Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୨୧ T-20 ବିଶ୍ୱକପର ଆୟୋଜକ ହେବ ଭାରତ : ICC

7/08/2020 at 7:25 PM

ଦୁବାଇ : ୨୦୨୧ ଟି-୨୦ ବିଶ୍ୱକପ୍‌ର ଆୟୋଜନ ଭାରତରେ ହେବ। ସେହିପରି ୨୦୨୨ ଟି-୨୦ ଅଷ୍ଟ୍ରେଲିଆ ଆୟୋଜନ କରିବ। ଶୁକ୍ରବାର ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡ ମିଟିଂରେ ଏହି ନିଷ୍ପତ୍ତି ହୋଇଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୦ ଟି-୨୦ର ଆୟୋଜନ ଅଷ୍ଟ୍ରେଲିଆକୁ ଦିଆଯାଇଥିଲା। ତେବେ କୋଭିଡ-୧୯ ମହାମାରୀ ଲାଗି ଏହି ବିଶ୍ୱକପ୍ ଟଳିଥିବା ବେଳେ ୨୦୨୧ ଲାଗି ଭାରତକୁ ଆୟୋଜକ ମନୋନୀତ କରିଛନ୍ତି ଆଇସିସି।

ପୂର୍ବ କାର୍ଯ୍ୟସୂଚୀରେ ଭାରତ ୨୦୨୨ ଟି-୨୦ ବିଶ୍ୱକପ୍‌ର ଆୟୋଜନ କରିଥାନ୍ତା। ତେବେ ଏହା ଅଷ୍ଟ୍ରେଲିଆ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଚଳିତବର୍ଷ ଅକ୍ଟୋବର ୧୮ ତାରିଖରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାର ଥିଲା। ତେବେ କରୋନା ଭାଇରସ୍ ମହାମାରୀ ଥମୁ ନଥିବାରୁ ଆୟୋଜନ ନେଇ ଅନିଶ୍ଚିତତା ଉପୁଜିଥିବା ବେଳେ ଚଳିତବର୍ଷ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଆଇସିସିଙ୍କ ନିଷ୍ପତ୍ତି ଯୋଗୁ ଆଇପିଏଲ ଲାଗି ରାସ୍ତା ଉନ୍ମୁକ୍ତ ହୋଇଯାଇଛି। ଭାରତରେ କରୋନାର ପ୍ରକୋପ ବଢିବଢି ଚାଲିଥିବାରୁ ଚଳିତବର୍ଷ ଆଇପିଏଲ ୟୁଏଇରେ ଆୟୋଜନ ଲାଗି ନିଷ୍ପତ୍ତି ହୋଇଛି। ଆଗାମୀ ସେପ୍ଟେମ୍ବରରୁ ଆଇପିଏଲ ଲାଗି ଯୋଜନା କରାଯାଉଥିବା ବେଳେ ଟି-୨୦ ବିଶ୍ୱକପ୍‌ ଏଥିରେ ବାଧକ ଥିଲା। ତେବେ ଆଇସିସି ବିଶ୍ୱକପ୍ ଟାଳିବାକୁ ନିଷ୍ପତ୍ତି ନେବା ଆଇପିଏଲ ମାର୍ଗ ସୁଗମ କରିଛି। ଆଗାମୀ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ ଆରମ୍ଭ ହେବ।

   Related Posts