ସୀମାରେ ଶତ୍ରୁତା ଅଥଚ ଡ୍ରାଗନର ବ୍ୟବସାୟ ପ୍ରୀତି ଅଧିକ, ଭାରତରେ ନିବେଶ ପାଇଁ ଚୀନରୁ ଆସିଛି ୧୨ ହଜାର କୋଟି ଟଙ୍କା ନିବେଶର ୧୨୦ ପ୍ରସ୍ତାବ
23/12/2020 at 7:12 PM

ନୂଆଦିଲ୍ଲୀ ୨୩/୧୨: ପଡ଼ୋଶୀ ଚୀନ ବହୁରୂପି ଏଣ୍ଡୁଅ ଭଳି କେତେବେଳେ କେଉଁ ରଙ୍ଗ ଧାରଣ କରୁଛି ତାହା କାହାକୁ ଜଣାନାହିଁ। ପ୍ରଥମେ ମହାମାରୀ କରୋନା ଭାଇରସ୍ ସୃଷ୍ଟି କରି ବିଶ୍ବକୁ ବିପଦ ମୁହଁକୁ ଠେଲିବାକୁ ଚେଷ୍ଟା କରିଥିବା ଚୀନ ବିସ୍ତାରବାଦୀ ନୀତିକୁ ଜାବୁଡ଼ି ଧରିଛି। ପୁଣି କେତେବେଳେ ବନ୍ଧୁତା ଆଚରଣ କରି ପିଠି ପଛପଟେ ଷଡ଼ଯନ୍ତ୍ର ରଚୁଛି । ଭାରତ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଚୀନର କମ୍ପାନୀ କିନ୍ତୁ ଭାରତରେ ନିବେଶ କରିବାକୁ ଜୋରଦାର ପ୍ରୟାସ କରୁଥିବା ଜଣାପଡ଼ିଛି।
ଚୀନ ପାଖରୁ ଏପ୍ରିଲ ଠାରୁ ଏବେ ଯାଏଁ ୧୨ ହଜାର କୋଟିରୁ ଅଧିକ ଟଙ୍କାର ୧୨୦ରୁ ଉର୍ଦ୍ଧ୍ବ ଏଫଡିଆଇ( ବୈଦେଶିକ ନିବେଶ) ପ୍ରସ୍ତାବ ଭାରତ ପାଇଥିବା ସୂଚନା ମିଳିଛି। ଭାରତ ସରକାର ଏସବୁ ଏଫଡିଆଇ ପ୍ରସ୍ତାବ ପାଇଥିବା ଜଣାପଡ଼ିଛି। ତେବେ ଭାରତୀୟ ସୀମାକୁ ଲାଗିଥିବା ଦେଶର କମ୍ପାନୀ ଯେକୌଣସି ସେକ୍ଟରରେ ନିବେଶ କରିବା ବାଧ୍ୟତାମୂଳକ କରିବା ପରେ ଏହି ଏଫଡିଆଇ ପ୍ରସ୍ତାବ ଆସିଛି ବୋଲି ସୂଚନା ମିଳିଛି।
ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚୀନ କମ୍ପାନୀ ପକ୍ଷରୁ ଆସିଥିବା ପ୍ରସ୍ତାବ ଏବେ ଅନୁମୋଦନ ଅପେକ୍ଷାରେ। ସରକାର ଏ ସମସ୍ତ ପ୍ରସ୍ତାବକୁ ଯାଞ୍ଚ କରିଥିବା ବେଳେ ଏଥିରେ ଅଧିକାଂଶ ପ୍ରସ୍ତାବ ହେଉଛି ବ୍ରାଉନ୍ଫିଲ୍ଡ ପ୍ରୋଜେକ୍ଟ (ଭାରତରେ ପୂର୍ବରୁ ଥିବା କମ୍ପାନୀ)। ଚଳିତ ବର୍ଷ ଏପ୍ରିଲ୍ ମାସରେ ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ଓ ଇଣ୍ଟରନାଲ୍ ଟ୍ରେଡ୍ (ଡିପିଆଇଆଇଟି) ପ୍ରେସ୍ ନୋଟ୍ ଜାରି କରି କହିଥିଲା, ଯେଉଁ ଦେଶ ଭାରତୀୟ ସୀମାକୁ ଲାଗି ରହିଛି ତାର କମ୍ପାନୀ ବା ବ୍ୟକ୍ତି ଭାରତରେ ନିବେଶ କରିପାରିବେ। କିନ୍ତୁ ଏଥି ପାଇଁ ଭାରତ ସରକାରଙ୍କ ଅନୁମତି ନିହାତି ଆବଶ୍ୟକ ବୋଲି ଉଲ୍ଲେଖ ଥିଲା।
ପ୍ରେସ୍ ଟ୍ରଷ୍ଟ ଅଫ ଇଣ୍ଡିଆରେ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ‘ଆମକୁ ୧୨୦-୧୩୦ ଏଫଡିଆଇ ପ୍ରସ୍ତାବ ମିଳିଛି। ଯାହାର ମୂଲ୍ୟ ୧୨୦୦୦-୧୩୦୦୦ କୋଟି।’ ସୂଚନା ଅନୁସାରେ ୨୦୦୦ରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚୀନରୁ ଭାରତକୁ ମିଳିଛି ୨.୩୪ ବିଲିୟନ ଡଳାର (୧୫,୫୨୬ କୋଟି)ର ଏଫଡିଆଇ ପ୍ରସ୍ତାବ।