୨୦୨୪ ବେଳକୁ ଦେଶକୁ ମିଳିବ ୯ ନ୍ୟୁକ୍ଲିୟର ରିଆକ୍ଟର, ଉତ୍ତର ଭାରତରେ ପ୍ରଥମ ଆଣବିକ ପ୍ରକଳ୍ପକୁ ମଞ୍ଜୁରୀ: କେନ୍ଦ୍ର

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨:  ୨୦୨୪ ବେଳକୁ ଭାରତ ପାଖରେ ୯ଟି ନ୍ୟୁକ୍ଲିୟାର ରିଆକ୍ଟର ହୋଇଯିବ। ଏହା ସହ ଉତ୍ତର ଭାରତରେ ପ୍ରଥମ ପରମାଣୁ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ କୁହାଯାଇଛି। ଏହାକୁ ନେଇ ରାଜ୍ୟସଭାରେ କେନ୍ଦ୍ର ଜନସାଧାରଣ ଅଭିଯୋଗ ଏବଂ ପେନସନ୍‌ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ୨୦୨୪ ବେଳକୁ ଭାରତକୁ ୯ଟି ଆଣବିକ ରିଆକ୍ଟର ମିଳିବ। ଏହା ସହ କରୋନା କାଳରେ ୯୦୦୦ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ଅତିରିକ୍ତ ୧୨ଟି ନ୍ୟୁକ୍ଲିୟାର ରିଆକ୍ଟରକୁ ମଧ୍ୟ ମଞ୍ଜୁରୀ ମିଳିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଏଥିପାଇଁ ବିଭିନ୍ନ ସ୍ଥାନରେ ୫ଟି ସ୍ଥାନ ଚିହ୍ନଟ କରାଯାଇଛି। ପ୍ରଶ୍ନକାଳରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ପୂର୍ବରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ରାଜ୍ୟରେ ଆଣବିକ ପାଓ୍ବାର ପ୍ଲାଣ୍ଟ ସୀମିତ ଥିଲା। ଏବେର ସରକାର ଏହାକୁ ଉତ୍ତର ଭାରତରେ ନିର୍ମାଣ କରିବାକୁ ଯାଉଛନ୍ତି। ଦିଲ୍ଳୀରୁ ୧୫୦ କି.ମି ଦୂରରେ ଥିବା ହରିୟାଣାର ଛୋଟ ସହର ଗୋରଖପୁରରେ ଠିକ ସେହିଭଳି ଏକ ଆଣବିକ ପ୍ରକଳ୍ପର ନିର୍ମାଣ ହେବାକୁ ଯାଉଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହା ବ୍ୟତୀତ ଦେଶରେ ବର୍ଦ୍ଧିତ ବିଜୁଳି ଚାହିଦାକୁ ନଜରରେ ରଖି ପରମାଣୁ ଶକ୍ତି ଖୁବଶୀଘ୍ର ବିଳକ୍ପ ତଥା ସ୍ବଚ୍ଛ ଶକ୍ତିର ଏକ ଉତ୍ତମ ସ୍ରୋତ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।  କିନ୍ତୁ ବିଜୁଳି ଉତ୍ପାଦନ ପ୍ଲାଣ୍ଟର ବୟସ ଏବଂ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରିବ। ଏହା ଦ୍ବାରା ପାଖାପାଖି ପ୍ରତି ୟୁନିଟ ପାଇଁ ୩ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ କୁଡନକୁଲମରେ ୟୁନିଟ୍‌ ପିଛା ୪ ଟଙ୍କା ଏବଂ ତାରାପୁର ପ୍ଲାଣ୍ଟରେ ଆହୁରି କମ୍‌ ଟଙ୍କା ଲାଗିବ । ଏହା ପରେ ଅଧିକରୁ ଅଧିକ ପ୍ଲାଣ୍ଟ ନିର୍ମାଣ ହୋଇଯିବା ପରେ ଖର୍ଚ୍ଚ କମ୍‌ ହେବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.