କାଲିଫର୍ଣ୍ଣିଆ ୟୋସେମାଇଟ୍ ନ୍ୟାସନାଲ ପାର୍କର ୮୦୦ ଫୁଟ୍ ଉଚ୍ଚରୁ ଖସି ଭାରତୀୟ ଦମ୍ପତ୍ତିଙ୍କ ମୃତ୍ୟୁ

Published By : Prameya-News7 Bureau | October 30, 2018 IST

ନ୍ୟୁୟର୍କ ୩୦|୧୦: କାଲିଫର୍ଣ୍ଣିଆ ସ୍ଥିତ ୟୋସେମାଇଟ୍ ନ୍ୟାସନାଲ ପାର୍କରେ ୮୦୦ଫୁଟ୍ ଉଚ୍ଚରୁ ଖସିପଡି ଭାରତୀୟ ବଂଶଦ୍ଭୋବ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଉଭୟଙ୍କ ମୃତଦେହ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ୟୋସେମାଇଟ ନ୍ୟାସନାଲ ପାର୍କର ଟାଫ୍ଟ ଫଏଣ୍ଟ ପର୍ବତମାଳ ତଳୁ ମିଳିଛି । ଏହି ମୃତ ଦମ୍ପତ୍ତି ହେଲେ ୨୯ ବର୍ଷୀୟ ବିଷ୍ଣୁ ବିଶ୍ବନାଥ ଏବଂ ତାଙ୍କ ପତ୍ନୀ ୩୦ ବର୍ଷୀୟ ମିନାକ୍ଷୀ ମୂର୍ତ୍ତି । ସେନ୍ ଫ୍ରାନସିସକୋ କ୍ରୋନିକଲ ଅନୁସାରେ ବିଷ୍ଣୁ ଏବଂ ମୀନାକ୍ଷୀଙ୍କ ମୃତଦେହ ସୋମବାର ଦିନ ମିଳିଥିଲା। ତାଙ୍କର ପରିଚୟ ମଧ୍ୟ ସେହିଦିନ ମିଳିଥିଲା । ପର୍ଯ୍ୟଟକମାନେ ମୃତଦେହ ଦେଖି ପାର୍କର ଅଫିସରଙ୍କୁ ସୂଚନା ଦେଇଥିଲେ । ନ୍ୟାସନାଲ ପାର୍କର ମୁଖପାତ୍ର ଜେମି ରିଚାର୍ଡସଙ୍କ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଜଣାପଡିନାହିଁ ଯେ ସେମାନେ କେଉଁ କାରଣରୁ ଟାଫ୍ଟ ପଏଣ୍ଟ ତଳକୁ ଖସିପଡିଛନ୍ତି । ସେତେବେଳେ କଣ ଘଟିଥିଲା ସେ ସମ୍ବନ୍ଧରେ ଜଣିବାକୁ ଉଦ୍ୟମ ଚାଲିଛି । ଏହା ଏକ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି ।କେଉଁ ପରିସ୍ଥିତିରେ ଦମ୍ପତ୍ତି ଟାଫ୍ଟ ପଏଣ୍ଟରୁ ତଳକୁ ଖସି ପଡିଲେ, ସେ ସମୟରେ କଣ ଘଟିଥିଲା ସେ ନେଇ ଯାଞ୍ଚ ମଧ୍ୟ ଚାଲିଛି । ୟୋସମାଇଟ୍ ନ୍ୟାସନାଲ ପାର୍କ ବିଶ୍ବବ୍ୟାପୀ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ । ଏଠାକୁ ବୁଲିବାକୁ ଆସୁଥିବା ସାରା ବିଶ୍ବର ପର୍ଯ୍ୟଟକ ଏଭଳି ସୁଯୋଗକୁ ସ୍ମରଣୀୟ କରିବା ପାଇଁ ଟାଫ୍ଟ ପଏଣ୍ଟରେ ଫଟୋ ଉଠାଇଥାନ୍ତି । ଟାଫ୍ଟ ପଏଣ୍ଟ ତଳେ ଗଭୀର ଖାଇ ଅଛି । ଫଳରେ ବିଷ୍ଣୁ ଏବଂ ମୀନୀକ୍ଷାଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ପାର୍କର ରେଞ୍ଜରମାନଙ୍କୁ ବହୁତ କସରତ କରିବାକୁ ପଡିଥିଲା । ଏଥିପାଇଁ କାଲିଫର୍ଣ୍ଣିଆ ହାଇଓ୍ବେ ପାଟ୍ରୋଲିଂର ହେଲିକପ୍ଟର ମଧ୍ୟ ମଗାଯାଇଥିଲା । ବିଷ୍ଣୁ ଏବଂ ମୀନାକ୍ଷୀଙ୍କର ୨୦୧୪ମସିହାରେ ବିବାହ ହୋଇଥିଲା । ବିଷ୍ଣୁ ଏବଂ ମୀନାକ୍ଷୀ ୨୦୦୬-୧୦ରେ ଚେଙ୍ଗାନୁରରେ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିଥିଲେ । ଦୁଇ ଜଣ ସଫ୍ଟଓ୍ବେୟର ଇଂଜିନିୟର ଥିଲେ । ସେମାନେ ସାନ୍ ଫ୍ରାନସିସକୋରେ ରହୁଥିଲେ । ବିଷ୍ଣୁ ସେନ୍ ଜୋସ୍ ରେ ସିସ୍କୋ କଂପାନୀରେ ସିଷ୍ଟମ ଇଂଜିନିୟର ଥିଲେ । ଦୁହିଂଙ୍କ ଆଡଭେଞ୍ଜରରେ ସଉକ ଥିଲା । ଆଡଭେଞ୍ଜର ଟ୍ରାଭେଲ ଉଭୟଙ୍କ ହବି ଥିଲା । ବିଷ୍ଣୁ ବୁଲିଥିବା ସମସ୍ତ ସ୍ଥାନ ବିଷୟରେ ବ୍ଲଗ୍ ‘ହଲିଡେ ଆଣ୍ଡ୍ ହାପିଲି ଏଭର ଆଫ୍ଟର’ରେ ଲେଖୁଥିଲେ । ବିଷ୍ଣୁ କୋଲୋରାଡୋର ଗ୍ରାଣ୍ଡ କେନୟନର ଶିଖରରେ ଉଠାଇଥିବା ଫଟୋକୁ ନିଜ ଫେସବୁକ୍ ପେଜ୍ ର କଭର ଫଟୋ ରଖିଥିଲେ । ଉଭୟ ବହୁ ପ୍ରତିଭା ସମ୍ପନ୍ନ । ଦୁହେଁ ସବୁବେଳେ ଖୁସି ରହୁଥିଲେ ବୋଲି ତାଙ୍କର ଜଣେ ବନ୍ଧୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.