୩୪ କୋଟି ଯାତ୍ରୀ, ୩୩ ଲକ୍ଷ ଟନ୍‌ ମାଲ୍‌ ପରିବହନ: ବିଶ୍ବରେ ତୃତୀୟ ସ୍ଥାନରେ ଭାରତର ଆଭିଏସନ୍‌ ସେକ୍ଟର

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨: କରୋନା ମହାମାରୀ କାୟାବିସ୍ତାର କରିବା ପୂର୍ବରୁ ଭାରତୀୟ ବେସାମରିକ ଚଳାଚଳ ସେକ୍ଟର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଇଣ୍ଡଷ୍ଟ୍ରି ଥିଲା। କରୋନା କାଳରେ ଅନ୍ୟ ଦେଶ ଭଳି ଭାରତରେ ସିଭିଲ୍‌ ଆଭିଏସନ୍‌ ସେକ୍ଟର ଠପ ହୋଇଛି। କିନ୍ତୁ ଭାରତରେ ବେସାମରିକ ବିମାନ ଚଳାଚଳ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହି ମାମଲାରେ ଏବେ ଦେଶ ତୃତୀୟ ସ୍ଥାନରେ ପହଞ୍ଚିଛି। ଏପରିକି ୨୦୨୪ ସୁଦ୍ଧା ବ୍ରିଟେନ୍‌କୁ ପଛରେ ପକାଇ ଯାତ୍ରୀ ମାମଲାରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବିଶ୍ବରେ ତୃତୀୟ ସ୍ଥାନ ଅଧିକାର କରିବ ବୋଲି ଅନୁମାନ କରାଯାଉଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଭାରତରେ ପାସେଞ୍ଜର ଟ୍ରାଫିକ୍‌ ୩୪.୧୦ କୋଟି ରହିଛି। ପୂର୍ବ ୪ ବର୍ଷରେ ଏହା ୧୧.୧୩ ପ୍ରତିଶତ ଚକ୍ରବର୍ତ୍ତି ହାରରେ ବୃଦ୍ଧି ପାଇଥିଲା। ଏହି ସମୟରେ ଘରୋଇ ଯାତ୍ରୀ ଟ୍ରାଫିକ୍‌ ୨୭.୪୫ କୋଟି ଥିଲା ବେଳେ ଏହା ବାର୍ଷିକ ୧୨.୯୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଭାରତରେ ଅନ୍ତର୍ଜାତୀୟ ପାସେଞ୍ଜର ଟ୍ରାଫିକ୍‌ ୬.୬୫ କୋଟି ଥିଲା।

ଅନ୍ୟପଟେ ମାଲ ପରିବହନ ମାମଲା​‌ରେ ଭାରତୀୟ ବେସାମରିକ ବିମାନ ଚଳାଚଳ ସେକ୍ଟର ଦ୍ରୁତ ଗତିରେ ଅଭିବୃଦ୍ଧି ଦିଗରେ ବଢ଼ୁଛି। ୪ ବର୍ଷ ହେଲା ୫.୩୨ ପ୍ରତିଶତ ହାରରେ ବୃଦ୍ଧି ଘଟି ୨୦୧୯-୨୦ରେ ୩୩ ଲକ୍ଷ ଟନ୍‌ରେ ପହଞ୍ଚିଛି। ଲଗାତର ଏୟାର ଟ୍ରାଫିକ୍‌ ବଢ଼ାଇବା ପାଇଁ ଭାରତ ସରକାର ଚେଷ୍ଟା କରୁଛନ୍ତି। ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଦେଶରେ ମୋଟ ୧୦୩ ଏୟାରପୋର୍ଟ କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୩୯-୪୦ ବେଳକୁ ଏହା ବଢ଼ି ୨୦୦ କରାଯିବ ବୋଲି ଯୋଜନା ରହିଛି।

ଏହା ସହ ୨୦୨୭ ବେଳକୁ ବିମାନ ସଂଖ୍ୟା ୧୧୦୦ କରାଯିବ। ଏବେ ସବୁଠୁ ଅଧିକ ୨୫୦ ବିମାନ ଇଣ୍ଡିଗୋ ପାଖରେ ରହିଥିବା ବେଳେ କରୋନା ପୂର୍ବରୁ ଅର୍ଥାତ ଜାନୁଆରୀରେ ଏହି ଏୟାରଲାଇନ୍ସ ୧୫୦୦ ଉଡ଼ାଣ ଭରିଥିଲା। ସେପଟେ ୨୦୩୮ ସୁଦ୍ଧା ଭାରତରେ ପାଖାପଖି ୨୪୦୦ କମର୍ସିଆଲ୍‌ ପ୍ଲେନର ଆବଶ୍ୟକତା ପଡ଼ିବ ବୋଲି ଅନୁମାନ କରାଯାଉଛି।

ଆଇସିଆରଏର ଏକ ରିପୋର୍ଟ ଅନୁସାରେ କରୋନା କାଳରେ ୨୫ ମେରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଭାରତୀୟ ଆଭିଏସନ୍‌ ଇଣ୍ଡଷ୍ଟ୍ରିର କାରବାର ୭୩ ପ୍ରତିଶତ କମ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୨୧ ହଜାର କୋଟି ଟଙ୍କା ଘାଟା ହୋଇଥିଲା। ସେପଟେ ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ଇଣ୍ଡଷ୍ଟ୍ରି ପାଇଁ ଋଣ ବଢ଼ି ୫୦ ହଜାର କୋଟି ହୋଇପାରେ ବୋଲି କୁହାଯାଉଥିବା ବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ସିଭିଲ୍‌ ଆଭିଏସନ୍‌ ଇଣ୍ଡଷ୍ଟ୍ରିକୁ ୩୫ ହଜାର କୋଟିର ଫଣ୍ଡର ଆବଶ୍ୟକତା ହେବ ବୋଲି ଆଇସିଆରଏ ପକ୍ଷରୁ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.