ମାନବିକତାର ବଡ଼ ଉଦାହରଣ ରଖିଲେ ଭାରତୀୟ ଯବାନ: ସିକ୍କିମର ‘ଜିରୋ ଡିଗ୍ରି’ରେ ରାସ୍ତା ଭୁଲିଥିବା ୩ ଚୀନ ନାଗରିକଙ୍କ ଜୀବନ ବଞ୍ଚାଇଲେ
5/09/2020 at 2:54 PM

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ପୁଣି ଥରେ ମାନବିକତା ଦେଖାଇଛି ଭାରତୀୟ ସେନା । ଉତ୍ତର ସିକ୍କିମରେ ଚୀନ ନାଗରିକଙ୍କୁ ଅସୁବିଧାରେ ଦେଖି ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସେନା । ଜଣେ ମହିଳା ନାଗରିକଙ୍କ ସମେତ ମୋଟ ୩ ଚୀନ ନାଗରିକ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରି’ ତାପମାତ୍ରା ଯୋଗୁଁ ଫସି ରହିଥିଲେ।
ପାଖାପାଖି ୧୭,୫୦୦ ଫୁଟ ଉଚ୍ଚରେ ଉତ୍ତର ସିକ୍କିମ୍ର ପଠାର କ୍ଷେତ୍ରରେ ୩ ଚୀନ ନାଗରିକ ରାସ୍ତା ଭୁଲି ଯାଇଥିଲେ। ଠିକ୍ ସେତେବେଳେ ଦେବଦୂତ ସାଜି ସହାୟତାର ହାତ ବଢ଼ାଇଥିଲେ ଭାରତୀୟ ଯବାନ।
ଚୀନ ନାଗରିକ ବୋଲି ଜାଣିବା ପରେ ମଧ୍ୟ ଭାରତୀୟ ସେନା ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଯାଇଥିଲା । ଜିରୋ ଡିଗ୍ରି ତାପାମତ୍ରାଠୁ କମ୍ ତାପମାତ୍ରା ଥିବା ଏହି ସ୍ଥାନରେ ଚୀନର ଜଣେ ମହିଳାଙ୍କ ସମେତ ଦୁଇ ପୁରୁଷ ନାଗରିକଙ୍କ ଜୀବନ ବଞ୍ଚାଇ ଥିଲା ଭାରତୀୟ ସେନା।
କେବଳ ସେତିକି ନୁହେଁ ଚୀନକୁ ଫେରିଯିବା ପାଇଁ ସେମାନଙ୍କୁ ଉଚିତ ମାର୍ଗ ଦେଖାଇବା ସହ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ସହାୟତା କରିଥିଲେ ଭାରତୀୟ ଯବାନ। ଭାରତୀୟ ଯବାନଙ୍କ ଏଭଳି ନିସ୍ବାର୍ଥପର ସାହାଯ୍ୟ ପାଇଁ ୩ ଚୀନ ନାଗରିକ ସେନାକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।