ବୋଲରଙ୍କ ଘାତକ ବୋଲିଂ ପରେ ଗର୍ଜିଲା ରାହୁଲଙ୍କ ବ୍ୟାଟ୍: ୩୯ ବଲ୍‌ରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ

Published By : Prameya-News7 Bureau | November 05, 2021 IST

ଦୁବାଇ ୦୫।୧୧: ଦରକାର ଥିଲା ବିଶାଳ ବିଜୟ। ଆଉ ଏହା କରି ଦେଖାଇଛନ୍ତି ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଲୟକୁ ଫେରିଥିବା ଭାରତ ପୁଣି ଥରେ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସ୍କଟଲାଣ୍ଡକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ଚମତ୍କାର ବିଜୟ ସହ ଭାରତ ଗ୍ରୁପ ୨ର ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉଠିଛି। ଦଳ ନେଟ୍ ରନ ରେଟ୍‌ରେ ଆଫଗାନିସ୍ତାନକୁ ପଛରେ ପକାଇ ଦେଇଛି। ପ୍ରଥମେ ରବୀନ୍ଦ୍ର ଜାଡେଜା(୩ ଓ୍ଵିକେଟ୍), ମହମ୍ମଦ ଶାମି(୩ ଓ୍ଵିକେଟ୍) ଓ ବୁମରା(୨ ଓ୍ଵିକେଟ୍)ପରେ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ସ୍କଟଲାଣ୍ଡ ଦ୍ଵାରା ଧାର୍ଯ୍ୟ ୮୬ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୬.୩ ଓଭରରେ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଏବେ ଭାରତକୁ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଆଫଗାନିସ୍ତାନ ଜିତିଲେ ଭାରତର ସେମି ଫାଇନାଲ୍ ପଥ ସହଜ ହୋଇଯିବ। ଆଉ ଆଫଗାନିସ୍ତାନ ହାରିଲେ ଭାରତର ସେମି ଫାଇନାଲ୍ ଆଶା ମଉଳିଯିବ।

କ୍ରମାଗତ ତିନୋଟି ମ୍ୟାଚ୍‌ରେ ଟସ୍ ହାରିବା ପରେ ଆଜି ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍କଟଲାଣ୍ଡ ଭାରତୀୟ ବୋଲର ଘାତକ ବୋଲିଂର ମୁକାବିଲା କରିନପାରି ମାତ୍ର ୧୭.୪ ଓଭରରେ ୮୫ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଜାଡେଜ  ଓ ଶାମି ପ୍ରତ୍ୟେକ ୧୫ ରନ ଦେଇ ୩ଟି  ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଭାରତ କେଏଲ ରାହୁଲଙ୍କ ୫୦ ଏବଂ ରୋହିତ ଶର୍ମାଙ୍କ ୩୦ ରନ ବଳରେ ମାତ୍ର ୬.୩ ଓଭରରେ ୮୬ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏବେ ଭାରତ ନିଜର ଶେଷ ମୁକାବିଲା ନଭେମ୍ବର ୮ରେ ନାମିବିୟାକୁ ଭେଟିବ।

ଭାରତକୁ ରନ ରେଟ୍‌ରେ ଆଫଗାନିସ୍ତାନଠୁ ଉନ୍ନତ କରିବାକୁ ହେଲେ  ୪୩ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରିବାର ଥିଲା। ସେହି ହିସାବରେ ଦୁଇ ଓପନର କେଏଲ ରାହୁଲ ଓ ରୋହିତ ଶର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ପଡିଆର ଚତୁର୍ଦ୍ଦିଗକୁ ଚୌକା ଓ ଛକା ବର୍ଷା କରି ସ୍କଟଲାଣ୍ଡ ବୋଲରକୁ କୌଣସି ସୁଯୋଗ ଦେଇନଥିଲେ। ଉଭୟ ଓପନର ପ୍ରଥମ ଓ୍ଵିକେଟ୍‌ରେ ମାତ୍ର ୫ ଓଭରରେ ୭୦ ରନ ଯୋଡି ଭାରତର ବିଶାଳ ବିଜୟ ସୁନିଶ୍ଚିତ କରିଥିଲେ। ରୋହିତ ୧୬ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୩୦ କରି ଆଉଟ୍ ହୋଇଥିଲେ। ଏହା ପରେ ଲୋକେଶ ରାହୁଲ ମାତ୍ର ୧୮ ବଲ୍‌ରୁ ଟି-୨୦ ଅନ୍ତର୍ଜାତୀୟରେ ୧୫ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଚଳିତ ଟି-୨୦ରେ ଏହା ଦ୍ରୁତତମ ଅର୍ଦ୍ଧଶତକ। ଏହା ପରେ ରାହୁଲ ୧୯ ବଲ୍‌ରୁ ୬ ଚୌକା ଓ ୩ ଛକା ଜରିଆରେ ୫୦ ରନ କରି ଆଉଟ୍ ହୋଇଥିଲେ। ବିଜୟ ଔପଚାରିକତା ପୂରଣ କରିଥିଲେ କୋହଲି ଓ ସୂର୍ଯ୍ୟକୁମାର ଯାଦବ। ଭାରତ ମାତ୍ର ୬.୩ ଓଭରରେ ୮୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ବିଜୟ ସୂଚକ ଛକା ମାରିଛନ୍ତି। ବିରାଟ କୋହଲି ୨ ରନ କରି ଅପରାଜିତ ଅଛନ୍ତି।

ସ୍କଟଲାଣ୍ଡ ଇନିଂସ

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ସ୍କଟଲାଣ୍ଡ ଦଳ । ସ୍କଟଲାଣ୍ଡ ପକ୍ଷରୁ ଜର୍ଜ ମୁନସେ ୨୪ ରନ କରି ଆଉଟ ହୋଇଥିବା ବେଳେ, କେଲ୍‌ କେଏଜର ୧ରନ, ମାଥ୍ୟୁ କ୍ରସ୍‌ ୨, ରିଚି ବେରିଂଟନ୍‌ ୦, କାଲୁମ ମାକ୍‌ ଲିଓଡ୍‌ ୧୬, ମିଚେଲ ଲିସ୍କ ୨୧ରନ, କ୍ରିସ୍‌ ଗ୍ରେଭସ୍‌ ୧ରନ, ସାଫୟାନ ସରିଫ୍‌ ୦, ଆଲାସଦର ଇଭାନ୍ସ ୦ରନ, ମାର୍କ ଓ୍ବାଟ୍‌ ୧୪ରନ କରି ଆଉଟ ହୋଇଛନ୍ତି ଏବଂ ବ୍ରାଡ୍‌ ହ୍ବିଲ୍‌ ୨ ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଜବରଦସ୍ତ ବୋଲିଂ କରିଛନ୍ତି ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡେଜା । ଶାମି ୩ ଓଭରରେ ୧୫ ରନ ଦେଇ ୩ ଓ୍ବିକେଟ ନେଇଥିବା ବେଳେ, ରବୀନ୍ଦ୍ର ଜାଡେଜା ୪ ଓଭରରେ ୧୫ ରନ ଦେଇ ୩ ଓ୍ବିକେଟ, ବରୁଣ ଚକ୍ରବର୍ତ୍ତୀ ୩ ଓଭରରେ ୧୫, ଜଶପ୍ରୀତ ବୁମରାହ ୩.୪ ଓଭରରେ ୧୦ ରନ ୨ ଓ୍ବିକେଟ ଏବଂ ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୯ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.