ଟି-୨୦ ବିଶ୍ଵ କପ୍: ବ୍ୟାଟିଂ ଓ ବୋଲିଂରେ ମେନ୍ ଇନ୍ ବ୍ଲୁର ଜବରଦସ୍ତ ପ୍ରଦର୍ଶନ, ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ହରାଇଲା ଭାରତ

Published By : Prameya-News7 Bureau | October 20, 2021 IST

ଦୁବାଇ ୨୦।୧୦: ଟି-୨୦ ବିଶ୍ଵ କପରେ ନିଜର ଅଭିଯାନ ପୂର୍ବରୁ  ଭାରତର ପ୍ରସ୍ତୁତି ଦମଦାର ରହିଛି। ଯାହାର ଝଲକ ଅଭ୍ୟାସ୍ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ  ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ହରାଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ୍‌(୫୭) ଓ ଷ୍ଟୋଇନ(୪୧ ରନ, ୨୫ ବଲ୍) ଜରିଆରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା। ଜବାବରେ ରୋହିତ ଶର୍ମାଙ୍କ (୬୦ ରନ ଟିଟାୟର୍ଡ ହଟ୍), କେଏଲ ରାହୁଲ(୩୯) ଓ ସୂର୍ଯ୍ୟକୁମାର ଯାଦବ(୩୮ ଅପରାଜିତ) ବଳରେ ଭାରତ ୧୭.୫ ଓଭରରେ ଦୁଇ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ  ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୪ ରନରେ ଅପରାଜିତ ଥିଲେ। ବୋଲିଂରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୮ ରନ ଦେଇ ୨ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ୭ ଓ୍ଵିକେଟ୍‌ରେ ହରାଇଥିଲା।

ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ  ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଦ୍ଵିତୀୟ ଓଭରରେ ରବିଚନ୍ଦ୍ରନ ଅଶ୍ଵିନ କ୍ରମାଗତ ଦୁଇଟି ବଲ୍‌ରେ ଡେଭିଡ୍ ଓ୍ଵାର୍ଣ୍ଣର(୧) ଓ ମିଚେଲ୍ ମାର୍ଶ(୦)ଙ୍କୁ ଆଉଟ୍ କରିଥିଲେ। ପୁଣି ଫିଞ୍ଚ(୮) ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ୧୧ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଷ୍ଟିଭ୍ ସ୍ମିଥ୍ ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ଚତୁର୍ଥ ଓ୍ଵିକେଟ୍‌ରେ ୬୧ ରନ ଯୋଡିଥିଲେ। ମ୍ୟାକ୍ସଓ୍ଵେଲ ୨୮ ବଲ୍‌ରୁ ୫ ଚୌକା ସହ ୩୭ ରନ କରି ରାହୁଲ ଚହରଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ। ପୁଣି ସ୍ମିଥ୍ ଓ ମାର୍କସ ଷ୍ଟୋଇନିସ୍ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ସ୍ମିଥ୍ ୪୮ ବଲ୍‌ରୁ ୭ ଚୌକା ସହ ୫୭ ରନର ଇନିଂସ ଖେଳିଥିଲେ। ଷ୍ଟୋଇନିସ୍  ବିସ୍ଫୋରକ ବ୍ୟାଟିଂ କରି ୨୫ ବଲ୍‌ରୁ ୪୧ ରନ କରିବାକୁ ଅଷ୍ଟ୍ରେଲିଆ ୫ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା। ଭାରତ ପକ୍ଷରୁ ଅଶ୍ଵିନ ୮ ରନ ଦେଇ ୨, ଭୁବନେଶ୍ଵର କୁମାର ୨୭ ରନ ଦେଇ ୧, ରବୀନ୍ଦ୍ର ଜାଡେଜା ୩୫ ରନ ଦେଇ ଓ ଏବଂ ରାହୁଲ ଚହର ୧୭ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ।

ଜବାବରେ  ଭାରତର ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା  ଭାରତକୁ ଦମଦାର ଆରମ୍ଭ ଦେଇଥିଲେ। ୯.୨ ଓଭରରେ ଓପନର ଯୋଡି ୬୮ ରନ ଯୋଡି ବିଜୟ ମୂଳଦୁଆ ପକାଇଥିଲେ। କେଏଲ ରାହୁଲ ୩୯ ରନ କରି ଆଉଟ୍ ହୋଇଥିଲେ। ଏଥିରେ ୨ ଚୌକା ଓ ୩ ଛକା ସାମିଲ୍। ଅନ୍ୟପଟେ ରୋହିତ ଶର୍ମା ଜବରଦସ୍ତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୪୧ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୬୦ ରନରେ ରିଟାୟର୍ଡ ହଟ୍ ହୋଇଥିଲେ। ପରେ ବାକି ଔପଚାରିକତା ପୂରଣ କରିଥିଲେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା। ସୂର୍ଯ୍ୟକୁମାର ୩୮ ଏବଂ ହାର୍ଦ୍ଦିକ ୧୪ ରନରେ ଅପରାଜିତ ରହି ଦଳକୁ ୧୭.୫ ଓଭରରେ ୨ ଓ୍ଵିକେଟ୍ ହରାଇ ଜିତାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.