ଜଳପଥରେ ଚୀନକୁ ଘେରିବାକୁ ପ୍ରସ୍ତୁତ ନୌସେନା, ଭାରତ ମହାସାଗରକୁ ପଠାଇଲା ଅତିରିକ୍ତ ଯୁଦ୍ଧ ଜାହାଜ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ, ୧୮|୦୬:  ଭାରତ ଓ ଚୀନୱ ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଭାରତୀୟ ନୌସେନା ଭାରତ ମହାସାଗରକୁ ଅତିରିକ୍ତ ଯୁଦ୍ଧ ଜାହାଜ ପଠାଇଛି । ଏହାକୁ ଭାରତ ମହାସାଗରରେ ମୁତୟନ କରାଯାଇଥିବା ସୂଚନା ମିଳିଛି । ଗଲଓ୍ୱାନୀ ଘାଟିରେ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଙ୍ଘର୍ଷ ପରେ ଭାରତ ଏହି ପଦକ୍ଷେପ ନେଇଛି ।

ସୂତ୍ରାନୁସାରେ, ଦେଶର ପୂର୍ବ ଓ ପଶ୍ୱିମ ଭାଗରେ ଥିବା ନୌସେନା ଜାହାଜକୁ ହାଇ ଆଲର୍ଟରେ ରଖାଯାଇଛି । ଫଳରେ କୌଣସି ପରିସ୍ଥିତିରେ ଜାହାଜ ସବୁ ଅପରେସନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇପାରିବେ । ସାଧାରଣଠୁ ଅଧିକମାତ୍ରାରେ ଜାହାଜକୁ ମୁତୟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତଙ୍କ ମଧ୍ୟରେ ବସିଥିବା ଉତ୍ତସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜେନେରାଲ ରାଓ୍ୱତ ତିନି ବାହିନୀର ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ତେବେ କେତୋଟି ଅତିରିକ୍ତ ଜାହାଜକୁ ମୁତୟନ କରାଯାଇଛି ସେନେଇ କୌଣସି ତଥ୍ୟ ମିଳିନାହିଁ । ଏପରିକି କେଉଁ କାରଣରୁ ଏହାକୁ ମୁତୟନ କରାଯାଇଛି ତାହା ମଧ୍ୟ ନୌସେନା ତରଫରୁ କୁହାଯାଇ ନାହିଁ । ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ପୂର୍ବରୁ ବାଲାକୋଟ ଷ୍ଟ୍ରାଇକ ପରେ ଭାରତ ଆରବ ସାଗରରେ ଏପରି ଜାହାଜ ମୁତୟନ କରିଥିଲା ।

ସୂଚନାଯୋଗ୍ୟ, ଗତ ସୋମବାର ରାତ୍ରରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ଚୀନ ମୃତାହତ ସଂଖ୍ୟା ବାବଦରେ କିଛି କହିନାହିଁ । କିନ୍ତୁ ସୂତ୍ରାନୁସାରେ ଚୀନର ୪୩ ସୈନିକ ପ୍ରାଣ ହରାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.