ୟୁଏଇରେ ଆଇପିଏଲ ଆୟୋଜନ ପାଇଁ ଲିଖିତ ମଞ୍ଜୁରୀ ଦେଲେ ମୋଦୀ ସରକାର, ଅଗଷ୍ଟ ୨୦ ପରେ ଦଳ ଯାତ୍ରା କରିବେ

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦।୦୮: ଭାରତୀୟ କ୍ରିକେଟ୍ ବୋର୍ଡକୁ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆୟୋଜନ ସଂଯୁକ୍ତ ଆରବ ଏମିରାଟ୍ସରେ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ମଞ୍ଜୁରୀ ମିଳି ଯାଇଛି। ଲିଗ୍‌ର ସଭାପତି ବୃଜେଶ ପଟେଲ ସୋମବାର ଏହାର ସୂଚନା ଦେଇଛନ୍ତି। ୟୁଜଏଇରେ ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଆଇପିଏଲର ୧୩ତମ ସଂସ୍କରଣ ଖେଳାଯିବ। ସରକାର ଗତ ସପ୍ତାହରେ ବିସିସିଆଇ ସୈଦ୍ଧାନ୍ତିକ ମଞ୍ଜୁରୀ ଦେଇଥିଲେ। ହେଲେ ଏବେ କେନ୍ଦ୍ର ସରକାର ଲିଖିତ ଭାବେ ବିସିସିଆଇକୁ ଆଇପିଏଲର ଆୟୋଜନ ୟୁଏଇରେ କରିବା ନେଇ ମଞ୍ଜୁରୀ ଦେଇଛନ୍ତି।

ବୃଜେଶ ପଟେଲ କହିଛନ୍ତି, ଆମକୁ ଲିଖିତ ମଞ୍ଜୁରୀ ମିଳିଛି। ଭାରତର କୌଣସି ବି କ୍ରୀଡା ସଂଗଠନ ଯେବେ ଘରୋଇ ଟୂର୍ଣ୍ଣାମେଣ୍ଟ ବିଦେଶରେ ଆୟୋଜନ କରାନ୍ତି ତେବେ ଗୃହ, ବୈଦେଶିକ ଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ନେବାକୁ ପଡିଥାଏ। ବୋର୍ଡର ଜୈନକ ଅଧିକାରୀ କହିଛନ୍ତି ସରକାରଙ୍କ ମଞ୍ଜୁରୀ ମିଳିବା ପରେ ୟୁଏଇ କ୍ରିକେଟ୍‌ ବୋର୍ଡକୁ ଏହାର ସୂଚନା ଦେଇଥିଲୁ। ଏବେ ଆନୁଷ୍ଠାନିକ ଭାବେ ଲିଖିତ ମଞ୍ଜୁରୀ ମିଳି ଯାଇଛି। ଏବେ ପ୍ରତି ଫ୍ରାଞ୍ଚାଇଜି ଟିମ୍‌କୁ ଏହାର ସୂଚନା ଦିଆଯିବ।

ଅଗଷ୍ଟ ୨୦ ପରେ ୟୁଏଇ ଯାତ୍ରା କରିବେ ଟିମ୍

ଉଲ୍ଲେଖନୀୟ ଅଧିକାଂଶ ଆଇପିଏଲ ଦଳ ଅଗଷ୍ଟ ୨୦ ପରେ ୟୁଏଇ ଯାତ୍ରା କରିବେ। ଯାତ୍ରା କରିବା ପୂର୍ବର ୨୪ ଘଣ୍ଟା ଭିତରେ ପ୍ରତି ସଦସ୍ୟଙ୍କୁ ଦୁଇ ଥର କରୋନା ପରୀକ୍ଷଣ କରାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ଅଗଷ୍ଟ ୨୨ରେ ୟୁଏଇ ଯାତ୍ରା କରିବ। ଏଥିପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ଛୋଟ ଶିବିର ଲଗାଯିବ।

ଆଇପିଏଲ ୨୦୨୦ର ପ୍ରାୟୋଜକ କିଏ ?

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ମହାମାରୀ ସମୟରେ ବିସିସିଆଇ ଓ ଆଇପିଏଲ ପ୍ରଶାସନ କ୍ରମାଗତ ଚଳିତ ସଂସ୍କରଣର ପ୍ରାୟୋଜକ ସନ୍ଧାନରେ ରହିଛି। ଭିଭୋ ସହିତ ବିସିସିଆଇର ୪୪୦ କୋଟି ଟଙ୍କାର ଚୁକ୍ତିନାମା ଥିଲା। କିନ୍ତୁ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ଗଲଓ୍ଵାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ କାରଣରୁ ଚୀନୀ ସାମଗ୍ରୀ ଓ କମ୍ପାନୀର ବହିଷ୍କାର ଦାବି ମଧ୍ୟରେ ବିସିସିଆଇକୁ ଭିଭୋ ସହିତ ଚୁକ୍ତିକୁ ବାତିଲ୍ କରିବାକୁ  ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.