ବିଜୟ ସହ ଟି-୨୦ ବିଶ୍ଵ କପ୍ ଅଭିଯାନ ଶେଷ କଲା ଭାରତ, ବିରାଟ-ଶାସ୍ତ୍ରୀଙ୍କ ଯୁଗର ଅବସାନ

Published By : Prameya-News7 Bureau | November 08, 2021 IST

ଦୁବାଇ ୦୮।୧୧: ସେମି ଫାଇନାଲ୍‌ରେ ପହଞ୍ଚି ପାରିନଥିବା ଭାରତ ବିଜୟ ସହ ଟି-୨୦  ବିଶ୍ଵ କପ୍ ୨୦୨୧ରେ ନିଜର ଅଭିଯାନ ଶେଷ କରିଛି। ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନାମିବିୟାକୁ ୯ ଓ୍ଵିକେଟ୍‌ରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି। ଏଥିସହ ଅଧିନାୟକ ଭାବେ ବିରାଟ କୋହଲି ଶେଷ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଆଉ ମ୍ୟାଚ୍ ସରିବା ସହ  ରବି ଶାସ୍ତ୍ରୀଙ୍କ ଭାରତୀୟ କୋଚ୍ ଭାବେ କାର୍ଯ୍ୟକାଳ ସମାପ୍ତ ହୋଇଛି। ଏହିପରି ଭାବେ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ଯୁଗର ଅବସାନ ଘଟିଛି।

ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଶେଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନାମିବିୟା ୮ ଓ୍ଵିକେଟ୍ ହରାଇ ୧୩୨ ରନ କରିଥିଲା। ଦଳ ପକ୍ଷରୁ ଓ୍ଵାଇଜ ସର୍ବାଧିକ ୨୬ ରନ କରିଥିଲେ। ଜବାବରେ ରୋହିତ ଶର୍ମା(୫୬) ଏବଂ କେଏଲ ରାହୁଲଙ୍କ ଅପରାଜିତ ୫୪ ରନ  ବଳରେ ଭାରତ ୧୫.୨ ଓଭରରେ ୯ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ସୂର୍ଯ୍ୟକୁମାର ଯାଦବ ଅପରାଜିତ ୨୬ ରନ କରିଛନ୍ତି। ନାମିବିୟା ଇନିଂସରେ ରବୀନ୍ଦ୍ର ଜାଡେଜା ୧୬ ରନ ଦେଇ ୩, ଆର ଅଶ୍ଵିନ ୨୦ ରନ ଦେଇ ୩ ଏବଂ ବୁମରା ୧୯ ରନ ଦେଇ ୨ ଓ୍ଵିକେଟ୍ ନେଇଛନ୍ତି।

୧୩୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ନିଜର ଖ୍ୟାତି ମୁତାବକ ବ୍ୟାଟିଂ କରିଥିଲେ। ଉଭୟ ନାମିବିୟା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ବିସ୍ଫୋରକ ବ୍ୟାଟିଂ କରି ଦୁଇ ଓପନର ୯.୫ ଓଭରରେ ୮୬ ରନ ଯୋଡିଥିଲେ। ଏହି କ୍ରମରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ୩୦୦୦ ରନ ପୂରଣ କରିଥିଲେ। ରୋହିତ ୨୪ତମ ଅର୍ଦ୍ଧଶତକ ସହ ୩୭ ବଲ୍‌ରୁ ୭ ଚୌକା ଓ ୨ ଛକା ସହ ୫୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ବିଜୟ ଔପଚାରିକତା ପୂରଣ କରିଥିଲେ। କେଏଲ ରାହୁଲ ପୁଣି ଥରେ ଦମଦାର ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ୧୨ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ରାହୁଲ ଓ ସୂର୍ଯ୍ୟକୁମାର ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍‌ରେ ୫୦ ରନ ଯୋଡି ଭାରତକୁ ୧୫.୨ ଓଭରରେ ୯ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ରାହୁଲ ୩୬ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୫୪ ଏବଂ ସୂର୍ଯ୍ୟକୁମାର ୨୫ ରନ କରି ଅପରାଜିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.