ଭାରତ ସେନା ଜାରି କଲା ୮୯ ଆପ୍ସର ତାଲିକା, ତୁରନ୍ତ ଡିଲିଟ୍ କରିବାକୁ ଯବାନଙ୍କୁ ନିର୍ଦ୍ଦେଶ
8/07/2020 at 10:51 PM

ନୂଆଦିଲ୍ଲୀ ୦୮।୦୭: ଭାରତରେ ୫୯ଟି ଚୀନ ଆପ୍କୁ ନିଷେଧ ପରେ ଭାରତୀୟ ସେନା ସନ୍ଦିଗ୍ଧ ଆପ୍ସ ବିରୋଧରେ କଡା ପଦକ୍ଷେପ ଉଠାଇଛି। ସେନା ସୂତ୍ର ଅନୁଯାୟୀ ୮୯ ଆପ୍ସର ତାଲିକା ଜାରି କରାଯାଇଛି ଏବଂ ସୈନିକ ସମେତ ପ୍ରତି ବିଭାଗର ସମସ୍ତ କର୍ମୀଙ୍କୁ ମୋବାଇଲ୍ରେ ଏଥି ମଧ୍ୟରୁ ଗୋଟିଏ ହେଲେ ଆପ୍ ନରଖି ତୁରନ୍ତ ଡିଲିଟ୍ କରିବାକୁ ସ୍ପଷ୍ଟ ଆଦେଶ ଦିଆଯାଇଛି।
ସେନା ତାଲିକାରେ କେବଳ ଚାଇନିଜ୍ ଆପ୍ ନାହିଁ…
ସେନା ପକ୍ଷରୁ ଜାରି ସୂଚୀରେ ଟିକ୍ଟକ୍ ପରି ଚାଇନିଜ୍ ଆପ୍ଠୁ ନେଇ ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ରୁକଲର ପରି ଅନ୍ୟ ଲୋକପ୍ରିୟ ବିଦେଶୀ ଆପ୍ ସାମିଲ। କେବଳ ଏତିକି ନୁହେଁ ସୈନ୍ୟକର୍ମୀଙ୍କୁ ଏବେ ନିଜର ସ୍ମାର୍ଟଫୋନ୍ରେ ଟିଣ୍ଡର ଏବଂ କୁଚ୍ ସର୍ଫିଂ ପରି ଡେଟିଂ ଆପ୍ ମଧ୍ୟ ଡିଲିଟ୍ କରିବାକୁ ପଡିବ। ଏହା ସହିତ ଡେଲିହଣ୍ଟ୍ ପରି ନ୍ୟୁଜ୍ ଆପ୍କୁ ମଧ୍ୟ ତୁରନ୍ତ ଡିଲିଟ୍ କରିବାକୁ କୁହାଯାଇଛି।
Army personnel have also been asked to delete dating apps such as Tinder, Couch Surfing along with news apps like Daily Hunt in the instructions issued recently: Indian Army Sources https://t.co/NerjcBCZbO
— ANI (@ANI) July 8, 2020
ତାଲିକାରେ ବି ଫେସବୁକ୍
ସେନା ସେହି ଆପ୍ସରୁ ଦୂରେଇ ରହିବାକୁ ଆଦେଶ ଜାରି କରିଛି, ଯାହା ଉପରେ କେବେ ନା କେବେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆରୋପ ଲାଗିଛି। ସେ ସମଗ୍ର ଦୁନିଆରେ ବହୁତ ଲୋକପ୍ରିୟ ଫେସବୁକ୍ ଆପ୍ ହେଉ ନା କାହିଁକି। ୨୦୧୮ରେ କେମ୍ବ୍ରିଜ୍ ଆନାଲିଟିକା କେସ୍ର ରହସ୍ୟ ପଦାକୁ ଆସିବା ମନେ ଥିବ।
ଏହି ଆପ୍ରୁ ମଧ୍ୟ ତଥ୍ୟ ଚୋରିର ସନ୍ଦେହ
ଅନ୍ୟପଟେ, ଚୀନ ଉପରେ ବିଭିନ୍ନ ଆପ୍ସ ଜରିଆରେ ବିଭିନ୍ନ ଦେଶର ଅତି ଗୋପନୀୟ ସୂଚନା ଚୋରି କରିବର ଅଭିଯୋଗ ହୋଇ ଆସିଛି। ଏହି କାରଣରୁ ଭାରତ ଟିକ୍ଟକ୍ ସମେତ ମୋଟ୍ ୫୯ଟି ଚୀନ ଆପ୍କୁ ନିଷେଧ କରିଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏହି ସବୁ ଆପ୍ସକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟା ଯାଇଛି। ମାତ୍ର ଯେଉଁ ସ୍ମାର୍ଟଫୋନ୍ରେ ଏହି ଆପ୍ ପୂର୍ବରୁ ରହିଛି, ସେଥିରେ ଏହା କାମ କରୁଛି। ଏଥିପାଇଁ ସେନାକୁ ନିଜର ବିଭାଗ ସମ୍ବନ୍ଧିତ ସମସ୍ତ କର୍ମୀଙ୍କୁ ଏମିତି ସବୁ ଆପ୍ସକୁ ଡିଲିଟ୍ କରିବାକୁ ଆଦେଶ ଜାରି କରିବାକୁ ପଡିଛି।