ପାକିସ୍ତାନଠାରୁ ସର୍ବାଧିକ ଅନୁଗ୍ରହୀତ ରାଷ୍ଟ୍ରର ମାନ୍ୟତା ପ୍ରତ୍ୟାହାର କଲା ଭାରତ, ଏହା ଫଳରେ କ’ଣ ହେବ ଜାଣନ୍ତୁ

Published By : Prameya-News7 Bureau | February 15, 2019 IST

ନୂଆଦିଲ୍ଲୀ ୧୫|୨: ପୁଲୱାମା ଘଟଣା ପରେ ଭାରତ ପ୍ରଥମ ପଦକ୍ଷେପ ଭାବେ ପାକିସ୍ତାନଠାରୁ ସର୍ବଧିକ ଅନୁଗ୍ରହୀତ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର କରିଛି।  ଏହାଦ୍ବାରା ପାକିସ୍ତାନ କେମିତି ପ୍ରଭାବିତ ହେବ ଆସନ୍ତୁ ଜାଣିବା।

ମୋଷ୍ଟ ଫେବର୍‌ଡ ନେସନ। ବା ସର୍ବାଧିକ ଅନୁଗ୍ରହୀତ ରାଷ୍ଟ୍ର ।  ବିଶ୍ବ ବାଣିଜ୍ୟ ସଂଗଠନ  ଦ୍ବାରା ଅନୁବନ୍ଧିତ କୌଣସି ଦେଶ ଅନ୍ୟ ଦେଶକୁ ଏହି ମାନ୍ୟତା ଦେଇଥାଏ । ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ହେଉଥିବା ବାଣିଜ୍ୟିକ କାରବାରରେ ବୈଦେଶିକ ଶୁଳ୍କରେ ମିଳିଥାଏ ରିହାତି।  ୧୯୯୬ ମସିହାରେ ଭାରତ  ପାକିସ୍ତାନକୁ ଏମଏଫଏନ ଷ୍ଟାଟସ ବା ସର୍ବାଧିକ ଅନୁଗ୍ରହିତ ରାଷ୍ଟ୍ର ମାନ୍ୟତା ଦେଇଥିଲା । କିନ୍ତୁ ଏଯାବତ ପାକିସ୍ତାନ ସମାନ ମାନ୍ୟତା ଭାରତକୁ ଦେଇନାହିଁ।

ଭାରତ ପାକିସ୍ତାନ ମଧ୍ୟରେ ବାଣିଜ୍ୟିକ କାରବାର ୨.୪୧ବିଲିୟନ ଡଲାରର ହୋଇଥାଏ। ଭାରତ ପାକିସ୍ତାନକୁ ୧.୯୨ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥାଏ, ପାକିସ୍ତାନରୁ ୪୮୮. ୫ ମିଲିୟନ ଡଲାରର ଆମଦାନୀ କରିଥାଏ। ଭାରତ ପାକିସ୍ତାନକୁ ତୁଳା, ରଙ୍ଗ, ରାସାୟନିକ ସାମଗ୍ରୀ, ପନିପରିବା, ଲୁହା ଏବଂ ଷ୍ଟିଲ ରପ୍ତାନି କରିଥାଏ। ବଦଳରେ ପାକିସ୍ତାନରୁ ଫଳ, ସିମେଣ୍ଟ, ଚମଡ଼ା ସାମଗ୍ରୀ, ମସଲା ଆମଦାନୀ କରିଥାଏ।

ତେବେ ଭାରତ ଏବେ ଏମଏଫଏନ ଷ୍ଟାଟସ ପ୍ରତ୍ୟାହାର କରିବା ଦ୍ବାରା ଏଣିକି ଏସବୁରେ ଆସିବ ପରିବର୍ତ୍ତନ। ଆଉ ପାକିସ୍ତାନକୁ ମିଳିବନି ବାଣିଜ୍ୟିକ ଛୁଟ୍‌। ଭାରତ ରପ୍ତାନୀ ସାମଗ୍ରୀ ଉପରେ କର ବସାଇପାରିବ। ଭାରତ ରପ୍ତାନି କରୁଥିବା ସାମଗ୍ରୀର ଦର ପାକିସ୍ତାନରେ ବୃଦ୍ଧି ପାଇବ। ସେହିପରି ପାକିସ୍ତାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ମଧ୍ୟ କର ଲାଗୁ କରାଯିବ। ଭାରତ ଏନେଇ ବିଶ୍ବ ବାଣିଜ୍ୟ ସଂଗଠନକୁ ଖୁବଶୀଘ୍ର ଜଣାଇଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.