ବଢିଲା ଭାରତର ଚିନ୍ତା, କରୋନା ମାମଲାରେ ଚୀନକୁ ଟପିଲା

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ ୧୫।୦୫: ଭାରତ କରୋନା ସଂକ୍ରମିତ ମାମଲାରେ ଚୀନକୁ ଟପି ଯାଇଛି। ସଦ୍ୟତମ ସୂଚନା ମୁତାବକ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୮୩,୦୭୨ରେ ପହଞ୍ଚିଥିବା ବେଳେ ଚୀନରେ ମୋଟ୍ ସଂକ୍ରମିତ ସଂଖ୍ୟା ୮୨,୯୩୩ ରହିଛି। ସମଗ୍ର ଦୁନିଆରେ କରୋନା ତଥ୍ୟ ଉପରେ ନଜର ରଖୁଥିବା ଓ୍ଵେବ୍‌ସାଇଟ୍‌ worldometers.info ଅନୁଯାୟୀ ଚୀନରେ ଶୁକ୍ରବାର କେବଳ ୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭାରତରେ ରାତି ଆଠଟା ସୁଦ୍ଧା ୧୦୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତ କରୋନା ସଂକ୍ରମଣର ଅଲୋଡା ମାମଲାରେ ଚୀନକୁ ଅତିକ୍ରମ କରିଛି।

ସମଗ୍ର ଦୁନିଆରେ ହାହାକାର ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ଚୀନର ଉହାନରୁ ବ୍ୟାପିଥିଲା। ଦେଖୁ ଦେଖୁ ଏହା ଲକ୍ଷାଧିକ ଲୋକଙ୍କୁ ନିଜ କବଳକୁ ନେଇଥିଲା। ମାତ୍ର ଆଜି ଚୀନ କରୋନାର ସର୍ବାଧିକ ମାମଲାରେ ଶୀର୍ଷ ୧୦ରୁ ବାହାରି ଆସିଛି। ଏହି ତାଲିକାରେ ଏବେ ଭାରତ ୧୧ ତମ ଓ ଚୀନ ୧୨ତମ ସ୍ଥାନରେ ରହିଛି। ଅନ୍ୟ ଦେଶଗୁଡିକରେ ଯେଉଁ ଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ଚୀନ ଶୀଘ୍ର ଆହୁରି ତଳକୁ ଖସି ଯିବ।

{"id":270556,"sizeSlug":"large"}

ମୃତ୍ୟୁ ମାମଲାରେ ଚୀନ ଆଗରେ

ଚୀନରେ କରୋନା ସଂକ୍ରମିତ ସଂଖ୍ୟାରେ ବହୁତ  ହ୍ରାସ ଘଟିଛି। ସେଠାରେ ଏବେ ଦିନକୁ ଗୋଟିଏ କି ଦୁଇଟି କେସ୍‌ ସାମ୍ନାକୁ ଆସୁଛି। ଅନ୍ୟପଟେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା  ହୁ ହୁ ହୋଇ ବଢି ଚାଲିଛି। ମହାମାରୀ କରୋନାରେ ଚୀନରେ ୪୬୩୩ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଭାରତରେ ମୃତକଙ୍କ ସଂଖ୍ୟା ୨୬୬୨ ରହିଛି।

ଶୀର୍ଷ ୧୦ରେ ସାମିଲ ଏହି ଦେଶ

ଆମେରିକା, ସ୍ପେନ୍, ରୁଷ, ବ୍ରିଟେନ୍, ଇଟାଲୀ, ବ୍ରାଜିଲ, ଫ୍ରାନ୍ସ, ତୁର୍କୀ ଓ ଇରାନ ଶୀର୍ଷ ୧୦ରେ ଏହି ଅଲୋଡା ତାଲିକାରେ ରହିଛନ୍ତି। ମହାମାରୀ କରୋନା ଭୂତାଣୁରେ ସବୁଠୁ ଅଧିକ ଭୟଙ୍କର ସ୍ଥିତି ଆମେରିକାରେ ରହିଛି। ବିଶ୍ଵର ସବୁଠୁ ଶକ୍ତିଶାଳୀ ଏହି ଦେଶରେ ୧୪ ଲକ୍ଷ ୬୦ ହଜାରରୁ ଅଧିକ କରୋନା କବଳରେ ଅଛନ୍ତି ଓ ୮୭ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.