ଭାରତୀୟ ସେନାର କଡ଼ା ଜବାବ, ୧୦ ପାକିସ୍ତାନୀ ସୈନ୍ୟ ପୋଷ୍ଟ୍ ଧ୍ୱଂସ, ପାକ୍ ଯବାନ ନିହତ

Published By : Prameya-News7 Bureau | June 11, 2020 IST

ଶ୍ରୀନଗର, ୧୧|୦୬:  ଲଗାତାର ଭାବେ ପାକିସ୍ତାନର ଅସ୍ତ୍ରବିରତି ଉଲଙ୍ଘନର କଡ଼ା ଜବାବ ଦେଇଛି ଭାରତ । ବାରମ୍ବାର ଆତଙ୍କବାଦୀଙ୍କୁ ଘଣ୍ଟ ଘୋଡାଇ ରଖିଥିବା ପାକ୍ ସେନା ଓ ଅନୁପ୍ରବେଶ ଉଦ୍ୟମ କରି ଭାରତୀୟ ସୀମାରେ ଗୁଳିଗୋଳା ବର୍ଷଣର ଜବାବ ଦେଇଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ମନକୋଟ ସେକ୍ଟରରେ ପାକ୍ ସେନା ଗୁରୁବାର ସନ୍ଧ୍ୟାରେ ମଧ୍ୟ ଅସ୍ତ୍ରବିରତି ଉଲଙ୍ଘନ କରିଥିଲା । ଭାରତର ପ୍ରତି ଜବାବରେ ପାକିସ୍ତାନର ୮ରୁ ୧୦ ସୈନ୍ୟ ପୋଷ୍ଟ ଧ୍ୱଂସ ହେବା ସହ ବ୍ୟାପକ କ୍ଷତି ହୋଇଛି । ଏପରିକି ପାକିସ୍ତାନୀ କମାଣ୍ଡୋ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ଧରି କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପାକ୍ ତରଫରୁ ବାରମ୍ବାର ଗୁଳିଗୋଳା ମାଡ ହେଉଥିଲା । ଏପରିକି ଆତଙ୍କବାଦୀମାନେ ମଧ୍ୟ ଅନୁପ୍ରବେଶ କରୁଥିଲେ । ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷ ସୁରକ୍ଷା ବଳ ୧୦୧  ଆତଙ୍କବାଦୀକୁ ନିପାତ କରି ସାରିଛନ୍ତି। ଏବେ ଦକ୍ଷିଣ କାଶ୍ମୀରରେ ଆହୁରି ୧୨୫ ଆତଙ୍କବାଦୀଙ୍କୁ ମାରିବା ଲାଗି ସେନା ଯୋଜନା ପ୍ରସ୍ତୁତ କରିଛି। ଏଥିରେ ୨୫ ବିଦେଶୀ ଆତଙ୍କବାଦୀ ମଧ୍ୟ ସାମିଲ। ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି।

ସେନାର ୧୫ତମ କୋରର ନେତୃତ୍ଵ ନେଉଥିବା ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ ଅବନ୍ତିପୁରାରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସଂପ୍ରତି ଘାଟିରେ କେତେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା କେତେ ରହିଛି ତାହା କହିବା କଠିନ। କିନ୍ତୁ ସୁରକ୍ଷାବଳ ଦକ୍ଷିଣ କାଶ୍ମୀରରେ ୧୦୦ ସ୍ଥାନୀୟ ଏବଂ ପ୍ରାୟ ୨୫ ବିଦେଶୀ ଆତଙ୍କବାଦୀଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛି।

ପୋଲିସ ଅଧିକାରୀଙ୍କ ଅନୁଯାୟୀ ଚଳିତ ବର୍ଷ ପ୍ରାରମ୍ଭରୁ ଏ ଯାଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରେ ମୋଟ୍ ୧୦୧ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ମାତ୍ର ସୁରକ୍ଷାବଳଙ୍କୁ ଆତଙ୍କବାଦ ବିରୋଧୀ ଅଭିଯାନରେ ଶାନ୍ତି କାଏମ ପାଇଁ ନିଜର ବହୁମୂଲ୍ୟ ଦେବାକୁ ପଡିଛି। ଆତଙ୍କବାଦୀଙ୍କ ସହ ଏହି ଲଢେଇରେ  ଚଳିତ ବର୍ଷ  ଅଦ୍ୟାବଧି ୨୯ ଯବାନ ସହିଦ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.