ଉରୀରେ ଭାରତୀୟ ସେନାକୁ ବଡ ଧରଣର ସଫଳତା : ୩ ଆତଙ୍କବାଦୀ ନିପାତ, ବନ୍ଧୁକ ଏବଂ ଗ୍ରେନେଡ୍‌ ଜବତ

Published By : Prameya-News7 Bureau | September 23, 2021 IST

ଶ୍ରୀନଗର ୨୩/୦୯ : ଜାମ୍ମୁ କାଶ୍ମୀରର ଉରୀ ସେକ୍ଟର ନିକଟ ରାମପୁରରେ ଭାରତୀୟ ସେନାକୁ ବଡ ଧରଣର ସଫଳତା ମିଳିଛି । ସୀମା ପାର୍‌ କରି ଭାରତ ମଧ୍ୟକୁ ପ୍ରବେଶ କରିଥିବା ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏହା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଯେଉଁଥିରେ ୫ଟି ଏକେ-୪୭, ୮ଟି ପିସ୍ତଲ ଏବଂ ୭୦ଟି ହ୍ୟାଣ୍ଡ ଗ୍ରେନେଡ୍‌ ରହିଛି ।

ସେନା ପକ୍ଷରୁ ଜାରି ସୂଚନା ମୁତାବକ, ନିହତ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (POK)ରୁ ଭାରତକୁ ପ୍ରବେଶ କରିଥିଲେ । ଲେପ୍ଟନାଣ୍ଟ ଜେନେରାଲ୍ ଡିପି ପାଣ୍ଡେୟ କହିଛନ୍ତି, ଆତଙ୍କୀମାନେ ହାଥ୍‌ଲଙ୍ଗା ଜଙ୍ଗଲ ଦେଇ ଅନୁପ୍ରବେଶ କରୁଥିଲେ । ଖବର ପାଇଁ ଭାରତୀୟ ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଷଘରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବଳ । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ବୋଲି ଜଣାପଡିଛି । ଅନ୍ୟ ୨ ଜଣଙ୍କ ବାବଦରେ ତଥ୍ୟ ସଂଗ୍ରହ ଜାରି ରହିଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୮ ତାରିଖରେ କିଛି ସନ୍ଧିଗ୍ଧଙ୍କ ଗିତିବିଧିକୁ ନେଇ ସନ୍ଦେହ ହୋଇଥିଲା । ସେହିଦିନ ରାତିରେ ହିଁ ଉରୀ ସେକ୍ଟରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲା ସେନା । ସୋମବାର ଦିନ ସେଠାରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଗତ ୪ ଦିନ ହେଲା ଉରୀ ସେକ୍ଟରରେ ଖୋଜାଖୋଜି ଜାରି ରଖିଥିଲା ଭାରତୀୟ ସେନା । ଗୁରୁବାର ସେନା ପକ୍ଷରୁ ସଫଳତାର ସହ ଅଭିଯାନ ଶେଷ ହୋଇଛି ।

ସୂଚନାଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୮ ତାରିଖରେ ଉରୀରେ ହିଁ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଏଥିପାଇଁ ନିଜୁକ ଦାୟୀ କରିଥିବା ବେଳେ ୨୩ ଜଣ ଭାରତୀୟ ସୈନ୍ୟ ସହୀଦ ହୋଇଥିଲେ । ୪ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ପରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍‌ କରାଯାଇ ବଦ୍‌ଲା ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.