ଦୀପାବଳି​‌ରେ ବଡ଼ ଉପହାର ! ଭାରତକୁ ମିଳିବାକୁ ଯାଉଛି ୧୦ କୋଟି କରୋନା ଭ୍ୟାକସିନ୍‌ ଡୋଜ୍‌

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ ୧୪/୧୧: ଦୀର୍ଘ ୯ ମାସ ହେଲା କରୋନା ମହମାରୀ ସହ ଦେଶ ଲଢ଼େଇ କରୁଛି। କିନ୍ତୁ ଏଯାଏଁ କେଉଁ ଟିକା ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଅପେକ୍ଷା ଥିଲା। ଏବେ ଏହି ଅପେକ୍ଷାର ଅନ୍ତ ଘଟାଇ ୧୦ କୋଟି କରୋନା ଟିକା ଭାରତକୁ ମିଳିବାକୁ ଯାଉଛି।

ବିଶ୍ବର ସବୁଠୁ ବଡ଼ ଭ୍ୟାକ୍‌ସିନ୍‌ ଉତ୍ପାଦକ କମ୍ପାନୀ ପୁନେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଏହି ପ୍ରୋଜେକ୍ଟରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ସହଯୋଗୀ ରହିଛି। ଏହା ସହ ଅକ୍ସଫୋର୍ଡ ୟୁନିଭର୍ସିଟିର ମେଡିସିନ୍‌ କମ୍ପାନୀ ଏସ୍‌ଟ୍ରାଜେନିକା ସହ ମିଶି ଏହି ଭ୍ୟାକସିନ୍‌ର ପ୍ରସ୍ତୁତ କରୁଛି।

ତେବେ ଏହି ଭ୍ୟାକସିନ୍‌ର ୧୦୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲା କହିଥିଲେ। ଯେଉଁଥରୁ ୫୦ କୋଟି ଡୋଜ୍‌ ଭାରତ ପାଇଁ ରହିବ। ପ୍ରଥମେ ଭାରତ ପାଇଁ ଭ୍ୟାକ୍‌ସିନ ପ୍ରସ୍ତୁତ ହେବାକୁ ଥିବା ବେଳେ ଆଗାମୀ ବର୍ଷରେ ଅନ୍ୟ ଦେଶ ପାଇଁ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ ନେଇ ସୂଚନା ମିଳିଥିଲା।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ କୋଭାକ୍ସ ଗରିବ ଦେଶ ପାଇଁ ଭ୍ୟାକ୍‌ସିନ୍‌ କିଣୁଛି। ଏବେ ସୁଦ୍ଧା ୪ କୋଟି ଡୋଜ୍‌ ପ୍ରସ୍ତୁତ ହୋଇସାରିଛି। ତେବେ ଶେଷ ପର୍ଯ୍ୟାୟରେ ଏହି ଭ୍ୟାକ୍‌ସିନ୍‌ର ଫଳାଫଳ ଯଦି ଭଲ ରହେ ତେବେ ଜରୁରୀକାଳୀନ ସ୍ଥିତିରେ ଏହା ପ୍ରୟୋଗ କରିବାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ଏଥି ପାଇଁ ସରକାରଙ୍କ ସହ ଆଲୋଚନା ଚାଲିଛି। ତେବେ ଭ୍ୟାକ୍‌ସିନ୍‌ରେ କୌଣସି ପ୍ରକାର ଅସୁବିଧା ନଥିବା ବେଳେ ଦୀର୍ଘ ପରିଣାମ ସମ୍ପର୍କରେ ୨-୩ ବର୍ଷ ପରେ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.