ଚୀନକୁ ମିଳିବ ଆହୁରି ଦୃଢ ଜବାବ, ଭାରତ ଆରମ୍ଭ କଲା ପ୍ରୋଜେକ୍ଟ 'ଚିତା’

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା  ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ହୋଇ ସାରିଛି। ଏହା ପରେ ବି ଚୀନ ପ୍ରତିଟି ବୁଝାମଣାକୁ ଅଣଦେଖା କରି ଚାଲିଛି। ଚୀନ ସେନାର ବାରମ୍ବାର ଉସୁକାଇବା ପରି ଗତିବିଧିକୁ ଦୃଢ ଜବାବ ଦେବାକୁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତି ଜାରି ରଖିଛି। ଭାରତୀୟ ସଶସ୍ତ୍ର ବଳ ନିଜର ହେରାନ ଡ୍ରୋନକୁ ଗାଇଡେଡ୍ ବମ ଓ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ପରି କ୍ଷମତାରେ ସଜ୍ଜିତ କରିବାକୁ ଯୋଜନା କରୁଛି। ଏଥିରେ ଏଲଏସି ପାର ଶତ୍ରୁର ଦୁଃସାହାସକୁ ଜବାବ ଦିଆଯାଇ ପାରିବ।

ଇସ୍ରାଏଲର ହେରାନ ଡ୍ରୋନର ଉପଯୋଗ ବର୍ତ୍ତମାନ ଭାରତର ତିନି ସେନା କରୁଛନ୍ତି। ଏବେ ନୂତନ ଭାବେ ସଶସ୍ତ୍ର ବଳ 'ପ୍ରୋଜେକ୍ଟ ଚିତା' ନାମକ ପ୍ରସ୍ତାବ ଉପରେ କାମ କରିବା ଆରମ୍ଭ କରି ଦେଇଛି। ଏହି ପ୍ରସ୍ତାବ ଦୀର୍ଘ ଦିନ ଧରି ଶୀତଳ ଭଣ୍ଡାରରେ ପଡି ରହିଥିଲା। ଏହି ପ୍ରୋଜେକ୍ଟରେ ଆନୁମାନିକ ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ସୂତ୍ର ଅନୁଯାୟୀ ଏହି ପ୍ରୋଜେକ୍ଟ ଆଧାରରେ ତିନି ସେନାର ପ୍ରାୟ ୯୦ ହେରାନ ଡ୍ରୋନକୁ ଲେଜର ଗାଇଡେଡ୍ ବମ, ଆକାଶରୁ ଭୂପୃଷ୍ଠରେ ଓ ଆକାଶରୁ ଆକାଶରେ ନିକ୍ଷେପ କରି ପାରୁଥିବା ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ରେ ସଜ୍ଜିତ କରି ଅପଗ୍ରେଡ କରାଯାଇ ପାରିବ।

ଏହି ପ୍ରୋଜେକ୍ଟରେ ସଶସ୍ତ୍ର ବଳ ଡ୍ରୋନଗୁଡିକର ନୀରିକ୍ଷଣ ଶକ୍ତି ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଭାରତୀୟ ବଳକୁ ଶତ୍ରୁର ଅବସ୍ଥିତି ଏବଂ ଗତିବିଧି ବିଷୟରେ ଜାଣିବାରେ ସହାୟକ ହୋଇ ପାରିବ।  ଏପରିକି ଡ୍ରୋନରେ ସଜ୍ଜିତ ଅସ୍ତ୍ର ଶସ୍ତ୍ର ଆବଶ୍ୟକ ପଡିଲେ ଶତ୍ରୁକୁ ଧ୍ଵଂସ ମଧ୍ୟ କରି ପାରିବ। ଭାରତରେ ମଧ୍ୟ ଉଚ୍ଚତା ବିଶିଷ୍ଟ ଓ ଦୀର୍ଘଗାମୀ ଡ୍ରୋନ କିମ୍ବା ମାନବବିହୀନ ଏରିୟଲ ହ୍ଵିକିଲ ଗ୍ରୁପରେ ମୁଖ୍ୟତଃ ଇସ୍ରାଏଲି ହେରାନ ଡ୍ରୋନ ଓ ଉପକରଣ ସାମିଲ।

ହେରାନ ଡ୍ରୋନ ଲଗାତାର ୩୦ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରି ପାରିବ। ଏହି ଡ୍ରୋନ ଆକାଶରୁ ଶତ୍ରୁ ଶିବିରକୁ ଚିହ୍ନଟ କରିପାରେ ଏବଂ ଏହାକୁ ନିଶାଣ କରି ଧ୍ଵଂସ ମଧ୍ୟ କରିପାରେ। ଏହି ଡ୍ରୋନ କୌଣସି ବି ପାଣିପାଗରେ ଉଡି ପାରିବ। ଏହା ସହିତ ୪୫୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଏକ ଟନ ଓଜନ ସହିତ ଉଡି ପାରିବ।

ଏହାକୁ ଉଡାଇବା ପାଇଁ କୌଣସି ପାଇଲଟଙ୍କ ଆବଶ୍ୟକତା ନାହିଁ। ଏହାକୁ ନିୟନ୍ତ୍ରଣ କକ୍ଷରେ ବସି ସଞ୍ଚାଳନ କରାଯାଇ ପାରିବ। ଏହି ଡ୍ରୋନ ଘଣ୍ଟା ପ୍ରତି ୩୭୦ କିମି ଗତିରେ ଉଡି ପାରିବ। ଏଥିରୁ ଅନୁମାନ କରି ପାରିବେ ଯେ ଏହି ଡ୍ରୋନ ଭାରତ ଆସିଲେ ଆମ ସୁରକ୍ଷା ବଳଙ୍କ ମନୋବଳ ଆହୁରି କେତେ ଉଚ୍ଚ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.