ଯୁଦ୍ଧ ବେଳେ ଆହୁରି ମଜବୁତ ହେବ ଭାରତୀୟ ସେନା, ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଲେ ମୋଦୀ ସରକାର

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩।୧୨: ଚୀନ ସହିତ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ୧୫ ଦିନର ଘମାଘୋଟ୍ ଲଢେଇକୁ ଦୃଷ୍ଟିରେ ରଖି ଭାରତୀୟ ସୁରକ୍ଷାବଳଙ୍କୁ ଯୁଦ୍ଧାସ୍ତ୍ର ଓ ଗୋଳାବାରୁଦ ମହଜୁଦ ରଖିବାକୁ କୁହାଯାଇଛି। ସୁରକ୍ଷାବଳଙ୍କୁ କୁହାଯାଇଛି ଯେ, ଯବାନ ୧୫ ଦିନର ବଡ ଧରଣର ଲଢେଇ ପାଇଁ ସମସ୍ତ ଜରୁରୀ ଅସ୍ତ୍ର ଶସ୍ତ୍ର ଓ ଜରୁରୀ ଉପକରଣ ଜମା କରନ୍ତୁ। ଏଥିପାଇଁ ମୋଟ୍ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହାର ସୂଚନା ଦେଇଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ, ଗୋଳାବାରୁଦ ମହଜୁଦ କରିବାର ଆଦେଶ କିଛି ସମୟ ପୂର୍ବରୁ ନିଆଯାଇଛି। ସେନା ବର୍ତ୍ତମାନ ୧୫ ଦିନର ବଡଧରଣର ଯୁଦ୍ଧ ହିସାବରେ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ଉଭୟ ଚୀନ ଓ ପାକିସ୍ତାନ ସହ ଜାରି ଉତ୍ତେଜନାପୂର୍ଣ୍ଣ ମାହୋଲକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ସମୟସୀମା ୧୦ ଦିନ ରଖାଯାଇଥିଲା। ପୂର୍ବେ ନୀତି ନିର୍ଦ୍ଧାରଣ ୪୦ ଦିନିଆ ଯୁଦ୍ଧକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କରିବାକୁ କହିଥିଲେ। ପରେ ଏହାକୁ ୧୦ ଦିନକୁ ହ୍ରାସ କରିଥିଲେ।

ଉରି ଆକ୍ରମଣ ପରେ ଏହି ୧୦ ଦିନିକିଆ ପ୍ରସ୍ତୁତି କମ ହେବ ବୋଲି ଅନୁଭବ କରାଯାଇଥିଲା। ଏଥିପାଇଁ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ତିନି ସେନାକୁ ଆର୍ଥିକ ପ୍ୟାକେଜ୍‌ ଭାବେ ୧୦୦ କୋଟିରୁ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ଏଥିସହ ତିନି ସେନାକୁ ୩୦୦ କୋଟି ଟଙ୍କାର ଅତିରିକ୍ତ ଫଣ୍ଡ ଦିଆଯାଇଥିଲା। ଏହି ଟଙ୍କା ଜରୁରୀ ଯୁଦ୍ଧାସ୍ତ୍ର କ୍ରୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନେକ ଗୋଳାବାରୁଦ, ମିସାଇଲ ସିଷ୍ଟମ ଓ ଅନ୍ୟ ଜରୁରୀ ଉପକରଣ କ୍ରୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.