ଭାରତ ସୀମାକୁ ପଶି ଚାଷୀକୁ ମାଡ ମାରି ଘୋଷାଡ଼ି ନେବାପାଇଁ ଉଦ୍ୟମ କରୁଥିଲା ପାକିସ୍ତାନୀ ଯୁବକ, ହାତରେ ଥିଲା ବନ୍ଧୁକ

Published By : Prameya-News7 Bureau | April 17, 2019 IST

ଚଣ୍ଡୀଗଡ଼ ୧୭/୪ : ଭାରତୀୟ ସୀମାରେ ପ୍ରବେଶ କରି ଜଣେ ଚାଷୀଙ୍କୁ ମାଡ ମାରିଛି ଜଣେ ପାକିସ୍ତାନୀ | ମାଡ ମାରିବା ସହ ଭାରତୀୟ ଚାଷୀଙ୍କୁ ଘୋଷାଡ଼ି ନେବା ପାଇଁ ଚେଷ୍ଟା କରୁଥିଲା ପାକିସ୍ତାନୀ ଯୁବକ | ଘଟଣା ପଞ୍ଜାବ ପଠାନକୋଟ ଅନ୍ତର୍ଗତ କଷବା ଖୁଦେଇପୁର ଗାଁରେ ଘଟିଛି | ଜଣେ ଚାଷୀ ନିଜ ବିଲରେ କାମ କରୁଥିଲେ | ଏତିକିବେଳେ ସୀମା ପାରି କରି ଜଣେ ପାକିସ୍ତାନୀ ଯୁବକ ଗାଁକୁ ଆସିଥିଲା ଏବଂ ଚାଷୀଙ୍କୁ ଘୋଷାଡ଼ି ନେବାକୁ ଚେଷ୍ଟା କରିଥିଲା | ଚାଷୀ ଜଣକ ଜୀବନ ବିକଳରେ ପାଟି କରିଥିଲେ | ଚାଷୀଙ୍କ ପାଟି ଶୁଣି ଆଖପାଖ ବିଲରେ କାମ କରୁଥିବା ଲୋକେ ଦୌଡ଼ି ଆସିଥିଲେ | ଲୋକଙ୍କୁ ଦେଖି ଅଭିଯୁକ୍ତ ପାକିସ୍ତାନ ଆଡକୁ ଦୌଡ଼ି ପଳାଇଥିଲା | ଅଭିଯୁକ୍ତର ଆଉ ୩ଜଣ ସହଯୋଗୀ ଥିଲେ ଏବଂ ତାଙ୍କ ହାତରେ ଅସ୍ତ୍ର ଥିଲା | ମାରପିଟ କରିବାପରେ ୪ଜଣ ପାକିସ୍ତାନୀ ରେଞ୍ଜର ଆଡକୁ ଚାଲିଯାଇଥିଲେ | ଏହାସବୁ ପାକିସ୍ତାନୀ ରେଞ୍ଜରଙ୍କ କାରନାମା ବୋଲି ଆଶଙ୍କା କରାଯାଉଛି |

ଚାଷୀ ସୁଖବିର ସିଂ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି | ତାଙ୍କ ଅଂଚଳରେ ଏହା ପ୍ରଥମ ଘଟଣା ବୋଲି ସେ କହିଛନ୍ତି | ଘଟଣା ପରେ ଗ୍ରାମବାସୀ ପାକିସ୍ତାନ ବିରୋଧରେ ନାରା ବାଜି କରିଥିଲେ | ଗାଁର ସରପଂଚ ରଣଜିତ ସିଂ କହିଛନ୍ତି ଯେ, ସୀମା ନିକଟବର୍ତ୍ତୀ ନାଳକୁ ପାରି କରି ଯେତେବେଳେ ଚାଷୀମାନେ ନିଜ ଚାଷ ଜମି ଯାଆନ୍ତି, ସେତେବେଳେ ସୁରକ୍ଷାକର୍ମୀ ତାଙ୍କ ସହିତ ନ ଥାଆନ୍ତି | ସେଥିପାଇଁ ଏହିଭଳି ଘଟଣା ଘଟିଛି | ସୁଖବିର ସିଂଙ୍କ ଅଭିଯୋଗ ପରେ ଥାନା ଅଧିକାରୀ ଘଟଣାସ୍ଥଳକୁ ତଦନ୍ତ କରିଛନ୍ତି | ତଦନ୍ତ ପରେ ମାମଲା ବିଏସଏଫକୁ ହସ୍ତାନ୍ତର କରିଦିଆଯିବ ବୋଲି ସେ କହିଛନ୍ତି |

{"id":104261}


ସୁଖବିର ସିଂ ସକାଳେ ଅନ୍ତର୍ଜାତୀୟ ସୀମାରେ ୯ ନମ୍ବର ଗେଟ ଦେଇ କଣ୍ଟା ଯୁକ୍ତ ତାର ପାରିକରି ନିଜ ଚାଷୀ ଜମିରେ ପଶୁଙ୍କୁ ଚାରା ଦେବା ପାଇଁ ଯାଇଥିଲେ | ପାଖାପାଖି ସାଢେ ୧୦ଟା ବେଳେ ଚାରା କାଟୁଥିବା ବେଳେ ଅଚାନକ ଜଣେ ଯୁବକ ଆସି ତାଙ୍କୁ ମାଡ ମାରିବା ଆରମ୍ଭ କରିଥିଲା | ମାସ ମାରି ସେ ସୁଖବିରଙ୍କୁ ପାକିସ୍ତାନ ଆଡକୁ ନେଇଯିବା ପାଇଁ ଉଦ୍ୟମ କରୁଥିଲା |


ସେତେବେଳେ ସୁଖବିରଙ୍କ ନଜର ଅଚାନକ ପାକିସ୍ତାନ ସୀମାରେ ଛିଡା ହୋଇଥିବା ୩ଜଣ ଯୁବକଙ୍କ ଉପରେ ପଡିଥିଲା | ସେମାନେ ସିଭିଲ ଡ୍ରେସ ପିନ୍ଧିଥିଲେ ଏବଂ ତାଙ୍କ ହାତରେ ରାଇଫଲ ଥିଲା | ଏହା ଦେଖି ସୁଖବିର ସିଂ ସାହାଯ୍ୟ ପାଇଁ ପାଟି କରିଥିଲେ | ତାଙ୍କ ପାଟି ଶୁଣି ପାଖରେ ଚାଷ ଜମିରେ କାମ କରୁଥିବା ଚାଷୀ ଦୌଡ଼ି ଆସିଥିଲେ | ଫଳରେ ଅଭିଯୁକ୍ତ ଜଣକ ସୁଖବିରଙ୍କୁ ଧକ୍କା ଦେଇ ସୀମା ପାରିକରି ଚାଲିଯାଇଥିଲା | ସୁଖବିର କହିଛନ୍ତି ଯେ, ଯେଉଁ ଜାଗାରେ ସେ ଚାରା କାଟୁଥିଲେ ସେହି ଜାଗା ପାକିସ୍ତାନ ସୀମାରୁ ପାଖାପାଖି ୫୦୦ ମିଟର ଦୂରରେ ଥିଲା | ସୁଖବିରଙ୍କ ଚାଷ ଜମି ଜଲାଲିୟା ନାଳ ଅରପରି ଅଛି | ଏହି ନାଳ ଭାରତ ସୀମାରେ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.