ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ଖେଳାଳି ଜାଡେଜା-ଇଶାନ୍ତ ଶର୍ମାଙ୍କ ମଧ୍ୟରେ ତୁ ତୁ ମେ ମେକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | December 20, 2018 IST

ପର୍ଥ ୨୦|୧୨: ପର୍ଥ ଟେଷ୍ଟରେଲଢୁଆ ଖେଳର ପ୍ରଦର୍ଶନ କରି ଭାରତକୁ ୧୪୬ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏଥିସହିତ ସିରିଜରେ ପ୍ରତ୍ୟାବର୍ତ୍ତନ କରି ସ୍ଥିତିକୁ ୧-୧ରେ ବରାବର କରିଛି। ଗୋଟିଏ ପଟେ ଅଷ୍ଟ୍ରେଲିଆ ମ୍ୟାଚରେ ସବୁ ଘରକୁ ଟିକ୍ ମାରିବାରେ ସଫଳ ହୋଇଥିବାବେଳେ ଏକାଧିକ ବିବାଦରେ ଛନ୍ଦି ହୋଇଥିଲା ଟିମ୍ ଇଣ୍ଡିଆ। ତେବେ କ୍ରିକେଟ ପ୍ରେମୀ ସମାପ୍ତ ହୋଇଥିବା ପର୍ଥ ଟେଷ୍ଟକୁ କେବଳ ଦୁଇ ଅଧିନାୟକ କୋହଲି-ପେନ୍ ମଧ୍ୟରେ କଥା କଟାକଟି ପାଇଁ ମନେ ରଖିବେନି ପଡିଆର ଦୁଇ ଭାରତୀୟ ଖେଳାଳି ରବିନ୍ଦ୍ର ଜାଡେଜା-ଇଶାନ୍ତ ଶର୍ମାଙ୍କ ମଧ୍ୟରେ ତୁ ତୁ ମେ ମେ ପାଇଁ  ମଧ୍ୟ ମନେ ରଖିବେ।

ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ସବୁ ବିଭାଗରେ ଚିତ୍ କରି ମ୍ୟାଚକୁ ହାତେଇଥିଲା ଅଷ୍ଟ୍ରେଲିଆ। ଉଭୟ ପାଳିରେ ଭାରତୀୟ ବ୍ୟାଟସମ୍ୟାନଙ୍କ  ଦୟନୀୟ ପ୍ରଦର୍ଶନ ପାଇଁ ଭାରତ ମ୍ୟାଚକୁ ୧୪୬ରେ ହାରି ଯାଇଥିଲା।ତେବେ ଅନେକ କାରଣରୁ ବେଶ୍ ଚର୍ଚ୍ଚାରେ ରହିଥିଲା ପର୍ଥ ଟେଷ୍ଟ । ପ୍ରଥମ ଇନିଂସରେ ବିବାଦୀୟ ଭାବେ ବିରାଟ କୋହଲି ଆଉଟ  ହେବା, ଦୁଇ ଦଳର ଅଧିନାୟକ ବିରାଟ କୋହଲି-ଟିମ୍ ପେନ ମଧ୍ୟରେ ଯୁକ୍ତି ତର୍କ ହେବା । ତେବେ ଏସବୁକୁ ବଳି ଯାଇଥିଲା ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ମଇଦାନ ଭିତରେ କଥା କଟାକଟି। ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ବଦଳ ଖେଳାଳି ଭାବେ ଫିଲ୍ଡଂ କରୁଥିବା ରବିନ୍ଦ୍ର ଜାଡେଜା-ଇଶାନ୍ତ ଶର୍ମାଙ୍କ ମଧ୍ୟରେ ମଇଦାନରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ। ତେବେ ବିବାଦର କାରଣ ଫିଲ୍ଡ ପ୍ଲେସମେଣ୍ଟକୁ ନେଇ ହୋଇଥିବା କୁହାଯାଉଛି ।  ଏହି ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ମହମ୍ମଦ ସାମିଙ୍କ ବୋଲିଂରେ ଅଷ୍ଟ୍ରେଲୀୟ ସ୍ପିନର ନାଥାନ ଲିୟନ ଆହତ ହୋଇଥିଲେ। ସାମିଙ୍କ ଓଭରର ଚତୁର୍ଥ ବଲ ନାଥାନଙ୍କ ହେଲମେଟରେ ବାଜିଥିଲା। ଏହି ସମୟରେ ସେ ପଡିଆରେ କିଛି ଡାକ୍ତରୀ ସେବା ନେଉଥିଲେ। ଏହି ସମୟରେ ରବିନ୍ଦ୍ର ଜାଡେଜା-ଇଶାନ୍ତ ଶର୍ମାଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ତେବେ କୁଲଦିପ ଯାଦବ ଓ ମହମ୍ମଦ ସାମି ହସ୍ତକ୍ଷେପ କରିଥିଲେ। ଜାଡେଜା ଓ ଇଶାନ୍ତଙ୍କୁ ଅଲଗା କରିବାରୁ ବିବାଦ ଥମିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.