ଦେଶବ୍ୟାପୀ ସତର୍କତା: ବନ୍ଦର ଓ ଏୟାରପୋର୍ଟରେ କଡାକଡି ହେଲା ଚୀନ ସାମଗ୍ରୀର ଯାଞ୍ଚ

Published By : Prameya-News7 Bureau | June 25, 2020 IST

ମୁମ୍ବାଇ ୨୫।୬: ଗତ ସୋମବାର ଠାରୁ ସାରା ଦେଶରେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ତନ୍ନତନ୍ନ ଯାଞ୍ଚ ହେଉଛି। ବନ୍ଦର ଓ ଏୟାରପୋର୍ଟରେ ହେଉଥିବା ଫିଜିକାଲ ଯାଞ୍ଚ ଲାଗି ବ୍ୟବସାୟୀଙ୍କୁ ଚୀନ୍ ସାମଗ୍ରୀ ବିଳମ୍ବରେ ପହଞ୍ଚୁଥିବା ଅଭିଯୋଗ ହେଉଛି। ତେବେ ସୂଚନା ଓ ପ୍ରାଦ୍ୟୋଗିକି ସତର୍କତା ପରେ ଏପରି ଯାଞ୍ଚ କଡାକଡି ହୋଇଥିବା ଜଣାପଡିଛି।

ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଭାରତୀୟ ସେନାଙ୍କ ସହ ମୁହାଁ ମୁହିଁ ପରେ ଭାରତ-ଚୀନ ତିକ୍ତତା ବଢିବାରେ ଲାଗିଛି। ଏଥିରେ ସାଇବର ଆକ୍ରମଣ ନେଇ ପୂର୍ବରୁ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଏବେ ଚୀନ୍‌ ସାମଗ୍ରୀର ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ତାମିଲନାଡୁ, ମୁମ୍ବାଇ ଓ କୋଲକାତା ବନ୍ଦରମାନଙ୍କରେ ହେଉଥିବା ବେଳେ ବିମାନ ଯୋଗେ ଆସୁଥିବା  କାର୍ଗୋର ମଧ୍ୟ ତନ୍ନତନ୍ନ ଯାଞ୍ଚ ହେଉଛି। ତେବେ କଷ୍ଟମସ ବିଭାଗରେ କର୍ମଚାରୀଙ୍କ ଅଭାବ ଯୋଗୁ ଯାଞ୍ଚ ଲାଗି ଅଧିକ ସମୟ ଲାଗୁଥିବା ବେଳେ ବ୍ୟବସାୟୀଙ୍କ ନିକଟରେ ସାମଗ୍ରୀ ପହଞ୍ଚିବାରେ ବିଳମ୍ବ ହେଉଛି।

ଦେଶରେ କୋଭିଡ-୧୯ ପ୍ରସାର ଯୋଗୁ ଯାଞ୍ଚ ହେଉଥିବା କୁହାଯାଉଛି। ଯାହା ଆଗକୁ ମଧ୍ୟ ଜାରି ରହିବ। ତେବେ ଚୀନ୍ ସାମଗ୍ରୀ ଆମଦାନୀ ଉପରେ ଏପର୍ଯ୍ୟନ୍ତ ସରକାର ରୋକ ଲଗାଇ ନାହାନ୍ତି।  ଚେନ୍ନାଇ ପୋର୍ଟରେ ସବୁଠୁ ଅଧିକ ମାଲ ଅଟକି ରହିଛି। ପୂର୍ବରୁ ଏହି ସବୁ କନସାଇନମେଣ୍ଟର ସିଷ୍ଟମ ଯାଞ୍ଚ ହେଉଥିଲା। ହେଲେ ଏବେ ଫିଜିକାଲ ଯାଞ୍ଚ ହେଉଥିବାରୁ ଏଥିଲାଗି ଅଧିକ ସମୟ ଲାଗୁଛି। ତେବେ ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ଯାଞ୍ଚ ପରେ ସାମଗ୍ରୀ ଛଡା ଯିବ ବୋଲି କଷ୍ଟମ ଅଧିକାରୀମାନେ ସଫାସଫା ଶୁଣାଇ ଦେଇଛନ୍ତି।

ଭାରତ ଓ ଚୀନ ମଧ୍ୟରେ ୮୭.୧ ବିଲିୟନ ଡଲାରର କାରବାର ରହିଛି। ଏଥିରୁ ଚୀନ୍‌ର ରପ୍ତାନୀ ଅଧିକ ରହୁଛି। ଚୀନକୁ ଭାରତ ୧୬.୮ ବିଲିୟନ ଡଲାରର ରପ୍ତାନୀ କରୁଥିବା ବେଳେ ସେଠାରୁ ୭୦.୩ ବିଲିୟନ ଡଲାରର ଆମଦାନୀ କରୁଛି। ଭାରତ ସରକାର ଏବେ ଚୀନ ନିର୍ଭରଶୀଳ ହେବାକୁ ଚାହୁଁ ନାହାନ୍ତି। ଏଣୁ ଆମଦାନୀ ଉପରେ କଟକଣା ଲାଗି ବିଚାର କରୁଛନ୍ତି। ଏଥିରେ କଷ୍ଟମ ଡ୍ୟୁଟି ବୃଦ୍ଧି ଲାଗି ମଧ୍ୟ ବିଚାର କରାଯାଉଥିବା ଜଣାପଡିଛି। ଡବ୍ଲୁଟିଓ ଚୁକ୍ତି ଅନୁସାରେ ଭାରତ ସମ୍ପୂର୍ଣ୍ଣ ଆମଦାନୀ ବନ୍ଦ କରିପାରିବ ନାହିଁ। ଏଣୁ କିଛି ଜରୁରି ସାମଗ୍ରୀ ବ୍ୟତୀତ ଅନ୍ୟ ଆମଦାନୀ ରୋକ ଲାଗି ବିଚାର କରାଯାଉଥିବା ବେଳେ  ଏବେ ବ୍ୟବଧାନ ସୃଷ୍ଟି ଲାଗି ଫିଜିକାଲ ଯାଞ୍ଚ ପ୍ରକ୍ରିୟା ହାତକୁ ନେଇଥିବାର ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.