କରୋନା କୂଟନୀତିରେ ଭାରତର ବଡ଼ ବିଜୟ, ଚୀନ୍‌କୁ ଛାଡି ଭାରତ ସହ ରାଜିନାମା କଲା ବାଂଲାଦେଶ

Published By : Prameya-News7 Bureau | October 30, 2020 IST

ନୂଆଦିଲ୍ଲୀ ୩୦।୧୦: କରୋନା ଭାଇରସ ମହାମାରୀ ଜନିତ ବିପଦ ଟାଳିବାକୁ ସାରା ବିଶ୍ୱରେ ଏବେ ଭେକ୍ସିନ୍‌ ପରୀକ୍ଷଣ ହେଉଛି। ଏହା ଛଡା ଭେକ୍ସିନ ଯେପରି ପ୍ରତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେଥିଲାଗି ନୀତି ମଧ୍ୟ ନିର୍ଦ୍ଧରିତ ହେଉଛି। ଏଥିରେ ଏକ ନୂଆ କୂଟନୀତି ସାମ୍ନାକୁ ଆସିଛି। କରୋନା ଭେକ୍ସିନ ବିକାଶ ଲାଗି ଭାରତ, ବାଂଲାଦେଶ ଓ ମ୍ୟାଁମାର ପରସ୍ପରକୁ ସହଯୋଗ କରିବାକୁ ରାଜିନାମା ମଧ୍ୟ କରିଛନ୍ତି। ତେବେ  ଟିକାକରଣ ଲାଗି ଆଗୁଆ କଥାବାର୍ତ୍ତା କରିଥିବା ଚୀନ୍‌ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଛି। 

ପ୍ରଧାନମନ୍ତ୍ରୀଙ୍କ ‘ନେବର ଫାଷ୍ଟ’ ଓ ‘ଆକ୍ଟ ଇଷ୍ଟ’ ନୀତି ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏଥିଲାଗି ବୈଦେଶିକ ମନ୍ତ୍ରାଳୟଙ୍କ ବରିଷ୍ଠ ଅଧିକାରୀ ଓ ସମ୍ବଦ୍ଧିତ ଏଜେନ୍ସିମାନେ ବାଂଲାଦେଶ ଓ ମ୍ୟାଁମାର ସରକାରଙ୍କ ସହ ଭେକ୍ସିନର ମିଳିତ ଉତ୍ପାଦନ, ବିତରଣ ଓ ଉପଲବ୍ଧତା ନେଇ ଆଲୋଚନା ମଧ୍ୟ କରିଛନ୍ତି। ବୈଦେଶିକ ମନ୍ତ୍ରାଳୟ ଅଧିକାରୀ ଅନୁରାଗ ଶ୍ରୀବାସ୍ତବଙ୍କ ଅନୁସାରେ ଏଥିଲାଗି ପଡୋଶୀ ଦେଶଙ୍କ ସହ ୨ଟି ଟ୍ରେନିଙ୍ଗ ମଡ୍ୟୁଲ ମଧ୍ୟ ହୋଇ ସାରିଲାଣି। ଯେଉଁଥିରେ ୯୦ରୁ ଅଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୈଜ୍ଞାନିକ ଯୋଗ ଦେଇଥିଲେ ବୋଲି ଶ୍ରୀବାସ୍ତବ କହିଛନ୍ତି।

ଶ୍ରୀବାସ୍ତବ କହିଛନ୍ତି ଯେ ଯଦି ଅନ୍ୟ ଦେଶ ଏହି କାର୍ଯ୍ୟାକ୍ରମରେ ଯୋଗ ଦେବାକୁ ଚାହିଁବେ ତେବେ ଏହାକୁ ସମ୍ପ୍ରସାରିତ କରାଯାଇପାରିବ। ସେହିପରି ଭେକ୍ସିନ ଯୋଗାଣ ଲାଗି କୋଲ୍ଡ ଚେନ୍‌ ଓ ଷ୍ଟୋରେଜ ନେଇ ଥିବା ସମସ୍ୟା ଦୂର କରିବାକୁ ପ୍ରଧାନମନ୍ତ୍ରୀ ଗତ ସେପ୍ଟେମ୍ବର ଜାତିସଂଘ ସାଧାରଣ ଅଧିବେଶନରେ ଘୋଷଣା କରିଥିଲେ।  ଯେଉଁ ଦେଶମାନଙ୍କରେ କୋଭିଡ ଭେକ୍ସିନର କୋଲ୍ଡ ଚେନ୍‌ ଓ ଷ୍ଟୋରେଜ ସୁବିଧା ନାହିଁ ସେ ସବୁ ଦେଶରେ ଭାରତ ଏହି ସବୁ ସୁବିଧା ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆର୍ଥିକ ସହାୟତା ପ୍ରତିଶ୍ରୁତିରେ ଟିକାକରଣ କରିବାକୁ କହିଥିଲା ଚୀନ୍‌
ବାଂଲାଦେଶକୁ ଟିକାକରଣ ଲାଗି ଚୀନ୍‌ ପ୍ରଥମେ ପ୍ରସ୍ତାବ ଦେଇଥିଲା। ସିନେଭେକ୍ ବାୟୋଟେକ୍ ଲମିଟେଡ ଦ୍ୱାରା ପ୍ରସ୍ତୁତ ଟିକା ଯୋଗାଇ ଦେବା ଲାଗି ଚୀନ୍‌ ବାଂଲାଦେଶକୁ ଆର୍ଥିକ ସହଯୋଗର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ତେବେ ବାଂଲାଦେଶ ଭାରତୀୟ ଭେକ୍ସିନର କ୍ଲିନିକାଲ ଟ୍ରାୟଲକୁ ଅନୁମତି ପ୍ରଦାନ କରିବା କୂଟନୀତିର ଏକ ବଡ଼ ବିଜୟ ବୋଲି ଏବେ କୁହାଯାଉଛି। ବାଂଲାଦେଶୀ କମ୍ପାନୀ ଭେକ୍ସିମୋ ଫାର୍ମା ଭାରତର ସେରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସହ ପ୍ରାଥମିକତା ଭିତ୍ତିରେ ଭେକ୍ସିନ ଯୋଗାଣ ଲାଗି ରାଜିନାମା ସ୍ୱାକ୍ଷର କରିଛି।

ଭାରତୀୟ ଟିକା ଲାଗି ମେକ୍ସିକୋ ମଧ୍ୟ ଆଗ୍ରହୀ
କେବଳ ପଡୋଶୀ ଦେଶମାନେ ନୁହନ୍ତି ମେକ୍ସିକୋ ମଧ୍ୟ ଭାରତର କୋଭିଡ-୧୯ ଟିକା ଲାଗି ଆଗ୍ରହୀ ଥିବା ଜଣାପଡିଛି। ଏଥିଲାଗି ନିକଟରେ ଭାରତ ଓ ମେକ୍ସିକୋ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ହୋଇଛି। ଏଥିରେ ଭେକ୍ସିନ ବିକଶିତ କରିବା ଲାଗି ଦୁଇ ଦେଶ ପରସ୍ପର ନୋଟ୍ ଏକ୍ସଚେଞ୍ଜ ମଧ୍ୟ କରିଛନ୍ତି। ଏନେଇ ଆସନ୍ତା ନଭେମ୍ବର ମାସରେ ଭର୍ଚୁଆଲ ମିଟିଂରେ ଅଧିକ ଆଲୋଚନା ହେବ ବୋଲି ବୈଦେଶିକ ମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.