୩ ମାସ ହେଲା ବିମାନବନ୍ଦରରେ ଲୁଚିଥିଲେ ବ୍ୟକ୍ତି, ସତ ସାମ୍ନାକୁ ଆସିବା ପରେ ଚକିତ ହୋଇଗଲେ ଏୟାରପୋର୍ଟ କର୍ତ୍ତୃପକ୍ଷ
18/01/2021 at 8:39 PM

ନୂଆଦିଲ୍ଲୀ ୧୮/୦୧ : କାଲିଫର୍ଣ୍ଣିଆର ଜଣେ ଭାରତୀୟ ବଂଶୋଭବ, ଆଦିତ୍ୟ ସିଂହଙ୍କୁ ଗିରଫ କରିଛି ଚିକାଗୋ ପୋଲିସ । ଗିରଫ କରିବାର କାରଣ ମଧ୍ୟ ସେହିଭଳି ଆଶ୍ଚର୍ଯ୍ୟ କରିଲା ଭଳି । ଚିକାଗୋର ଓ’ ହାରେ ଆନ୍ତର୍ଜାତିକ ବିମାନବନ୍ଦର ପରିସରରେ ଜଣେ ବ୍ୟକ୍ତି ପ୍ରାୟ ୩ ମାସ ହେଲା ରହିଆସୁଥିଲେ । ଏହି ଖବର ଜଣାପଡିବା ପରେ ସେଠାରୁ ତାଙ୍କୁ ପୋଲିସ ଉଠାଇନେଇଥିଲା । ତେବେ ସେ ଦୀର୍ଘ ଦିନ ହେଲା କରୋନା ଭାଇରସ ଭୟରେ ସେଠାରେ ଲୁଚିରହିଥିବା ପୋଲିସକୁ କହିଥିଲେ ।
ଆଦିତ୍ୟ ସିଂହ ନାମକ ଏହି ଯୁବକଙ୍କୁ କର୍ମଚାରୀମାନେ ବିମାନବନ୍ଦରର ନିଷିଦ୍ଧାଞ୍ଚଳରେ ଠାବ କରିଥିଲେ । ସେଠାରୁ ତାଙ୍କୁ କାବୁ କରାଯିବା ପରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଥିବା ହେତୁ ମାମଲା ରୁଜୁ ହୋଇଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଆଦିତ୍ୟ ସିଂହ ନାମକ ଯୁବକ ଗତ ଅକ୍ଟୋବର ୧୯ରେ ଓ’ ହାରେ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଥିଲେ । ଏହା ପରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା କଥା ସେ ଏୟାରପୋର୍ଟର ସିକ୍ୟୁରିଟି ଜୋନ୍ରୁ ଲୁଚି ଦୀର୍ଘଦିନ ଧରି ସୁରକ୍ଷିତ ଭାବେ ରହିଆସୁଥିଲେ ।
ବିମାନବନ୍ଦରର ୨ ଜଣ କର୍ମଚାରୀ ତାଙ୍କୁ ଦେଖିବା ପରେ ପଚରାଉଚରା କରିଥିଲେ । ଏହା ସହ ତାଙ୍କର ପରିଚୟ ପତ୍ର ଦେଖାଇବା ପାଇଁ କହିବାରୁ, ସେ ଏୟାରପୋର୍ଟର ଏକ ବ୍ୟାଜ୍କୁ ଦେଖାଇଥିଲେ । ଏହି ଘଟଣାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା ।
ଆତିଥ୍ୟରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆଦିତ୍ୟ ସିଂଙ୍କର ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ଆସିଷ୍ଟାଣ୍ଟ ପବ୍ଲିକ ଡିଫେଣ୍ଡର କୋର୍ଟନି ସ୍ମଲଉଡ୍ କହିଛନ୍ତି ଯେ, ଆଦିତ୍ୟ ସିଂହ ଜଣେ ବେକାରୀ ଓ ସେ ଲସ୍ ଆଞ୍ଜେଲ୍ସର ଅଧିବାସୀ । ଏହା ପରେ ତାଙ୍କୁ ଜରିମାନା ଆକାରରେ ଏକ ହଜାର ଡଲାର ଦେବାକୁ କୁହାଯାଇଥିବା ବେଳେ ଉକ୍ତ ବିମାନବନ୍ଦରକୁ ତାଙ୍କୁ ସ୍ଥାୟୀଭାବେ ବାସନ୍ଦ କରାଯାଇଛି ।