କରୋନା ମୁକାବିଲା ପାଇଁ ଆମେ ଦୁନିଆକୁ ଔଷଧ ଦେଉଛୁ, ଅନ୍ୟ ପଟେ ପାକିସ୍ତାନ ଆତଙ୍କବାଦୀ ପଠାଉଛି: ସେନାଧ୍ୟକ୍ଷ

Published By : Prameya-News7 Bureau | April 17, 2020 IST

ଶ୍ରୀନଗର ୧୭।୦୪: ଉତ୍ତର କାଶ୍ମୀରର କୁପଓ୍ଵାଡାରେ ନିଜ ଗସ୍ତରେ ପହଞ୍ଚିଥିବା ଭାରତୀୟ ସେନା ପ୍ରମୁଖ ମନୋଜ ମୁକୁନ୍ଦ ନରଓ୍ଵାଣେ ପାକିସ୍ତାନର ହୀନକାର୍ଯ୍ୟର ସମାଲୋଚନା କରିଛନ୍ତି। କରୋନା ସଙ୍କଟ ସମୟରେ ପାକିସ୍ତାନ ଦ୍ଵାରା ସୀମାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ଉପରେ ସେନାଧ୍ୟକ୍ଷ କହିଛନ୍ତି ଏମିତି ସମୟରେ ଯେବେ ଭାରତ ନିଜ ଦେଶ ଏବଂ ଅନ୍ୟ ଦେଶର ଲୋକଙ୍କୁ ସାହାଯ୍ୟ କରୁଛି, ସେହି ସମୟରେ ପାକ୍ ଆତଙ୍କବାଦୀ ଷଡଯନ୍ତ୍ର ରଚୁଛି।

ଶୁକ୍ରବାର ସେନା ପ୍ରମୁଖ କୁପଓ୍ଵାଡାରେ କହିଛନ୍ତି ଯେ, ସମଗ୍ର ଦୁନିଆରେ କରୋନାର ଲଢେଇ ମଧ୍ୟରେ ଭାରତ କେବଳ ନିଜ ପାଇଁ ନୁହଁ ବରଂ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛି।  ଦୁନିଆରେ ଔଷଧ ଅଭାବ ଓ ଚିକିତ୍ସା ସେବାର ସଙ୍କଟ ମଧ୍ୟରେ ଭାରତ ଯେଉଁଠି ସବୁ ଦେଶକୁ କରୋନା ଲଢେଇରେ ସହାୟତା କରୁଛି ସେହି ସମୟରେ ପାକିସ୍ତାନ ଆତଙ୍କୀ ଷଡଯନ୍ତ୍ର ରଚି କାଶ୍ମୀରରେ ଅଶାନ୍ତ କରିବାକୁ ପ୍ରୟାସ ଚଳାଇଛି।

ଉଲ୍ଲେଖଯୋଗ୍ୟ, କୁପଓ୍ଵାଡା ଜିଲ୍ଲାର ସମସ୍ତ  ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗତ କିଛି ଦିନ ହେବ ଅନେକ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଇଛି। ସମଗ୍ର ଦୁନିଆ କରୋନାରେ ତ୍ରାହି ତ୍ରାହି ଡାକୁଥିବାବ ବେଳେ ପାକିସ୍ତାନ ଗତ ଦିନରେ କୁପଓ୍ଵାଡାର କେରନ ସେକ୍ଟରରେ ଆତଙ୍କବାଦୀଙ୍କ ବଡ ଦଳକୁ ଅନୁପ୍ରବେଶ କରାଇଥିଲା। ଏହି ସମୟରେ ଜାରି ଏନକାଉଣ୍ଟରରେ ଭାରତୀୟ ସେନା ପାଞ୍ଚ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

ପାକିସ୍ତାନ ସେନା ଅନୁପ୍ରବେଶ ଉଦ୍ୟମ ବ୍ୟତୀତ ଅନେକ ଦିନରୁ ଜାମ୍ମୁ ଓ କାଶ୍ମୀର ସଂଲଗ୍ନ  ନିୟନ୍ତ୍ରଣ ରେଖାରେ ମଧ୍ୟ ପ୍ରବଳ ଗୁଳି ବର୍ଷଣ କରି ସୀମାରେ ଅଶାନ୍ତ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛି। ପାକିସ୍ତାନ ପକ୍ଷରୁ ଉତ୍ତର କାଶ୍ମୀର ସମେତ ରାଜୌରୀ, ପୁଞ୍ଛ ଓ କଠୁଆର କିଛି ଅଞ୍ଚଳରେ ହୋଇଥିବା ଗୁଳିମାଡ କାରଣରୁ ଅନେକ ସ୍ଥାନୀୟ ନାଗରିକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.