ମୃତ ପ୍ରେମିକାଙ୍କୁ କାର ଆଗ ସିଟରେ ବସାଇ ୪୫ ମିନିଟ ଯାଏଁ ସହର ସାରା ବୁଲିଲେ ଯୁବକ

Published By : Prameya-News7 Bureau | March 16, 2020 IST

ଦୁବାଇ ୧୬/୦୩ : ଦୁବାଇ କୋର୍ଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି | ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବକ ନିଜ ପ୍ରେମିକାଙ୍କୁ ହତ୍ୟା କରି କାରର ଆଗ ସିଟରେ ବସାଇ ୪୫ ମିନିଟ ଯାଏଁ ସହରର ବିଭିନ୍ନ ସ୍ଥାନରେ ବୁଲିଥିଲେ | ମୃତଦେହ ଧରି ସେ ଖାଇବା ନେବା ପାଇଁ ମଧ୍ୟ ଯାଇଥିଲେ | ଏହାପରେ ସେ ନିଜକୁ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ |

ଯୁବକ ଜଣକ ଭାରତୀୟ, ତାଙ୍କ ବୟସ ୨୭ ବର୍ଷ | ତାଙ୍କ ପ୍ରେମିକାଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା କଥା ଜାଣିବା ପରେ ସେ ଯୁବତୀଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଥିଲେ ଏବଂ ଏହାପରେ ଅଲ ମୁରକାବାଦ ଥାନାରେ ଆତ୍ମସମର୍ପଣ କରିଥିଲେ | ସୂଚନା ଅନୁଯାୟୀ, ସେ ଯେତେବେଳେ ଆତ୍ମସମର୍ପଣ କରିଥିଲେ ସେତେବେଳେ ଯୁବତୀଙ୍କ ମୃତଦେହ କାର ଆଗ ସିଟରେ ଥିଲା ଏବଂ କର ଥାନାର ପାର୍କିଙ୍ଗରେ ପାର୍କ କରାଯାଇଥିଲା |  

ଘଟଣା ଗତ ଜୁଲାଇ ମାସରେ ଘଟିଥିଲା | ନିଜକୁ ପୋଲିସ ପାଖରେ ଆତ୍ମସମର୍ପଣ କରିବା ପରେ ମାମଲା କୋର୍ଟକୁ ଯାଇଥିଲା | ଥାନାର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଅଭିଯୁକ୍ତ ଯୁବକ ଥାନାକୁ ଆସିଥିଲେ ସେତେବେଳେ ତାଙ୍କ ସାର୍ଟ ରକ୍ତରେ ଜୁଡୁବୁଡୁ ହୋଇଥିଲା ଏବଂ ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପୋଲିସ ପାଖକୁ ଆସି କହିଥିଲେ ଯେ ସେ ନିଜ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି | ତାଙ୍କ ମୃତଦେହ କାରରେ ଅଛି ବୋଲି ସେ ପୋଲିସକୁ କହିଥିଲେ | ପୋଲିସ କର ଭିତରୁ ଯୁବତୀଙ୍କ ମୃତଦେହ ସହ ରକ୍ତରେ ଜୁଡୁବୁଡୁ ଏକ ଛୁରୀ ମଧ୍ୟ ଜବତ କରିଥିଲା | 

ନିଜ ବୟାନରେ ଯୁବକ ଜଣକ କହିଛନ୍ତି ଯେ, ଗତ ୫ବର୍ଷ ହେଲା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା | କିନ୍ତୁ ଗତ କିଛି ଦିନ ପୂର୍ବରୁ ସେ ଜାଣିବାକୁ ପାଇଥିଲେ ଯେ, ଯୁବତୀ ତାଙ୍କୁ ଚିଟ କରି ଅନ୍ୟ ଜଣକ ସହ କଥାବାର୍ତା କରୁଛନ୍ତି | ତାଛଡା ସେ ଯୁବତୀଙ୍କ ଘରଲୋକଙ୍କୁ ଏକ ଇମେଲ ମଧ୍ୟ କରିଥିଲେ | ଯେଉଁଥିରେ ସେ ଲେଖିଥିଲେ ଯେ, ଯଦି ଏହି ସମସ୍ୟାର କୌଣସି ସମାଧାନ ନହୁଏ ତାହେଲେ ସେ ତାଙ୍କୁ ହତ୍ୟା କରିବେ |

ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଉଭୟ ଏକ ମଲ ବାହାରେ କାର ଭିତରେ ବସି କଥାବାର୍ତା କରୁଥିଲେ | ଉଭୟଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଏକ ଛୁରୀରେ ଯୁବତୀଙ୍କ ଗଳା କରିଦେଇଥିଲେ |  

ଏହାପରେ ଯୁବକ ଏକ ରେସ୍ତୋରାଁକୁ ଯାଇ ଖାଇବା ଅର୍ଡର କରିଥିଲେ ଏବଂ ଏକ ପାଣି ବୋତଲ ନେଇ ଆସିଥିଲେ | ଏହାପରେ ସେ ସହର ଭିତରେ ମୃତଦେହକୁ ଧରି ୪୫ ମିନିଟ ଯାଏଁ ବୁଲିଥିଲେ ଏବଂ ଶେଷରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ | ହତ୍ୟା ଦୋଷରେ ଯୁବକଙ୍କୁ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.