ଆଜି ଲକ୍ଷ୍ନୌରେ ଦ୍ୱିତୀୟ ଟି-ଟ୍ୱେଣ୍ଟି : ପିଚରେ ପଡିଛି ଓଡିଶା ମାଟି

Published By : Prameya-News7 Bureau | November 06, 2018 IST

ଲକ୍ଷ୍ନୌ ୬/୧୧ : ଆଜି ଲକ୍ଷ୍ନୌ ଠାରେ ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ | ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ | ଆଜି ମ୍ୟାଚ ଅନୁଷ୍ଠିତ ହେବ ପୂର୍ବରୁ ଗତକାଲି ଏହି ଷ୍ଟାଡିଅମର ନାଁ ପରିବର୍ତ୍ତନ କରି ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ନାମରେ ନାମିତ କରାଯାଇଛି | ଦୀର୍ଘ ୨୪ ବର୍ଷ ପରେ ଏହି ଷ୍ଟାଡିୟମରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳାଯିବ | ତେବେ ସବୁଠୁ ରୋଚକ ଖବର ହେଉଛି, ଏହି ଷ୍ଟାଡିୟମରେ ତିଆରି ହୋଇଥିବା ପିଚରେ ଯେଉଁ ମାଟି ପଡିଛି ତାହା ଓଡିଶାର | ଓଡିଶାର ବଲାଙ୍ଗୀର ଜିଲ୍ଲାରୁ ଏହି ମାଟି ନେଇ ପିଚ ନିର୍ମିତ ହୋଇଥିବା ବିସିସିଆଇର ମୁଖ୍ୟ କ୍ୟୁରେଟର ଦଳଜିତ ସିଂ ସୂଚନା ଦେଇଛନ୍ତି | ତେବେ ଏହି ମତ କାରଣରୁ ଆଜିର ମ୍ୟାଚ ଲୋ ସ୍କୋରିଂ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି | ଟି-ଟ୍ୱେଣ୍ଟି ମ୍ୟାଚ ସାଧାରଣତଃ ଆକର୍ଷଣୀୟ ବ୍ୟାଟିଂ ପାଇଁ ରୋଚକ ହୋଇଥାଏ | କିନ୍ତୁ ଆଜିର ମ୍ୟାଚ ସେ ଦୃଷ୍ଟିରୁ ବିଶେଷ ରୋଚକ ହୋଇନପାରେ | ଦୁଇ ଦେଶ ମଧ୍ୟରେ ୩ ଟିକିଏ ଟି-ଟ୍ୱେଣ୍ଟି ଶୃଙ୍ଖଳାରୁ ଇଡେନ ଗାର୍ଡେନ ଠାରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ଭାରତ ୫ ଉଇକେଟରେ ପରାସ୍ତ କରି ବିଜୟୀ ହୋଇଥିଲା | ବର୍ତ୍ତମାନ ଭାରତ ୧/୦ରେ ସିରିଜ ଆଗୁଆ ରହିଛି | ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ଅନୁପସ୍ଥିତି ସତ୍ୱେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଛି | ଅବଶ୍ୟ ଗତ ମ୍ୟାଚରେ ଭାରତର ଓପନିଂ ଯୋଡି ରୋହିତ ଶର୍ମା ଏବଂ ଶିଖର ଧୱନ ଭଲ ରନ କରିପାରିନଥିଲେ | ଦୀନେଶ କାର୍ତ୍ତିକଙ୍କ ଯୋଗୁଁ ଭାରତ ସହଜରେ ବିଜୟ ହାସଲ କରିଥିଲା | ଲକ୍ଷ୍ନୌର ଏହି ଷ୍ଟାଡିୟମର ପିଚ ସ୍ଲୋ ଥିବା କାରଣରୁ ଆଜି ସ୍ପିନରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ରହିବ | ବିସିସିଆଇ ମୁଖ୍ୟ କ୍ୟୁରେଟର ଦଳଜିତ ସିଂ କହିଛନ୍ତି ଯେ, ଆଜି ମ୍ୟାଚରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରି ୧୩୦ ରନ ସଂଗ୍ରହ କରିବ ତାହା ଅନ୍ୟ ଦଳ ହାସଲ କରିବା ମୁସ୍କିଲ ହେବ | ବର୍ତ୍ତମାନ ଉତ୍ତର ଭାରତରେ ଶୀତର ପ୍ରକୋପ ବୃଦ୍ଧି ପାଇଛି | ଥଣ୍ଡା ଓ କାକର ମଧ୍ୟ ଆଜିର ମ୍ୟାଚକୁ ପ୍ରଭାବିତ କରିପାରେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.