ବ୍ୟାଟ୍ସମ୍ୟାନଙ୍କ ପରେ ଦମ୍ ଦେଖାଇଲେ ବୋଲର : ଓ୍ୱାଙ୍ଖଡେ ଟେଷ୍ଟ ଜିତିଲା ଭାରତ, ସିରିଜ୍ ଉପରେ ବି କବ୍‌ଜା

Published By : Prameya-News7 Bureau | December 06, 2021 IST

ମୁମ୍ବାଇ,୦୬/୧୨: ଓ୍ୱାଙ୍ଖଡେ ଟେଷ୍ଟରେ ଭାରତର ଦମଦାର୍ ବିଜୟ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଲା ଭାରତ  । ଏହାସହ ସିରିଜକୁ ୧-୦ରେ କବଜା କରିନେଲା ବିରାଟ ବାହିନୀ ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୪୦ ରନ । ପ୍ରଥମ ଇନିଂସରେ ଭାରତ ୩୨୫ ରନ କରି ଅଲଆଉଟ ହୋଇଥିଲା । ଏଜାଜ୍‌ ପଟେଲ ୧୦ଓ୍ବିକେଟ ନେଇ ଇତିହାସ ରଚିଥିଲେ । ଅପରପକ୍ଷେ ନ୍ୟୁଜିଲାଣ୍ଡ ମାତ୍ର ୬୨ରନ କରି ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ଟିମ ଇଣ୍ଡିଆ, ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ୭ଓ୍ବିକେଟ ହରାଇ ୨୭୬ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ନ୍ୟୁଜିଲାଣ୍ଡକୁ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ତୃତୀୟ ଦିନ ଖେଳ ଜାରି ରହିଥିବା ବେଳେ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କିଓ୍ବି ଟିମ । ଫଳରେ ବିଜୟ ଠାରୁ ବହୁ ଦୂରରେ ଦଳ ରହିଥିଲା ।

ଦ୍ବିତୀୟ ଇନିଂସରେ ମଧ୍ୟ କମାଲ କରିଥିଲେ ସ୍ପିନ୍ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମରୁ ୩ ଓ୍ବିକେଟ ନେବାସହ ମୋଟ ୪ ଓ୍ୱିକେଟ୍ ନେଇଥିଲେ । ଏପରିକି ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୧୪୦ ରନ କରି ୫ ଓ୍ବିକେଟ ହରାଇଥିଲା । ଦଳ ପକ୍ଷରୁ ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ୍‌ ୟଙ୍ଗ ଫେଲ ମାରିଛନ୍ତି । ଲାଥାମ୍‌ ମାତ୍ର ୬ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୨୦ ରନ କରି ଆଉଟ ହୋଇଥିଲେ । ଡାରିଲ ମିଚେଲ୍‌ ଅର୍ଦ୍ଧଶତକ(୬୦ରନ) ହାସଲ କରିଥିଲେ ସୁଦ୍ଧା ବଡ ସ୍କୋରରେ ପରିଣତ କରିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ରସ୍ ଟେଲର ମାତ୍ର ୬ରନ କରି ଆଉଟ ହୋଇଥିବା​‌ ବେଳେ, ଟମ୍‌ ବ୍ଲଣ୍ଡେଲ ଖାତା ଖୋଲି ପାରି ନଥିଲେ । ଚତୁର୍ଥ ଦିନରେ ଦଳ ଆଉ ମାତ୍ର ୨୭ ରନ୍ ଯୋଡି ୧୬୭ ଅଲଆଉଟ୍ ହୋଇଯାଇଥିଲା ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୪ଟି, ଅକ୍ଷର ପଟେଲ ଗୋଟିଏ ଓ  ଜୟନ୍ତ ଯାଦବ ୪ଟି ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.