ସାମୁଦ୍ରିକ ବାତ୍ୟା 'ଫନି' ପାଇଁ ହାଇ ଆଲର୍ଟରେ ଭାରତୀୟ ନୌସେନା

Published By : Prameya-News7 Bureau | April 30, 2019 IST

ନୂଆଦିଲ୍ଲୀ ୩୦|୪: ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନି ଘନୀଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି । ଏହାର ମୁକାବିଲା ପାଇଁ ତଥା ଆବଶ୍ୟକୀୟ ସହାୟତା କରିବା ପାଇଁ ପୂର୍ବ ନୌସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି ।

ଚିକିତ୍ସା ସହାୟତା ସମେତ ଉଦ୍ଧାର କାର୍ଯ୍ୟ, ଲଜିଷ୍ଟିକ୍ସ, ମାନବୀୟ ସହାୟତା, ରିଲିଫ ଆଦି କାର୍ଯ୍ୟ ଲାଗି ସବୁଠାରୁ ଅଧିକ ପ୍ରଭାବିତ ଅଂଚଳକୁ ଯାତ୍ରା କରିବା ପାଇଁ ବିଶାଖାପାଟଣା ଏବଂ ଚେନ୍ନାଇଠାରେ ଦୁଇଟି ନୌସେନା ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଜାହାଜମାନଙ୍କରେ ଅତିରିକ୍ତ ବୁଡାଳୀ, ଡାକ୍ତର, ଭାସମାନ ରବର ବୋଟ୍ ଏବଂ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି । ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ, ତମ୍ବୁ, ଔଷଧ, କମ୍ବଳ ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି । ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ବାୟୁ ମାର୍ଗରୁ ରିଲିଫ ଖାଦ୍ୟ ପକାଇବା ଲାଗି ନୌସେନାର ବାୟୁଯାନ ତାମିଲନାଡୁର ଆରାକ୍କୋନମଠାରେ ନାଭାଲ ଏୟାର ଷ୍ଟେସନ ରାଜାଲି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଇଏନଏସ ଦେଗାରେ ପ୍ରସ୍ତୁତ ହୋଇ ରହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଝଡ ଉପରେ ଇଏନଏସ ତୀକ୍ଷ୍ନ ଭାବେ ନଜର ରଖିଛି ଏବଂ ତାମିଲନାଡୁ ଓ ପୁଡୁଚେରୀର ଫ୍ଲାଗ ଅଫିସର ଓ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଭାରପ୍ରାପ୍ତ ନୌସେନା ପଦାଧିକାରୀମାନେ ଆବଶ୍ୟକୀୟ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସଂପୃକ୍ତ ରାଜ୍ୟ ପ୍ରଶାସନ ସହିତ ନିୟମିତ ଭାବେ ଯୋଗାଯୋଗରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.