ଭାରତ ବଂଶୋଦ୍ଭ‌ବ ସାମ୍ବାଦିକ ପାଇବେ ୧୦୫ତମ ‘ପୁଲିଜର’ ପୁରସ୍କାର

Published By : Prameya-News7 Bureau | June 12, 2021 IST

ନ୍ୟୁୟୋର୍କ : ସାମ୍ବାଦିକତା କ୍ଷେତ୍ରରେ ଆମେରିକା ପ୍ରଦାନ କରୁଥିବା ଶୀର୍ଷ ସମ୍ମାନ ‘ପୁଲିଜର’ ପୁରସ୍କାରରେ ଚଳିତବର୍ଷ ଭାରତୀୟ ବଂଶୋଦଭବ ସାମ୍ବାଦିକ ମେଘା ରାଜଗୋପାଲନ ସମ୍ବର୍ଦ୍ଧିତ ହେବେ। ଉପଗ୍ରହ ପ୍ରଯୁକ୍ତିର ଉପଯୋଗ କରି ଅନୁସନ୍ଧାନମୂଳକ ଅଭିନବ ରିପୋର୍ଟିଂ ନିମନ୍ତେ ମେଘାଙ୍କୁ ଏହି ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ଜ୍ଞାନକୌଶଳ ଉପଯୋଗ କରି ଚୀନର ଉଇଘୁର ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ  ନିର୍ଯ୍ୟାତନା ଶିବିରର ମେଘା ପର୍ଦ୍ଦାଫାସ କରିଛନ୍ତି। ଅନ୍ତର୍ଜାତୀୟ ରିପୋର୍ଟିଂ କ୍ୟାଟଗୋରୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ ଲାଗି ଶୁକ୍ରବାର ଘୋଷଣା କରାଯାଇଛି।  ଏହି ପୁରସ୍କାର ସମ୍ପର୍କରେ ସେ ଇଣ୍ଟରନେଟ ମିଡିଆ ‘ବଜ୍‌ ଫିଡ୍‌ ନ୍ୟୁଜ୍‌’ର ଦୁଇ ବନ୍ଧୁଙ୍କ ସହ ସେୟାର କରିଛନ୍ତି।

{"id":464994,"width":834,"height":545,"sizeSlug":"large","linkDestination":"none"}

ସେହିପରି ସ୍ଥାନୀୟ ରିପୋର୍ଟିଂ କ୍ୟାଟେଗୋରୀରେ ଅନ୍ୟ ଜଣେ ଭାରତବଂଶୀ  ସାମ୍ବାଦିକ ନିଲ ବେଦୀ ପୁଲିଜର ପୁରସ୍କାର ପାଇବେ। ତାଙ୍କର ଅନୁସନ୍ଧାନମୂଳକ ରିପୋର୍ଟିଂ ଲାଗି ସେ ଏହି ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନକୁ ମାନ୍ୟତା ନିମନ୍ତେ ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିଙ୍କ ଗ୍ରାଜୁଏଟ୍‌ ସ୍କୁଲ ଅଫ ଜର୍ଣ୍ଣାଲିଜିମ ବୋର୍ଡ ପକ୍ଷରୁ ପ୍ରଦାନ କରାଯାଉଥିବା ପୁରସ୍କାରର ଏହା ୧୦୫ତମ ସଂସ୍କରଣ  ଯେଉଁଥିରେ ଇଣ୍ଟରନେଟ୍ ଯୁଗରେ ସିଟିଜେନ ଜର୍ଣ୍ଣାଲିଜିମର ପ୍ରସାରକୁ ଚଳିତବାର ଗରୁତ୍ୱ ପ୍ରଦାନ କରାଯାଇଛି। 

ଗତବର୍ଷ ମିନିଆପୋଲିସ୍‌ରେ ହୋଇଥିବା ହାଜତ ମୃତ୍ୟୁର ସୁଟିଂ ପାଇଁ ସାହାସ ନିମନ୍ତେ ଅଣସାମ୍ବାଦିକ କିଶୋରୀ ଡାର୍ନେଲା ଫ୍ରାଜିୟରଙ୍କୁ ପୁଲିଜର ବିଶେଷ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ। ଫ୍ରାଜିୟର ତାଙ୍କ ସ୍ମାର୍ଟ ଫୋନରେ ଆଫ୍ରିକୀୟ ଆମେରିକୀୟ ଜର୍ଜ ଫ୍ଲଏଡଙ୍କ ପ୍ରତି ପୋଲିସ ବର୍ବରତାର ସୁଟିଂ କରିଥିଲେ। ଯେଉଁ ଭିଡିଓ କ୍ଲିପ୍‌ ପରେ ଭାଇରାଲ ହୋଇଯାଇଥିବା ବେଳେ ପୋଲିସ ବର୍ବରତା ବିରୋଧରେ ଆମେରିକାରେ ଦୀର୍ଘ ଦିନ ଧରି ଜନ ଆନ୍ଦୋଳନକୁ ଉସକାଇଥିଲା।

{"id":464996,"width":838,"height":687,"sizeSlug":"large","linkDestination":"none"}

କେବଳ ଆମେରିକା ନୁହେଁ ଡାର୍ନେଲାଙ୍କ ଭିଡିଓ ସାରା ବିଶ୍ୱରେ ପୋଲିସ ବର୍ବରତା ବିରୋଧରେ ଜନଆନ୍ଦୋଳ ଗଢି ତୋଳିବାରେ ସହାୟକ ମଧ୍ୟ ହୋଇଥିଲା। ସତ୍ୟ ଓ ନ୍ୟାୟ ଅନୁସନ୍ଧାନରେ  ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲାଗି ବୋର୍ଡ ଡାର୍ନେଲାଙ୍କୁ ସ୍ୱତନ୍ତ୍ର ପୁରସ୍କାର ନମନ୍ତେ ମନୋନୀତ କରିଛନ୍ତି। ତେବେ ମେଘା ରାଜଗୋପାଲନ ଓ ତାଙ୍କ ସହଯୋଗୀମାନେ ଚୀନ୍‌ର ଡିଟେନସନ ସେଣ୍ଟରମାନଙ୍କରେ ବନ୍ଦୀ ଲକ୍ଷଲକ୍ଷ ଉଇଘୁର ମୁସଲମାନଙ୍କ ସାକ୍ଷାତକାର ପୁଷ୍ଟି କରିବା ଲାଗି ଉପଗ୍ରହ ଇମେଜରୀ ଓ ୩ଡି ସିମୁଲେସନର ସହାୟତା ନେଇଥିଲେ। ଚୀନ୍‌ରେ ସେମାନେ ଚଳାଇଥିବା ଅପରେସନ ଜଣାପଡିଯିବା ପରେ ଚୀନ ସରକାର ମେଘାଙ୍କ କାମରେ ବାଧା ସୃଷ୍ଟି କରିଥିଲେ। ଏଣୁ ସେ ଚୀନ୍‌ରୁ କାଜାଖସ୍ତାନ ପଳାଇ ଯାଇ ସେଠାରେ ଆତ୍ମଗୋପନ କରିଥିବା ଉଇଘୁର ସମ୍ପ୍ରଦାୟର ଲୋକଙ୍କ ସାକ୍ଷାତକାର ସଂଗ୍ରହ କରିବା ସହ ରିପୋର୍ଟିଂ କରିଥିଲେ। ମେଘାଙ୍କ ଶୃଙ୍ଖଳା ଚୀନ୍‌ରେ ହେଉଥିବା ମାନବାଧିକାରର ଉଲ୍ଲଂଘନ ପ୍ରମାଣିତ କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.