ ୧ ଜୁଲାଇ ୧୯୮୭ରେ ମଣ୍ଡି ଜିଲ୍ଲାର ସୁନ୍ଦରନଗରରେ ହୋଇଥିଲା। ଗୌରବ ହମୀରପୁର, ଧର୍ମଶାଳା, ଶିମଲା ଓ ନ୍ୟୁଜିଲାଣ୍ଡରେ ଶିକ୍ଷା ପ୍ରାପ୍ତ କରିଛନ୍ତି।