ଶ୍ରୀଲଙ୍କା ଉପରେ ଭାରି ପଡିଲେ ଦୀପକ ଚହର, ଦ୍ଵିତୀୟ ମ୍ୟାଚ୍‌କୁ ୩ ଓ୍ଵିକେଟ୍‌ରେ ଜିତି ସିରିଜ୍ କବଜା କଲା ଭାରତ

Published By : Prameya-News7 Bureau | July 20, 2021 IST

କଲୋମ୍ବୋ ୨୦।୦୭: ପ୍ରଥମେ ବୋଲିଂ ଏବଂ ପରେ ବ୍ୟାଟିଂରେ ଦମ ଦେଖାଇଲେ ଦୀପକ ଚହର, ଆଉ ଭାରତକୁ ଦେଲେ ଏକ ସ୍ମରଣୀୟ ବିଜୟ। ଦୀପକ ଚହରଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଏଠାରେ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୩ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜ୍ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ଭାରତର ବିଜୟରେ  ନାୟକ ସାଜିଛନ୍ତି ଦୀପକ ଚହର। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଚରିଥ ଅସଲଙ୍କା ୭୦ ରନ ଓ ଅବିଷ୍କା ଫର୍ଣ୍ଣାଡୋ ୫୦ ରନ ବଳରେ ୯ ଓ୍ଵିକେଟ୍ ହରାଇ ୨୭୫ ରନ କରିଥିଲା। ଜବାବରେ ଭାରତ ଦୀପକ ଚହରଙ୍କ ଅପରାଜିତ ୬୯ ରନର ଇନିଂସ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୫୦ ରନ ବଳରେ ୪୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଖାସ୍ କରି ଅଷ୍ଟମ ଓ୍ଵିକେଟ୍‌ରେ ଦୀପକ ଚହର ଓ ଭୁବନେଶ୍ଵର କୁମାର ଅପରାଜିତ ୮୪ ରନ ଯାେଡି ଦଳକୁ ଜିତାଇଛନ୍ତି। ଅଲରାଉଣ୍ଡର ପ୍ରଦର୍ଶନ କରି ଭାରତକୁ ଜିତାଇଥିବା ଦୀପକ ଚହର ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।

୨୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ପ୍ରଥମ ମ୍ୟାଚ୍‌ର ବ୍ୟାଟିଂ ସଫଳତାକୁ ଦୋହରାଇ ପାରିନଥିଲା। ପ୍ରଥମ ଓଭରରୁ ଦ୍ରୁତ ବ୍ୟାଟିଂ କରିଥିବା ପୃଥ୍ଵୀ ଶ(୧୩) ସଅଳ ଆଉଟ୍ ହୋଇଥିଲେ। ୨୮ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିବା ଭାରତ ୩୯ ରନ ସ୍କୋରରେ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚ୍‌ର ହିରୋ ଇଶାନ କିଶନ(୧) ପାଭିଲିୟନ ଫେରିଥିଲେ। ଅଧିନାୟକ ଶିଖର ଧାଓ୍ଵନ ଭଲ ଆରମ୍ଭ କରିଥିଲେ ମଧ୍ୟ ୨୯ ରନ କରି ବିଦାୟ ନେଇଥିଲେ। ୬୫ ରନରେ ୩ ଓ୍ଵିକେଟ୍ ହରାଇ ଅଡୁଆରେ ଥିବା ଭାରତର ଇନିଂସ ସମ୍ଭାଳିଥିଲେ ମନୀଷ ପାଣ୍ଡେ ଓ ସୂର୍ଯ୍ୟକୁମାର ଯାଦବ। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍‌ରେ ୫୦ ରନ ଯୋଡି ଦଳର ସ୍ଥିତି ସୁଧାରି ଥିଲେ। ହେଲେ ଦ୍ରୁତ ବ୍ୟାଟିଂ କରି ୩୧ ବଲ୍‌ରୁ ୩୭ ରନ କରି ମନୀଷ ପାଣ୍ଡେ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍  ହେବା ଭାରତକୁ ବଡ ଝଟକା ଲାଗିଥିଲା। ୧୧୬ ରନରେ ଭାରତ ଅଧା ଓ୍ଵିକେଟ୍ ହରାଇଥିଲା।

ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ କୃଣାଲ ପାଣ୍ଡ୍ୟା ଭାରତକୁ ସଙ୍କଟରୁ କାଢିବାକୁ ଉଦ୍ୟମ କରିଥିଲେ। ସୂର୍ଯ୍ୟକୁମାର ଯାଦବ ନିଜର ଫର୍ମ ବଜାୟ ରଖି ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଥମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଦଳର ମୁସ୍କିଲ ଆହୁରି ବଢାଇ ଦେଇଥିଲା। ସୂର୍ଯ୍ୟକୁମାର ୪୪ ବଲ୍‌ରୁ ୬ ଚୌକା ସହ ୫୩ ରନ କରି ବିଦାୟ ନେଇଥିଲେ। ସେ କୃଣାଲଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୪୪ ରନ ଯୋଡିଥିଲେ। କୃଣାଲ ପାଣ୍ଡ୍ୟା ୩୫ ରନ କରି ଆଉଟ୍ ହେବା ପରେ ଦଳର ପରାଜୟ ଆପାତତଃ ନିଶ୍ଚିତ ଲାଗୁଥିଲା।

ହେଲେ ଏହା ପରେ ପଡିଆରେ ଦେଖିବାକୁ ମିଳିଲା ଦୀପକ ଶୋ।  ବୋଲିଂରେ ୨ ଓ୍ଵିକେଟ୍ ନେଇଥିବା ଦୀପକ ଭୁବନେଶ୍ଵର କୁମାରଙ୍କ ସହ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ଧୈର୍ଯ୍ୟର ସହ  ବ୍ୟାଟିଂ କରି ଭାଗିଦାରୀ କରିବାକୁ ଚେଷ୍ଟା କରିଥିଲେ ଦୁଇ ବ୍ୟାଟସମ୍ୟାନ। କ୍ରିଜରେ ସେଟ୍ ହେବା ପରେ ଦୀପକ ଚହର ସଟ୍ ଖେଳିବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଉତ୍ତମ ସହଯୋଗ ଦେଇଥିଲେ ଭୁବନେଶ୍ଵର କୁମାର। ଏପରିକି ଦୀପକ ଚହର ନିଜର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦମଦାର ବ୍ୟାଟିଂ କରି  ଅସମାପ୍ତ ଅଷ୍ଟମ ଓ୍ଵିକେଟ୍‌ରେ ୮୪ ରନ ଯୋଡି ଦଳକୁ ୩ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ଏକଦା ୧୯୩ ରନରେ ୭ ଓ୍ଵିକେଟ୍ ହରାଇ  ପରାଜୟର ଦ୍ଵାର ଦେଶରେ ଥିବା ଭାରତ ଦୀପକ ଚହରଙ୍କ ଅପରାଜିତ ୬୯ ରନ ବଳରେ ଶ୍ରୀଲଙ୍କାକୁ ମାତ୍  ଦେଇ ଦିନିକିଆ ସିରିଜ୍‌କୁ ୨-୦ରେ ଜିତି ନେଇଛି। ସିରିଜ୍‌ର ଅନ୍ତିମ ଦିନିକିଆ ଜୁଲାଇ ୨୩ରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.